ହଜିଯାଉଛି ଐତିହ୍ୟ; ସୌରଘଡ଼ି ଆଜି ବି ଅଜଣା

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ମୁକ୍ତେଶ୍ୱର ମନ୍ଦିର ପାର୍କ ନିକଟରେ ଥିବା ସୌରଘଡ଼ିଟି ଆମ ଇତିହାସର ମୁକସାକ୍ଷୀ। ଇଂରେଜ ମାନଙ୍କ ଦ୍ଵାରା ନିର୍ମିତ ଏହି ସ୍ମାରକୀ ଏବେ ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକମାନଙ୍କ ପାଇଁ ଅଜଣା ହୋଇ ଯାଇଛି। ମୁକ୍ତେଶ୍ୱର ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ଏହି ସୌରଘଡ଼ି। ରାଣୀ ଭିକ୍ଟୋରିଆଙ୍କ ଶାସନର ହୀରକ ଜୟନ୍ତୀ ଇଂଲଣ୍ଡରେ ଚାଲୁଥିବା ବେଳେ ଭାରତରେ ଶାସନରତ ଇଂରେଜ ସରକାର, ମହାରାଣୀଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସେହିବର୍ଷ ହିଁ ସୌରଘଡ଼ିଗୁଡିକ ନିର୍ମାଣ କରାଇଥିବା ନେଇ ଐତିହାସିକମାନେ ମତ ଦିଅନ୍ତି। ତେବେ ଏକାମ୍ର କ୍ଷେତ୍ର ବ୍ୟତୀତ ଓଡ଼ିଶାର ଅନ୍ୟ ୪ଟି ସ୍ଥାନରେ ସୌରଘଡ଼ି ନିର୍ମିତ ହୋଇଥିଲା। କେନ୍ଦ୍ରାପଡ଼ା ପୁରୁଣା ବସଷ୍ଟାଣ୍ଡ୍‌ର ମୁଖ୍ୟ ଡାକଘର ନିକଟ, ରେଭେନ୍‌ସା କଲେଜ ପରିସର, ଖଣ୍ଡପଡ଼ା ରାଜ ଉଆସ ଏବଂ କୋଣାର୍କ ମନ୍ଦିରରେ ସୌରଘଡ଼ି ନିର୍ମିତ ହୋଇଥିଲା। ଐତିହ୍ୟ ସଂରକ୍ଷକ ଅରୁଣ କୁମାର ନାୟକ କହନ୍ତି, ଏହି ସୌରଘଡ଼ିଗୁଡ଼ିକ ଊନ୍ନବିଂଶ ଓ ବିଂଶ ଶତାବ୍ଦୀ ମଧ୍ୟରେ ତିଆରି ହୋଇଥିଲା। ସେତେବେଳେ ସୌରଘଡ଼ିରେ ଥିବା ଏକ ପଥର ଉପରେ ସୂର୍ଯ୍ୟକିରଣ ପଡ଼ିଲେ ସେଠାରେ ସୃଷ୍ଟି ହେଉଥିବା ଛାଇକୁ ଦେଖି କେତେ ସମୟ ହେଲା ହିସାବ କରାଯାଉଥିଲା। ସମୟ ଜାଣିବା ପାଇଁ ଓଡ଼ିଶାରେ ବିଶେଷ ସୁବିଧା ନଥିବା ବେଳେ ସୌରଘଡ଼ିଗୁଡିକ ଲୋକମାନଙ୍କୁ ସଠିକ୍‌ ସମୟ ଜଣାଉଥିଲା। ମୁକ୍ତେଶ୍ୱର ପାର୍କର ଏକ କୋଣରେ ଥିବା ଏହି ସୌରଘଡ଼ିି ପାଇଁ ଏଯାଏ ସାଇନ୍‌ ବୋର୍ଡଟିଏର ବ୍ୟବସ୍ଥା ହୋଇପାରିଲା ନାହିଁ। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କର ନଜର ଏହି ସୌରଘଡ଼ି ଉପରେ ପଡ଼ି ପାରୁନି। ସେହିପରି ଏହା ନିକଟରେ ଏଏସ୍‌ଆଇର ସୁରକ୍ଷା କର୍ମୀମାନେ କାମ କରୁଥିଲେ ମଧ୍ୟ ଏହାର ଯତ୍ନ ପାଇଁ ବିଶେଷ ଧ୍ୟାନ ଦିଆଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବର୍ଷା ହେଲେ ଏଥିରେ ଶିଉଳି ଲାଗି ଫିମ୍ପି ମାରି ଯିବାର ଆଶଙ୍କା ରହିଥିବାରୁ କେମିକାଲ ମାଧ୍ୟମରେ ଏହାର ରକ୍ଷଣାବେକ୍ଷଣ ହେବା ଦରକାର ବୋଲି ସେମାନେ ମତ ଦେଇଛନ୍ତି। ତେବେ ଏନେଇ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗର ଅଧିକାରୀଙ୍କଠାରୁ କୌଣସି ଉତ୍ତର ମିଳି ପାରି ନାହିଁ।

ସମ୍ବନ୍ଧିତ ଖବର