ମଣିଷ ଈଶ୍ବରୀୟ ସୃଷ୍ଟିର କ୍ଷୁଦ୍ରତ୍ତମ ଅଂଶବିଶେଷ

ପ୍ରତାପଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ

ବାଲିଅନ୍ତା: ମଣିଷ ଈଶ୍ବରୀୟ ସୃଷ୍ଟିର କ୍ଷୁଦ୍ରତ୍ତମ ଅଂଶବିଶେଷ। ସୃଷ୍ଟିର ବିଭିନ୍ନ ଉପାଦାନକୁ ନେଇ ଗବେଷଣା ଓ ବିଜ୍ଞାନ ଯେତେ ‌ବିକାଶ ଓ ଗତିଶୀଳ ହେଲେ ମଧ୍ୟ ମଣିଷ କିନ୍ତୁ ସ୍ରଷ୍ଟା ହୋଇ ପାରିବ ନାହିଁ। ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟ(ବାଳକାଟି)ର ୬୦ ବର୍ଷ ପୂର୍ତି ଉପଲକ୍ଷେ ଅନୁଷ୍ଠିତ ହୀରକ ଜୟନ୍ତୀ ସମାରୋହର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏପରି ମତ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଲେ, ପିଲାଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ବାଜପକ୍ଷୀ ଭଳି ଊର୍ଧ୍ବଗାମୀ ହେବା ପାଇଁ ଦରକାର ଯଥେଷ୍ଟ ସ୍ବାଧୀନତା। ଅନ୍ୟକୁ ନକଲ କରି ପିଲାଙ୍କୁ ଅନୁକରଣ କରିବାକୁ ପ୍ରବର୍ତ୍ତାଇବା ପରିବର୍ତ୍ତେ ଉନ୍ମୁକ୍ତ ଶିକ୍ଷାଦାନ ଉପରେ ଧ୍ୟାନ ଦେବା ଦିଗରେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

ଆଜି ଅପରାହ୍ଣରେ ଉଦ୍‌ଘାଟିତ ଏ ସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ରାଜ୍ୟସଭା ସାଂସଦ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସ୍ଥାନୀୟ ଅଞ୍ଚଳକୁ ରାଜ୍ୟପାଳଙ୍କ ଏହି ପ୍ରଥମ ଗସ୍ତ ପାଇଁ ସାଧୁବାଦ ଜଣାଇବା ସହ ସ୍ବର୍ଗତ ରବି ରାୟ , ସତ୍ୟପ୍ରିୟ ମହାନ୍ତି, ନୀଳମଣି ସେନାପତି, କାଳନ୍ଦୀ ଚରଣ ପାଣିଗ୍ରାହୀ, ଚିନ୍ତାମଣି ପାଣିଗ୍ରାହୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ମାଟିର ଦାୟଦ ଥିଲେ ବୋଲି କହିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ମହାଦେବ ଦାଶ, ଇଂରାଜୀ ଶିକ୍ଷକ ଗୋପାଳ କିଶୋର ମହାନ୍ତି, ଲକ୍ଷ୍ମୀଧର ପଣ୍ଡା, ଫକୀର ଚରଣ ପଟ୍ଟନାୟକ, ନିର୍ମଳ ମିଶ୍ର ଓ ନିରୂପମା ମହାନ୍ତିଙ୍କ ସହିତ ଚଳିତ ଶିକ୍ଷାବର୍ଷରେ ସଫଳତା ଅର୍ଜନ କରିଥିବା ୩ କୃତୀ ଛାତ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ରଥ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପୁରାତନ ଛାତ୍ର ସଂସଦର ସଭାପତି ଡ . ବନମାଳୀ ସାହୁ , ଡ . ରଜନୀରଜନ ଦାଶ, ସଂପାଦକ ସୁଜିତ କୁମାର ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ତଥା ନେତୃବୃନ୍ଦ, ସ୍ଥାନୀୟ ଜନ ପ୍ରତିନିଧି ଓ କର୍ମକର୍ତ୍ତମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର