ଭୁବନେଶ୍ବର: ଭୁବନେଶ୍ବରରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍ସି କଟକଣା ଜାରି କଲା। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା, ପ୍ରେକ୍ଷାଳୟରେ ଯେ କୌଣସି କାର୍ଯ୍ୟକ୍ରମ କଲା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେହି ହଲ୍ରେ ଯେପରି ସମସ୍ତ କୋଭିଡ୍ ନିୟମ ପାଳନ କରାଯାଏ, ସେଥି ପ୍ରତି ଆୟୋଜକ ଧ୍ୟାନ ଦେବେ। ନଚେତ ଆୟୋଜକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। କୋଭିଡ୍ ସଂକ୍ରମଣ ରୋକିବା ପାଇଁ ବିଏମ୍ସିର ଏପରି ସତର୍କତାମୂଳକ ପଦକ୍ଷେପକୁ ରାଜଧାନୀବାସୀ ସ୍ବାଗତ କରିଥିଲେ।
ଏହାର ଠିକ୍ ୫ ଦିନ ପରେ ଅର୍ଥାତ ଜୁଲାଇ ୧୬। ହୋଟେଲ୍ ସ୍ୟାଣ୍ଡିସ୍ ଟାୱାର୍ରେ କର୍ପୋରେଟର୍ମାନଙ୍କ ପାଇଁ ବିଏମ୍ସି ପକ୍ଷରୁ ଏକ କର୍ମଶାଳା ଆୟୋଜନ କରାଗଲା। ଏଥିରେ ସବୁ କର୍ପୋରେଟର୍ ଓ ବିଏମ୍ସି ଅଧିକାରୀ ଉପସ୍ଥିତ ଥିଲେ। ସେହି କାର୍ଯ୍ୟକ୍ରମର ଯେଉଁ ଫଟୋ ସବୁ ସାମାଜିକ ଗଣମାଧ୍ୟମରେ ବୁଲୁଛି, ସେଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଅଧିକାଂଶ କର୍ପୋରେଟର୍ଙ୍କ ମୁହଁରେ ମାସ୍କ ନାହିଁ। ଏପରିକି ସାମାଜିକ ଦୂରତା ନାହିଁ। ଖୋଦ୍ ମେୟର ଓ କମିସନର୍ଙ୍କ ମୁହଁରେ ମଧ୍ୟ ମାସ୍କ ପିନ୍ଧି ନାହାନ୍ତି।
କୋଭିଡ୍ ନିୟନ୍ତ୍ରଣ କ୍ଷେତ୍ରରେ ବିଏମ୍ସିର ଏପରି ଛଳନାକୁ ନେଇ ସଚେତନ ନାଗରିକ ମହଲରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଯାଇଛି। ପ୍ରଶ୍ନ ଉଠୁଛି, ସାଧାରଣ ଲୋକଙ୍କୁ ବିଏମ୍ସି କର୍ତ୍ତୃପକ୍ଷ ନାଲି ଆଖି ଦେଖାଉଥିଲା ବେଳେ ନିଜେ କିପରି ଖୋଲାଖୋଲି ନିୟମର ଉଲ୍ଲଂଘନ କରୁଛନ୍ତି? ସାଧାରଣ ଲୋକ ପ୍ରେକ୍ଷାଳୟରେ ମାସ୍କ ନ ପିନ୍ଧିଲେ କରୋନା ବ୍ୟାପିଯିବ। କିନ୍ତୁ କର୍ପୋରେଟର୍ ଓ ଅଧିକାରୀମାନେ ନ ପିନ୍ଧିଲେ କରୋନା କ’ଣ ପାଖ ମାଡ଼ିବନି? ସରକାରଙ୍କ ସବୁ ନିୟମରେ ଏପରି ଦୋମୁହାଁ ନୀତି କାହିଁକି?
ଗତକାଲିର ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କେବଳ ପ୍ରଦୀପ ପ୍ରଜ୍ବଳନ ବେଳେ ମଞ୍ଚ ଉପରେ ଉପସ୍ଥିତ ଥିବା ମେୟର, କମିସନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମାସ୍କ ପିନ୍ଧିଥିବା ଦେଖାଯାଇଥିଲା। ହେଲେ ଫଟୋ ଉଠା ସରିବା ପରେ ଆଉ କାହା ମୁହଁରେ ମାସ୍କ ନଥିଲା। ବୈଠକରେ କର୍ପୋରେଟରଙ୍କ ସହ ଅଧିକାରୀ ଓ କର୍ମଚାରୀଙ୍କୁ ମିଶାଇ ଶହେରୁ ଊର୍ଦ୍ଧ୍ବ ଲୋକ ରହିଥିଲେ। କିନ୍ତୁ କେହି ମାସ୍କ ପିନ୍ଧିନଥିଲେ।
ସାଧାରଣ ଲୋକଙ୍କ ପାଇଁ ସବୁ କଟକଣା
କର୍ପୋରେଟର୍, ଅଧିକାରୀ କ’ଣ କଟକଣାରୁ ବାଦ୍?
