ଭୁବନେଶ୍ବର: ସଂରକ୍ଷିତ ଐତିହ୍ୟ ଶିଶୁପାଳଗଡ଼ର ଗଡ଼ଖାଇକୁ କାଟି ରାସ୍ତା କରିଦେଲେ। ଅନେକ ଜାଗାରେ ବିନାନୁମତିରେ ଘର ବି କଲେ। ମୁଖ୍ୟ ରାସ୍ତା ସହ ଏହି ଘରସବୁକୁ ସଂଯୋଗ କରିବା ପାଇଁ ଗଡ଼ଖାଇକୁ ମଝିରୁ କାଟିଦେଲେ। ଲୁଚାଛପା କିମ୍ବା ରାତି ଅଧରେ ନୁହେଁ, ବରଂ ସ୍ପଷ୍ଟ ଦିବାଲୋକରେ ଏଭଳି କାମ ହେଲା। ହେଲେ କାହାକୁ ଦିଶିଲାନି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ(ଏଏସ୍‌ଆଇ) ପାଖରେ ଖବର ନାହିଁ। ପୁଲିସ କହିଛି ଆମର କିଛି ଭୂମିକା ନାହିଁ। ବିଡିଏ କହୁଛି ଖବର ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ। ବିଏମ୍‌ସି କହିଛି ଶିଶୁପାଳଗଡ଼ରେ ନିକଟ ଅତୀତରେ କୌଣସି ନୂଆ ରାସ୍ତା ହୋଇ ନାହିଁ କିମ୍ବା ଗଡ଼ଖାଇକୁ କାଟିବା ଆମର ଅଧିକାର ନାହିଁ। ଏଭଳି ସ୍ଥିତିରେ ଐତିହ୍ୟ ଏବେ ଅସ୍ତିତ୍ବ ହରାଇବାକୁ ବସିଛି। ଏହାର ସଂରକ୍ଷଣ ପାଇଁ ବର୍ଷ ବର୍ଷର ଲଢ଼େଇ ଫସର ଫାଟିଥିବା ବେଳେ କୋର୍ଟ ଆଦେଶ ମଧ୍ୟ ପାଣି ଫୋଟକା ଭଳି ମିଳେଇ ଯାଇଛି। ଚର୍ଚ୍ଚା କିମ୍ବା ଅଭିଯୋଗ ହେଲେ ବେଳେ ବେଳେ ଏଏସ୍‌ଆଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ବସିଯିବାର ନଜିର ରହିଛି। ଏହି ସଂରକ୍ଷଣ ପାଇଁ ଉତ୍ତରଦାୟୀ ଥିବା ପ୍ରତ୍ୟେକ ଅନୁଷ୍ଠାନ ପାଖରେ ଖସିଯିବା ପାଇଁ ଏଭଳି ଅନେକ ବାହାନା ରହିଛି। ଏବେ ଏହି ଐତିହ୍ୟ କିଭଳି ସଂରକ୍ଷିତ ହେବ ସେ ନେଇ ପ୍ରଶ୍ନ ଉଠିଛି।

