ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରରେ ବିଭିନ୍ନ ଐତିହ୍ୟ କୀର୍ତ୍ତିରାଜିକୁ ନେଇ ଐତିହ୍ୟ ପଦଯାତ୍ରା ସଫଳ ହେବା ପରେ ଏବେ ଖଣ୍ଡଗିରି ଓ ଉଦୟଗିରିକୁ ନେଇ ଆଉ ଏକ ଐତିହ୍ୟ ପଦଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି। ବିଡିଏ, ବିଏମ୍ସି ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଐତିହ୍ୟ ପଦଯାତ୍ରା ମୁକ୍ତେଶ୍ୱର ମନ୍ଦିରରୁ ବାହାରି ଏକାମ୍ର ବନରେ ଶେଷ ହେଉଛି। ଏହି ପଦଯାତ୍ରାର ୪୭ଟି ସଂସ୍କରଣରେ ୨୩ଟି ଦେଶର ୨୩୦୦ ପର୍ଯ୍ୟଟକ ସାମିଲ୍ ହେବା ପରେ ଏହାକୁ ସମ୍ପ୍ରସାରଣ କରିବାକୁ ଯୋଜନା ହୋଇଛି।
ବିଡିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଏକ ମାସ ମଧ୍ୟରେ ଖଣ୍ଡଗିରି-ଉଦୟଗିରିକୁ ନେଇ ଐତିହ୍ୟ ପଦଯାତ୍ରା କରାଯିବ। ଗୋଟିଏ ଟିମ୍ ପୁରୁଣା ଭୁବନେଶ୍ୱରରେ ଥିବା ବିଭିନ୍ନ ଐତିହ୍ୟସ୍ଥଳୀ ବୁଲିବେ ଓ ଆଉ ଗୋଟିଏ ଟିମ୍ ଖଣ୍ଡଗିରି ଓ ଉଦୟଗିରି ବୁଲିବେ। ଏହାସହ କ୍ରାଫ୍ଟ ମ୍ୟୁଜିୟମ ମଧ୍ୟ ଦେଖିପାରିବେ। ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ପର୍ଯ୍ୟଟକଙ୍କୁ ଯେପରି ଓଡ଼ିଶାର ଐତିହ୍ୟ ଓ କୀର୍ତ୍ତିରାଜି ବିଷୟରେ ଅବଗତ କରାଯିବ ସେଥିପାଇଁ ଏହି ଯୋଜନା।
ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏବେ ପୁରୁଣା ଭୁବନେଶ୍ୱରରେ ହେଉଥିବା ଐତିହ୍ୟ ପଦଯାତ୍ରାରେ ବିଶେଷ କରି ହିନ୍ଦୁ ଧର୍ମାବଲମ୍ବୀ ଲୋକ ସାମିଲ୍ ହେଉଥିବାବେଳେ ଓଡ଼ିଶାକୁ ଆସୁଥିବା ହଜାର ହଜାର ବୌଦ୍ଧ ଓ ଜୈନ ପର୍ଯ୍ୟଟକଙ୍କୁ ନଜରରେ ରଖି ଖଣ୍ଡଗିରି ଓ ଉଦୟଗିରିରେ ଏହି ପଦଯାତ୍ରା ଆରମ୍ଭ ହେବ। ଏଠାରେ ଯାତ୍ରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ। ପାହାଡ଼ ଉପରକୁ ଯାତ୍ରୀ ଚଢ଼ିବାର ଥିବାରୁ କିପରି ସୁରକ୍ଷିତ ଭାବେ ଦୁଇଟି ଯାକ ପାହାଡ଼ ବୁଲିବେ ସେଥିପାଇଁ ଟୁର୍ ଅପରେଟରମାନେ ପର୍ଯ୍ୟଟକଙ୍କୁ ସଚେତନ କରାଇବେ। ସକାଳ ୬ଟା ୩୦ରୁ ପୂର୍ବାହ୍ନ ୯ଟା ୩୦ ମଧ୍ୟରେ ଏହି ପଦଯାତ୍ରା ଆୟୋଜନ ହେବ।