ଦୋମୁହାଁ ନୀତି ଯୋଗୁ କଟକଣା ସଫଳ ନେଇ ସନ୍ଦେହ
ଗତ କିଛି ଦିନ ଧରି ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ି ଚାଲିଛି। ଦୁଇ ଦିନ ହେଲା ହଜାରେ ଉପରେ ସଂକ୍ରମଣ ରହୁଛି। ସେଥିରେ ଖୋର୍ଦ୍ଧା ଜିଲ୍ଲା ବିଶେଷକରି ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ। ଯଦିଓ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍, ତେବେ ସହରରେ ସଂକ୍ରମଣ ବଢ଼ୁଥିବାରୁ ସତର୍କତାମୂଳକ ପଦକ୍ଷେପର ଆବଶ୍ୟକତା ରହିଛି। କୋଭିଡ୍ ସ୍ଥିତି ନିୟନ୍ତ୍ରଣ ଥିବାରୁ ରାଜ୍ୟ ସରକାର କୌଣସି କଟକଣା ଏ ଯାଏ ଜାରି କରିନାହାନ୍ତି। କିନ୍ତୁ ସ୍ଥାନୀୟ ସ୍ଥିତି ଦେଖି କର୍ତ୍ତୃପକ୍ଷ ନିଷ୍ପତ୍ତି ନେବାକୁ କୁହାଯାଇଛି। ସେହି ଅନୁଯାୟୀ ବିଏମ୍ସି ପକ୍ଷରୁ ଗତ କିଛି ଦିନ ହେଲା କୋଭିଡ୍ କଟକଣା ଜାରି କରିବାକୁ ତତ୍ପରତା ପ୍ରକାଶ ପାଇଛି। ନିଜେ ମେୟର ଓ କମିସନର୍ ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି। ନିୟମିତ ଭାବେ ବିଏମ୍ସି ପକ୍ଷରୁ କୋଭିଡ୍ କଟକଣାକୁ ନେଇ ଆଦେଶନାମା ପ୍ରକାଶ ପାଉଛି। ମାସ୍କ ବାଧ୍ୟତାମୂଳକ ହେବା ସହ ସାମାଜିକ ଦୂରତା ପାଇଁ ମଧ୍ୟ ନିବେଦନ କରାଯାଉଛି। ମଲ୍, ହାଟ, ପ୍ରେକ୍ଷାଳୟ ପାଇଁ ଗାଇଡ୍ଲାଇନ୍ ଜାରି କରାଯାଇଛି। ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦିଆଯାଉଛି।
କଟକଣାକୁ କେହି ବିରୋଧ କରୁନାହାନ୍ତି। କିନ୍ତୁ ସବୁ ନିୟମ କେବଳ ସାଧାରଣ ନାଗରିକ ହିଁ ପାଳନ କରିବେ ଓ କ୍ଷମତାରେ ଥିବା ବ୍ୟକ୍ତିମାନେ ବାଦ୍ ପଡ଼ିବେ, ଏହା ହିଁ ଏବେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସନ୍ଦେହ ଭିତରକୁ ଟାଣି ନେଉଛି। ଏହା ଦ୍ବାରା କୋଭିଡ୍ ନିୟନ୍ତ୍ରଣ ଦିଗରେ ବିଏମ୍ସିର ଆନ୍ତରିକତାକୁ ନେଇ ବି ପ୍ରଶ୍ନ ଉଠୁଛି। ଖୋଦ୍ କର୍ପୋରେଟର୍ ଓ ବିଏମ୍ସି ଅଧିକାରୀ ଯଦି ଖୋଲାଖୋଲି ନିୟମର ଉଲ୍ଲଂଘନ କରିବେ, ତେବେ ସାଧାରଣ ଲୋକ କିପରି ତାହାକୁ ମାନିବ? ବିଏମ୍ସିର ଏପରି ଆଭିମୁଖ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ଜୁନ୍ ପହିଲାରୁ ମାସ୍କ ବାଧ୍ୟତାମୂଳକ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଘୋଷଣା କେବଳ କାଗଜପତ୍ରରେ ରହିଛି। ମଲ୍, ହାଟ, ପ୍ରେକ୍ଷାଳୟରେ ନିୟମ ଉଲ୍ଲଂଘନ ପରିଲକ୍ଷିତ ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷ ଓ ଆୟୋଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିସନର ଆଦେଶନାମା ଜାରି କରିଥିଲେ। ହେଲେ ସ୍ୟାଣ୍ଡିସ୍ ଟାୱାର୍ର ପ୍ରେକ୍ଷାଳୟରେ ଅଧିକାରୀଙ୍କ ସମେତ କର୍ପୋରେଟରମାନେ ଯେପରି