ବଡ଼ଗଡ଼, ଲକ୍ଷ୍ମୀସାଗରରେ ନିର୍ମିତ ହେବ ଐତିହ୍ୟ ତୋରଣ

ଜାନୁଆରି ସୁଦ୍ଧା ଟଙ୍କପାଣି ଓ ଗ୍ୟାରେଜ୍ ଛକ ‌ତୋରଣ ଶେଷ ହେବ

ଭୁବନେଶ୍ବର : ବଡ଼ଗଡ଼ ଓ ଲକ୍ଷ୍ମୀସାଗର ଗାଁର ପ୍ରବେଶ ପଥ ନୂଆ ରୂପ ପାଇବ। ଏଠାରେ ନିର୍ମାଣ ହେବ ଐତିହ୍ୟ ତୋରଣ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥି ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି। ରାଜଧାନୀର ଏହି ଦୁଇଟି ପୁରୁଣା ଗ୍ରାମକୁ ପ୍ରବେଶ କଲା ବେଳେ ତୋରଣର କାରୁକାର୍ଯ୍ୟ ଲୋକଙ୍କୁ ଭିନ୍ନ ଅନୁଭୂତି ଦେବ।

ବଡ଼ଗଡ଼ ଗ୍ରାମ ଆରମ୍ଭରେ ଥିବା କଲ୍ୟାଣ ମଣ୍ଡପ ନିକଟରେ ଓ ଲକ୍ଷ୍ମୀସାଗର ଟ୍ରାଫିକ୍ ଛକ ପରେ ଏହି ତୋରଣ ନିର୍ମାଣ ହେବ। ପ୍ରତିଟି ତୋରଣ ପାଇଁ ୩୦ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏହାର ନିର୍ମାଣ ଦାୟିତ୍ବ ନେଇଛି। ଶିଳାନ୍ୟାସ ପରେ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।
ପର୍ଯ୍ୟଟନ ବିଭାଗର ଆର୍ଥିକ ସହାୟତାରେ ଏବେ ବ୍ରହ୍ମେଶ୍ବର ପାଟଣା ଓ ଗ୍ୟାରେଜ ଛକରେ ଐତିହ୍ୟ ତୋରଣ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ବ୍ରହ୍ମେଶ୍ବର ପାଟଣାରେ ନିର୍ମାଣାଧୀନ ତୋରଣର ଉପରେ ‘ଓଁ ନମଃ ବ୍ରହ୍ମେଶ୍ବର’ ଲେଖାଯିବ। ତୋରଣର ଭିତର ପାଖର ଚଉଡ଼ା ୩୨ ଫୁଟ ଓ ଉଚ୍ଚତା ୨୧ ଫୁଟ ରହିଛି। ସେହିପରି ବାହାର ପାର୍ଶ୍ବର ଚଡଡ଼ା ୪୧ ଫୁଟ ଓ ଉଚ୍ଚତା ୩୫ ଫୁଟ ରହିଛି। ଏହି ତୋରଣକୁ ସୁନ୍ଦର ରୂପ ଦେବାକୁ ଉନ୍ନତମାନର କାରିଗରୀ‌ କୌଶଳ ବ୍ୟବହୃତ ହେଉଛି। ଏଥିରେ ଖଣ୍ଡ ଲାଇଟ୍‌, ପ୍ଲେଟ୍‌ ଓ ମୂର୍ତି ଖଞ୍ଜାଯିବ। ଦୁଇ ସ୍ତମ୍ଭରେ ୮ଟି ମୂର୍ତି, ତୋରଣ ଉପରେ ୨ଟି ବଡ଼ ମୂର୍ତ୍ତି, ଉପରେ କରାଯାଉଥିବା ତ୍ରିଭୁଜରେ ୬ଟି ମୂର୍ତ୍ତି ଓ ବାକି ବହୁ ଛୋଟ ବଡ଼ ମୂର୍ତି ତୋରଣକୁ ଆକର୍ଷଣୀୟ ରୂପ ଦେବେ। ଏହି ନିର୍ମାଣ କାର୍ଯ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ୨୯ ଲକ୍ଷ ୧୪ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ଆହୁରି ୧୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହେଉଛି। ଏହି ନିର୍ମାଣ କାର୍ଯ୍ୟ ଦୁଇ ମାସ ମଧ୍ୟରେ ଶେଷ ‌େହବ ବୋଲି ଓଟିଡିସିର ନିର୍ବାହ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡା ସୂଚନା ଦେଇଛନ୍ତି।

