ଗୁରୁକୁଳ ଗୀତାଞ୍ଜଳି ପକ୍ଷରୁ ‘ହିନ୍ଦୁସ୍ତାନୀ କ୍ଲାସିକାଲ୍‌ ମ୍ୟୁଜିକ୍‌’

ଭୁବନେଶ୍ୱର: ଗୁରୁକୁଳ ଗୀତାଞ୍ଜଳି ପକ୍ଷରୁ ‘ହିନ୍ଦୁସ୍ତାନୀ କ୍ଲାସିକାଲ୍‌ ମ୍ୟୁଜିକ୍‌’ ସନ୍ଧ୍ୟା ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ଆରମ୍ଭ ହୋଇଥିଲା ଧାମରା ଗୀତରୁ। ଏଥିରେ ମୁଖ୍ୟ ଆକର୍ଷଣ ଥିଲେ ପଣ୍ଡିତ ଏମ୍‌.ଭେଙ୍କଟେଶ କୁମାର। ରାଗ-କେଦାର ଓ ରାଗ-ଶଙ୍କରାରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରି ଶ୍ରୋତାଙ୍କୁ ବିମୋହିତ କରିଥିଲେ। ତାଙ୍କୁ ତବଲାରେ ସହାୟତା କରିଥିଲେ କେଶବ ଯୋଶୀ। ପରେ ପରେ ହିନ୍ଦୋଳ ରାଗରେ ‘ଶ୍ୟାମ ମୋସୋ ଖେଲୋନା ହୋରି’ ଭଳି ସୁନ୍ଦର ରଚନାକୁ ଗୁରୁକୁଳ ଗୀତାଞ୍ଜଳି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ। ଏହା ପରେ ଅରୋଶିଷ ଜୋଗ୍‌-ରାଗ ଓ ଆଶିଷ, ଆଶୁତୋଷ, ଅଶ୍ୱିନୀ ଓ ଅଙ୍କିତ କଲ୍ୟାଣ ରାଗ, ସସ୍ମିତା ଓ ଜସ୍ମିନ୍‌ ଦେଶ-ରାଗରେ ଶାସ୍ତ୍ରୀୟ ସଙ୍ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ। ଏହି ଅବସରରେ ଅନନ୍ୟା ଶ୍ରୀତମ ନନ୍ଦ ଓ ଶିବ ପ୍ରସାଦ ଷଡ଼ଙ୍ଗୀଙ୍କୁ ‘ସଙ୍ଗୀତ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନାଲ୍‌କୋର ପୂର୍ବତନ ସିଏମ୍‌ଡି ଏସ୍‌.କେ ତାମୋଟିଆ, ପଣ୍ଡିତ ଏମ୍‌.ଭେଙ୍କଟେଶ କୁମାର ଓ ପଦ୍ମ ବିଭୂଷଣ ସୀତାକାନ୍ତ ମହାମାତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ସଂପାଦକ ମନୋଜ ଦାସ ଓ ମମତା ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର