ଐତିହ୍ୟ ପୁଷ୍କରିଣୀରୁ ଜବରଦଖଲ ଉଚ୍ଛେଦ ନିର୍ଦେଶ, ବିଏମ୍‌ସି କମିସନର୍‌ଙ୍କୁ ଭେଟିଲେ ସ୍ଥାନୀୟ ଲୋକେ

ପୁରୁଣା ଭୁବନେଶ୍ୱର : ଏତିହ୍ୟ ସଂପନ୍ନ ନନ୍ଦକୁଣ୍ଡ ପୁଷ୍କରିଣୀର ପୁନରୁଦ୍ଧାର ଓ ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟ ତାଙ୍କ ରାୟରେ ନିର୍ଦେଶ ଦେଇଛନ୍ତି। ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମାନ୍ୟବର ବିଚାରପତି ଏହି ରାୟ ଶୁଣାଇଛନ୍ତି। ରାୟ ପ୍ରକାଶ ପାଇବା ପରେ ଏକାମ୍ର ଜନଜାଗରଣ ମଞ୍ଚ କର୍ମକର୍ତା ବିଏମ୍‌ସି କମିସନର୍‌ଙ୍କୁ ଭେଟିଛନ୍ତି।

ସୂଚନା ଅନୁଯାୟୀ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଭଉଣୀ ମା’ କାମାକ୍ଷା ଠାକୁରରାଣୀ ପୂଜା ପାଉଥିବା ବଡ଼ ମଠ ବା ଭାରତୀ ମଠ ଅଧୀନରେ ଥିବା ଐତିହ୍ୟ ନନ୍ଦ କୁଣ୍ଡ ପୁଷ୍କରିଣୀ ଏବେ ସମ୍ପୂର୍ଣ୍ଣ ଦଳରେ ଭର୍ତ୍ତିି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ଏହି ପୁଷ୍କରିଣୀକୁ କେତେକ ଜବରଦଖଲକାରୀ ବାଲି ପକାଇ ପୋତିବା ସହ ଘର କରିବା ଆରମ୍ଭ କରିଛନ୍ତି। ବିଏମ୍‌ସି ୱାର୍ଡ ନଂ ୫୯ଅଧୀନ ଏହି ପୁଷ୍କରିଣୀଟି ଭୁବନେଶ୍ୱର ୟୁନିଟ୍‌ ୨୭ର ମୌଜାର ଖାତା ନଂ ୧୫୯୨ର ପ୍ଲଟ୍‌ ନଂ ୮୭୫, ୮୭୬, ୮୭୭, ୮୭୮, ୮୭୯ ଓ ୮୩୩ ଅନ୍ତର୍ଗତ। ୪ଏକର ବିଶିଷ୍ଟ ଏହି ପୁଷ୍କରିଣୀ ଜବରଦଖଲ ଯୋଗୁ ସଂକୁଚିତ ହୋଇଛି। ଏହାକୁ ବିରୋଧ କରି ମଞ୍ଚ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଏମ୍‌ସି. ବିଡିଏ, ସାଧାରଣ ପ୍ରଶାସନ, ଭୁବନେଶ୍ୱର ତହସିଲ, ଦେବୋତ୍ତର ବିଭାଗରେ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣି ନଥିଲେ। ଫଳରେ ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ମାନ୍ୟବର ହାଇକୋର୍ଟ ରାୟ ଶୁଣାଇ ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ଏନେଇ ନଗର ଉନ୍ନୟନ ସଚିବ, ରାଜସ୍ୱ ବିଭାଗ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, ବିଏମ୍‌ସି କମିସନର, ଦେବୋତ୍ତର ବିଭାଗ କମିସନର, ବିଡିଏ, ଭାରତୀ ମଠର ମହନ୍ତ ପ୍ରଣବ କିଶୋର ଗୋସ୍ୱାମୀଙ୍କୁ ନୋଟିସ୍‌ ଜାରି କରାଯାଇଛି। ଅନ୍ୟପକ୍ଷରେ ସେଠାରୁ ତୁରନ୍ତ ଜବରଦଖଲ ଉଚ୍ଛେଦ କରିବା ଓ ଏହାକୁ ପୁନରୁଦ୍ଧାର କରିବା ପାଇଁ ଆଜି ମଞ୍ଚର କର୍ମକର୍ତାମାନେ ବିଏମ୍‌ସି କମିସନରଙ୍କୁ ଭେଟିଥିଲେ। ମଞ୍ଚର ସଭାପତି ଶ୍ରୀ ନାୟକଙ୍କ ନେତୃତ୍ଵରେ ଆଇନଜୀବୀ ଅନୁପ ଉଦୟ ସେନାପତି, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଓ ବହୁ ସଭ୍ୟ କମିସନରଙ୍କୁ ଜବରଦଖଲ ଓ ଅସ୍ୱାସ୍ଥ୍ୟକର ପରିବେଶ ସମ୍ପର୍କରେ କହିଥିଲେ।

ସମ୍ବନ୍ଧିତ ଖବର