ନିର୍ଦ୍ଦେଶନାମା ଉଲ୍ଲଂଘନ କଲେ, ତାହା ପାଇଁ କାହା ଉପରେ କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାହା ଦେଖିବାକୁ ବାକି ରହିଲା। ଯଦି ଏଠାରେ କାର୍ଯ୍ୟନୁଷ୍ଠାନ ହେବ ନାହିଁ ତେବେ ଆଗକୁ ଯେଉଁଠି ବି ବିଏମ୍ସି ଚଢ଼ଉ କରିବ ସେଠାରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ବିଏମ୍ସି ଦାୟୀ ରହିବ ତ? ଏଭଳି ଅନେକ ପ୍ରଶ୍ନ ଏବେ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ବିବାଦୀୟ କରିଛି। କେବଳ ଏପରି ବେପରୁଆ ଆଭିମୁଖ୍ୟ ଯୋଗୁଁ ପୂର୍ବରୁ ବିଏମ୍ସି ଅଧିକାରୀ ଓ ପୁଲିସ୍ କୋଭିଡ୍ କଟକଣା ଲାଗୁ କରିବାକୁ ଯାଇ ଜନ ଅସନ୍ତୋଷର ଶିକାର ହୋଇଥିବା ନଜିର ଅଛି।
ପୁଣି ନୂଆ ଗାଇଡ୍ଲାଇନ୍, ମାସ୍କ ନାହିଁ ତ’ ପେଟ୍ରୋଲ ନାହିଁ
ଭୁବନେଶ୍ବରକୋଭିଡ୍ କଟକଣାକୁ ନେଇ ଆଜି ନୂଆ ଗାଇଡ୍ ଲାଇନ୍ ଆଜି ଜାରି କରିଛି ବିଏମ୍ସି। ୧୫ ଦିନରେ ଏହା ହେଉଛି ତୃତୀୟ ଗାଇଡ୍ଲାଇନ୍। ଏଥିରେ ଅନେକ ଗୁରତ୍ବପୂର୍ଣ୍ଣ ନିଷ୍ପତ୍ତି ରହିଛି। ଜନସାଧାରଣ ଉଚିତ୍ ଢଙ୍ଗରେ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି। ଥୋଡ଼ିରେ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ସେହିଭଳି ମାସ୍କ ପିନ୍ଧିନଥିଲେ ଟାଙ୍କିରେ ପେଟ୍ରୋଲ ମିଳିବନି। ଏନେଇ ପେଟ୍ରୋଲ ପମ୍ପ ମାଲିକଙ୍କୁ ତାଗିଦ କରାଯାଇଛି।
ବିନା ମାସ୍କରେ ପେଟ୍ରୋଲ ଦେବା ପରିଲକ୍ଷିତ ହେଲେ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଏ ନେଇ ସମସ୍ତ ପେଟ୍ରୋଲ ଟାଙ୍କିରେ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ସେହିଭଳି କୌଣସି ମଲ୍, ବ୍ୟାବସାୟିକ ପ୍ରତିଷ୍ଠାନରେ କର୍ମଚାରୀ କିମ୍ବା ଗ୍ରାହକ ଉଚିତ୍ ଢଙ୍ଗରେ ମାସ୍କ ପିନ୍ଧିବେ। କୌଣସି ସପିଂ ମଲ୍ରେ ବିନା ମାସ୍କରେ ପ୍ରବେଶ ଅନୁମତି ମିଳିବ ନାହିଁ। ମଲ ମାଲିକମାନେ ପ୍ରତିଷ୍ଠାନ ସାମ୍ନାରେ ‘ନୋ ମାସ୍କ ନୋ ଏଣ୍ଟ୍ରି/ନୋ ମାସ୍କ ନୋ ଗୁଡ୍ସ୍’ ବୋଲି ଲେଖିବେ। ସରକାରୀ କିମ୍ବା ବେସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ କେବଳ ଖାଇବା ସମୟକୁ ଛାଡ଼ିଦେଲେ ସବୁ ସମୟରେ ମାସ୍କ ପିନ୍ଧିବେ। ଏହାକୁ ସମ୍ପୃକ୍ତ ଅଫିସ୍ର ସିଇଓ, ମ୍ୟାନେଜର ତଥା ଅଫିସ ମୁଖ୍ୟ ନିଶ୍ଚିତ କରିବେ। ଏହା ଛଡ଼ା ପୂର୍ବରୁ ରହିଥିବା ନିର୍ଦ୍ଦେଶ ଯେମିତି ସାମାଜିକ ଦୂରତା, ହାତ ଧୋଇବା, ପାନଛେପ ନ ପକାଇବା ପ୍ରଭୃତି ମାନିବା ବାଧ୍ୟତାମୂଳକ ରହିଛି। ଏହାକୁ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବେ ବୋଲି କମିସନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଛନ୍ତି।