ସେହିପରି ଗ୍ୟାରେଜ୍‌ ଛକରେ ନିର୍ମାଣାଧୀନ ଐତିହ୍ୟ ତୋରଣ ପ୍ରଭୁ ଲିଙ୍ଗରାଜଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ। ଏହାର ଭିତର ପାର୍ଶ୍ବର ଉଚ୍ଚତା ୬ ମିଟର ଓ ଚଉଡ଼‌ା ସାଢ଼େ ୯ ମିଟର ରହିବ। ସେହିଭଳି ପୂରା ତୋରଣର ଉଚ୍ଚତା ୮ ମିଟର ଓ ଚଉଡ଼ା ୧୨ ମିଟର ରହିବ। କଂକ୍ରିଟରେ ସମ୍ପୂର୍ଣ୍ଣ ତୋରଣର କାମ କରାଯାଇଥିବା ବେଳେ ଖଣ୍ଡ ଲାଇଟ୍‌ରେ ଏହା ସୁସଜ୍ଜିତ ହେବ। ସମ୍ପୂର୍ଣ୍ଣ ତେ‌ାରଣ ନିର୍ମାଣ ପାଇଁ ୨୪ ଲକ୍ଷ ୨୫ ହଜାର ଟଙ୍କା ମଞ୍ଜୁର କରାଯାଇଛି। ତେବେ ସାମନ୍ତରାପୁର ରାସ୍ତା ଓ ଡ୍ରେନ୍‌ କାମ ‌େଯାଗୁ ଏହା ବିଳମ୍ବ ହୋଇଛି ଓ ଆସନ୍ତା ଦେଢ଼ ମାସ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ମିଳିଛି।

ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ଭୁବନେଶ୍ବର ମନ୍ଦିରମାଳିନୀ ସହର ଓ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏପରି ତୋରଣର ଆବଶ୍ୟକତା ରହିଛି। ଏହା ନିଶ୍ଚିତ ଭାବେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ସହାୟକ ହେବ।

ଶାନ୍ତିସ୍ତୂପ ସ୍ମାରକୀ ଗେଟ୍‌ ନିର୍ମାଣରେ ବିଳମ୍ବ

ଧଉଳି : ଧଉଳି ଶାନ୍ତିସ୍ତୂପର ମୁଖ୍ୟ ପ୍ରବେଶପଥରେ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଏକ ସ୍ମାରକୀ ଗେଟ୍‌ ନିର୍ମାଣ କ‌ାର୍ଯ୍ୟରେ ଅହେତୁକ ବିଳମ୍ବ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଐତିହ୍ୟସ˚ପନ୍ନ ସ୍ଥାନକୁ ଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନଙ୍କ ସୂଚନା ଲାଗି ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ଧଉଳି ଛକରେ ଗେଟ୍ ନିର୍ମାଣ ଉଦ୍ଦେଶ୍ୟରେ ୨୦୧୫-୧୬ ଆର୍ଥିକ ବର୍ଷରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମ˚ଜୁର ହୋଇଥିଲା। ଏନେଇ ଟେଣ୍ତର୍‌ ଡକାଯାଇ ଠିକାଦାର ବି ଚୟନ ହୋଇଥିଲା। ହେଲେ ଏହା ଭିତରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରସ୍ତାବିତ ଗେଟ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନି।

ଜାତୀୟ ରାଜପଥରୁ ଧଉଳି ଶାନ୍ତିସ୍ତୂପକୁ ସିଧା ଲମ୍ବିଥିବା ପୂର୍ତ ବିଭାଗ ମୁଖ୍ୟ ରାସ୍ତା ସ˚ପ୍ରସାରଣ ହେବା ସହ ନୂଆ ରାସ୍ତା ସ˚ଯୋଗୀକରଣ ହେବାକୁ ଥିବାରୁ ବର୍ତ୍ତମାନ ସ୍ଥିତିରେ ଗେଟ୍‌ ନିର୍ମାଣ କାମ ବନ୍ଦ ରହିଥିବା ଜଣେ ବିଭାଗୀୟ ଅଧିକାରୀ ଜଣାଇଛନ୍ତି। ବିଡିଏ ମ୍ୟାପରେ ପୂର୍ତ୍ତ ବିଭାଗ ରାସ୍ତା ସ˚ପ୍ରସାରଣ କରାଯିବାର ଯୋଜନା ଥିବାରୁ ପର୍ଯ୍ୟଟନ ବିଭାଗ ଏବେ ଅଡ଼ୁଆରେ ପଡ଼ିଛି। ଫଳରେ ଏହି ଗେଟ୍‌ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନି। ଅନ୍ୟପକ୍ଷରେ ଏ ବାବଦରେ ମ˚ଜୁର ହୋଇଥିବା ୨୫ ଲକ୍ଷ ଟଙ୍କା ଏକ ପ୍ରକାର ଫେରିଯିବାର ଆଶଙ୍କା ଦେଖାଦେଇଥିବା ଜଣେ ସହକାରୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଶିଶୁପାଳଗଡ଼ ଐତିହ୍ୟ ଫାଟକ ଭଳି ଏହି ପରିକଳ୍ପିତ ଗେଟ୍‌ ନିର୍ମାଣ ନିତାନ୍ତ ଆବଶ୍ୟକ ହୋଇପଡ଼ିଥିବାରୁ ପ୍ରବେଶ ଫାଟକ ନିର୍ମାଣ ଦିଗରେ ସ˚ପୃକ୍ତ ଦୁଇ ବିଭାଗର ପଦସ୍ଥ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର