ଭୁବନେଶ୍ବର : ରାଜ୍ୟରେ କୁଷ୍ଠ ନିରାକରଣ ଦିଗରେ କାର୍ଯ୍ୟ କରୁଥିବା ହିନ୍ଦ କୁଷ୍ଠ ନିବାରଣ ସଂଘ ବା ଏଚ୍‌କେଏନ୍‌ଏସ୍‌ର କାର୍ଯ୍ୟାଳୟ ନିର୍ମାଣ ପାଇଁ ଦିଆଯାଇଥିବା ଜାଗା ଦୀର୍ଘ ବର୍ଷ ଧରି ଜବରଦଖଲରେ ରହିଛି। ସଂଘ ଅସ୍ଥାୟୀ ଭାବେ ଅନ୍ୟତ୍ର କାର୍ଯ୍ୟ କରୁଛି। ତେଣୁ ୟୁନିଟ୍‌-୯ସ୍ଥିତ ଭୋଇ ନଗରରେ ସଂଘକୁ ଦିଆଯାଇଥିବା ଜାଗାରୁ ଜବରଦଖଲ ଉଚ୍ଛେଦ ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଚିଠି ଲେଖିଛନ୍ତି।

Advertisment

ଚିଠିରେ ଉଲ୍ଲେଖ ରହିଛି ଯେ ରାଜ୍ୟରେ କୁଷ୍ଠ ନିରାକରଣ ଦିଗରେ ସଂଘ ୧୯୨୦ ମସିହାରୁ କାର୍ଯ୍ୟ କରିଆସୁଛି। ରାଜ୍ୟପାଳ ସଂଘର ସଭାପତି ରହିଛନ୍ତି। ୧୯୯୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୟୁନିଟ୍‌-୯ ଅଞ୍ଚଳରେ ସଂଘର କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ପାଇଁ କ୍ବାର୍ଟର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଇଥିଲା। ୧୯୯୫ ମସିହାରୁ ଏହା ଭୁବନେଶ୍ବର ବିଡିଓଙ୍କ ନିକଟରେ ରହିଛି। ମାତ୍ର ବିଭିନ୍ନ କାରଣ ପାଇଁ କାର୍ଯ୍ୟାଳୟ ନିର୍ମାଣରେ ବିଳମ୍ବ ହୋଇଥିଲା। ଧୀରେ ଧୀରେ ଏହାକୁ କିଛି ଲୋକ ଜବରଦଖଲ କରି ରଖିଛନ୍ତି। ଏ ସଂକ୍ରାନ୍ତରେ ସଂଘ ପକ୍ଷରୁ ବାରମ୍ବାର ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଦିଆଯାଇଥିଲେ ହେଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେଣୁ ସଂଘର କାର୍ଯ୍ୟାଳୟ ନିର୍ମାଣ ପାଇଁ ଦିଆଯାଇଥିବା ଜାଗାରୁ ଜବରଦଖଲ ହଟାଇବାକୁ ଚିଠିରେ ଶ୍ରୀ ପାଢ଼ୀ ଉଲ୍ଲେଖ କରିଛନ୍ତି।

ଅପରପକ୍ଷରେ ହିନ୍ଦ କୁଷ୍ଠ ନିବାରଣ ସଂଘ ମଧ୍ୟ କର୍ମଚାରୀଙ୍କ ଅଭାବରୁ ଏକପ୍ରକାର ଅଚଳ ହେବାକୁ ବସିଛି। ସଂଘ ଅଧୀନରେ ସମ୍ବଲପୁରର ହାତୀବାଡ଼ି, କଟକ, ବ‌ାଲେଶ୍ବର ବାମପଦା ଓ ପାରଳାଖେମୁଣ୍ଡିରେ କୁଷ୍ଠ ସେବାଶ୍ରମ ରହିଛି। କଟକ ସେବାଶ୍ରମକୁ ବାଦ୍ ଦେଲେ ଅନ୍ୟ ସେବାଶ୍ରମଗୁଡ଼ିକରେ ବ୍ୟାପକ କର୍ମଚାରୀ ଅଭାବ ରହିଛି। ସଂଘର ଜଣେ କର୍ମକର୍ତା କହିଛନ୍ତି, ସମ୍ବଲପୁରରେ ଥିବା ସେବାଶ୍ରମରେ ୫ଜଣ କର୍ମଚାରୀ ଥିବା ବେଳେ ବାଲେଶ୍ବରରେ ଜଣେ ଓ ପାରଳାଖେମୁଣ୍ଡିରେ କେହି ନାହାନ୍ତି। ସେହିପରି ରାଜ୍ୟ ମୁଖ୍ୟାଳୟରେ ୮ଟି ପଦରୁ ୩ଟି ଖାଲି ପଡ଼ିଛି। ଆସନ୍ତା କିଛିବର୍ଷ ଭିତରେ ଏକାଧିକ କର୍ମଚାରୀ ଅବସର ଗ୍ରହଣ କରିବେ। ତେଣୁ ସଂଘର ପରିଚାଳନା କ୍ଷେତ୍ରରେ ଏହା ସମସ୍ୟା ସୃଷ୍ଟି କରିବ ବୋଲି କର୍ମକର୍ତାଜଣଙ୍କ କହିଛନ୍ତି।