ନନ୍ଦନକାନନକୁ ଆସିଲା ରଣପୁରରୁ ଉଦ୍ଧାର ହିମଶାଗୁଣା

ବାରଙ୍ଗ: ଖୋର୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ଅଞ୍ଚଳରୁ ଗତ ୨୧ ତାରିଖ‌ରେ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ଏକ ହିମାଲୟାନ୍‌ ଗ୍ରିଫାନ୍‌ ବା ହିମ ଶାଗୁଣାକୁ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି। ଶାଗୁଣାଟିର ବୟସ ୪ ବର୍ଷ ମଧ୍ୟରେ ହୋଇଥିବା ବେଳେ ତା’ର ଲିଙ୍ଗ ଚିହ୍ନଟ ହୋଇନାହିଁ। ତାକୁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରେଣ୍ଟାଇନ୍‌‌‌‌ରେ ରଖି ଚିକିତ୍ସା କରାଯାଉଛି। ଶାଗୁଣାର ଆଗମନ ପରେ ନନ୍ଦନକାନନରେ ଏହି ପ୍ରଜାତି ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଏହି ପ୍ରଜାତିର ବିଶାଳକାୟ ଶାଗୁଣାମାନେ ସାଧାରଣତଃ ହିମାଳୟ ପାର୍ବତ୍ୟମାଳାର ଉତ୍ତର ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଦେଖାଯାଆନ୍ତି। ଏମାନେ ଦୀର୍ଘ ଉଚ୍ଚତାରେ ଉଡ଼ି ଖାଦ୍ୟ ଅନ୍ବେଷଣ କରିଥାଆନ୍ତି। ତେବେ ଏହି ଶାଗୁଣାଟି ଘନ କୁହୁଡ଼ିରେ ଦିଗହରା ହୋଇ ଓଡ଼ିଶାକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ରଣପୁର ଅଞ୍ଚଳରୁ ଉଦ୍ଧାର ହେବା ପରେ ୨୪ ତାରିଖରେ ତାକୁ ଚିକିତ୍ସା ପାଇଁ ଭୁବନେଶ୍ବରସ୍ଥିତ ଓୟୁଏଟିକୁ ଅଣାଯାଇଥିଲା। ସେଠାରୁ ପିସିସିଏଫଙ୍କ ନର୍ଦ୍ଦେଶକ୍ରମେ ଗତ ବୁଧବାର ରାତିରେ ନନ୍ଦନକାନନକୁ ଅଣାଯାଇଥିଲା। ଗତ କିଛି ବର୍ଷ ହେବ ପୁରୀ, ବ୍ରହ୍ମପୁର ଓ ବାରିପଦା ଅଞ୍ଚଳରୁ ଶୀତଦିନରେ ଏପରି ଶାଗୁଣାଙ୍କୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଛି।

ସମ୍ବନ୍ଧିତ ଖବର