ଧଉଳି ଓ ଚଉଷଠି ଯୋଗିନୀ ପାଇଁ ହେବ ସାଇକେଲ୍ ଟୁର୍
ଐତିହ୍ୟ ପଦଯାତ୍ରା ଭଳି ଧଉଳି ଓ ଚଉଷଠି ଯୋଗିନୀକୁ ନଜରରେ ରଖି ଏହି ରୁଟ୍ରେ ସ୍ୱତନ୍ତ୍ର ସାଇକେଲ୍ ଟୁର୍ କରିବାକୁ ଯୋଜନା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କେବଳ ଧଉଳି ପାଇଁ ସ୍ୱତନ୍ତ୍ର ସାଇକେଲ୍ ରୁଟ୍ ହେବ। ଏଥିରେ ଧଉଳି ଶାନ୍ତସ୍ତୁପ, ଅଶୋକଙ୍କ ଶିଳାଲିପି, ବୌଦ୍ଧ କୀର୍ତ୍ତିରାଜି ଏବଂ ଏହା ନିକଟରେ ଥିବା ବିଭିନ୍ନ ମନ୍ଦିର ବୁଲି ଦେଖିବା ପାଇଁ ସାଇକେଲ୍ ଟୁର୍ ହେବ।
ସେହିପରି ଚଉଷଠି ଯୋଗିନୀ ପାଇଁ ରାଜାରାଣୀ, ବ୍ରହ୍ମେଶ୍ୱର, ଭାସ୍କରେଶ୍ୱର, ମେଘେଶ୍ୱର ଓ ଚଉଷଠି ଯୋଗିନୀ ପୀଠ ଯେପରି ପର୍ଯ୍ୟଟକ ସାଇକେଲ୍ରେ ବୁଲି ପାରିବେ ସେଥିପାଇଁ ସାଇକେଲ୍ ଟୁର୍ ପ୍ରସ୍ତୁତ ହେବ। ଏବେ ଯେଉଁ ତିନି ଘଣ୍ଟା ପାଇଁ ଐତିହ୍ୟ ପଦଯାତ୍ରା ହେଉଛି ସେତିକି ସମୟରେ ଏହି ଦୁଇଟି ରୁଟ୍ରେ ସାଇକେଲ୍ ଟୁର୍ କରାଯିବ। କିନ୍ତୁ ଏହା ରବିବାର ହେବ ନାହିଁ। ଏହି ସାଇକେଲ୍ ଟୁର୍ ଶନିବାର କରିବାକୁ ଯୋଜନା ହୋଇଛି। ପଥ ଉତ୍ସବ ପାଇଁ ଥିବା ୨୦୦ଟି ସାଇକେଲ୍କୁ ଏହି ଐତିହ୍ୟ ସାଇକେଲ୍ ଟୁର୍ରେ ସାମିଲ୍ କରାଯିବ। ପଥ ଉତ୍ସବ ରବିବାର ଆୟୋଜନ ହେଉଥିବାରୁ ଶନିବାର ଦିନ ଏହି ସାଇକେଲ୍ ଟୁର୍ କରିବାକୁ ଯୋଜନା ହୋଇଥିବା ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।
ଭୁବନେଶ୍ୱରରେ ସାଇକେଲ୍ ସେୟାରିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାରୁ ଏହା ପୂର୍ବରୁ ଏହି ସାଇକେଲ୍ ଟୁର୍ କାର୍ଯ୍ୟକ୍ରମ କରି ଲୋକ ଏବଂ ପର୍ଯ୍ୟଟକଙ୍କୁ ଅଭ୍ୟସ୍ତ କରିବାକୁ ଯୋଜନା ହୋଇଛି। ଯେଉଁ ଟୁର୍ ଅପରେଟର, ଗାଇଡ୍ ପର୍ଯ୍ୟଟକଙ୍କୁ ଏଠାକୁ ଆଣିବେ ସେମାନଙ୍କ ଜିମାରେ ସାଇକେଲ୍ ଦିଆଯିବ। କାର୍ଯ୍ୟକ୍ରମ ସରିବା ପରେ ସେମାନେ ବିଏମ୍ସିକୁ ସାଇକେଲ୍ ହସ୍ତାନ୍ତର କରିବେ ବୋଲି ବିଏମ୍ସି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Aitihya-padayatra.jpg)