Advertisment

ବାସୁଆଘାଇ ପଟୁ ମୁଖ୍ୟ ରାସ୍ତାରୁ ଶିଶୁପାଳଗଡ଼ ଆଡ଼କୁ ଆସିବା ବେଳେ ବାମ ପାର୍ଶ୍ବର ଏକ ଜାଗାରେ ଗଡ଼ଖାଇକୁ ପ୍ରାୟ ୨୦ ଫୁଟ ତାଡ଼ି ବାଟ ଫିଟାଇ ଦିଆଯାଇଛି। କଟା ହୋଇଯିବା ପରେ ଏହା ସର୍ବସାଧାରଣ ରାସ୍ତା ହୋଇଯାଇଛି। ଏହି ଗୋଟିଏ ଜାଗାରେ ନୁହେଁ, ବରଂ ବର୍ଷ ବର୍ଷ ଧରି ତଦାରଖ ଅଭାବରୁ ଅନେକ ଜାଗାରେ ଏଭଳି ବେଆଇନ ଭାବରେ କାଟି ଦିଆଯାଇଥିବା ବେଳେ ଅନେକ ଜାଗାରେ ବେଆଇନ ନିର୍ମାଣ ମଧ୍ୟ ହୋଇଛି। ଏହି ଐତିହ୍ୟସମ୍ପନ୍ନ ଶିଶୁପାଳଗଡ଼ର ସଂରକ୍ଷଣ ନେଇ ଏହି ଅଞ୍ଚଳରେ ବିଡିଏ ଗୃହ ନିର୍ମାଣ ସ୍ବୀକୃତି ଦେଉନାହିଁ। କିନ୍ତୁ ବେଆଇନ ଭାବରେ ଗୃହ ନିର୍ମାଣ ହେଉଛି। ବିଭିନ୍ନ ସମୟରେ ଘଟଣାସ୍ଥଳ ଅନୁଧ୍ୟାନ କରି ବେଆଇନ କାର୍ଯ୍ୟକାଳପ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବିଏମ୍‌ସି ସମେତ ବିଡିଏର ପ୍ରାବଧାନ ରହିଛି। କିନ୍ତୁ ଉଭୟ ନିରବଦ୍ରଷ୍ଟା ହୋଇଛନ୍ତି। ୨୦୨୦ ଓ ୨୦୨୧ ମସିହାରେ ଏଭଳି ଅଭିଯୋଗ ହୋଇଥିଲା। ତତ୍‌କାଳୀନ ଏଏସ୍ଆଇ ଅଧିକ୍ଷକ ଅରୁଣ ମଲ୍ଲିକ ଶିଶୁପାଳଗଡ଼ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ, ଥାନା ଅଧିକାରୀଙ୍କ ସମେତ ଜବରଦଖଲକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ବସି ଯାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଜବରଦଖଲକାରୀ ଉତ୍ସାହିତ ହୋଇଥିଲେ।

ଶିଶୁପାଳଗଡ଼ ‘ଜଳଦୁର୍ଗ’ ଆଧାରରେ ନିର୍ମିତ ହୋଇଥିବା ବିଶ୍ବାସ କରାଯାଏ। ଓଡ଼ିଆରେ ଏହାକୁ ‘ଗଡ଼ଖାଇ’ କୁହାଯାଏ। ଏହାର ଚତୁର୍ଦ୍ଦିଗରେ ଗନ୍ଧବତୀ ନଦୀ(ବର୍ତ୍ତମାନର ଗଙ୍ଗୁଆ ନାଳ) ରହିଥିଲା। ନଦୀ ପରେ ପରେ ଗଡ଼ଖାଇ ନିର୍ମାଣ ହୋଇଥିଲା। ଫଳରେ ସହଜରେ ଗଡ଼ଭିତରେ ପ୍ରବେଶ କରିବା ସମ୍ଭବ ହେଉନଥିଲା। ୧୯୪୮ ମସିହାରେ ଏହାର ଖନନ ବେଳେ ଏହି ଐତିହ୍ୟର ପ୍ରମାଣ ମିଳିବା ପରେ ଏହାର ସଂରକ୍ଷଣ ଆରମ୍ଭ ହୋଇଥିଲା। କିନ୍ତୁ ସରକାରୀ ଉଦାସୀନତା କାରଣରୁ ଏହା ଜବରଦଖଲ ହେବା ସହ ବେଆଇନ ନିର୍ମାଣ ହୋଇଥିଲା। ୨୦୦୭ ମସିହାରେ ଏହାର ସଂରକ୍ଷଣ ନେଇ ଇନ୍‌ଟାକ୍‌ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲା। ଦଫା ଦଫାରେ ହାଇକୋର୍ଟ ରାଜ୍ୟ ସରକାର ଓ ଏଏସ୍‌ଆଇ ଠାରୁ ଶିଶୁପାଳଗଡ଼ର ସ୍ଥିତାବସ୍ଥା ଓ ସଂରକ୍ଷଣ ବାବଦରେ ରିପୋର୍ଟ ତଲବ କରିଥିଲେ। ବିଭିନ୍ନ ସମୟରେ ସଂରକ୍ଷଣ ନେଇ ଆଦେଶନାମା ମଧ୍ୟ ଜାରି ହୋଇଥିଲା। ଏଠାରେ ନିର୍ମାଣ ନେଇ ବିଡିଏ କଟକଣା ମଧ୍ୟ ଜାରି କରିଥିଲା। ହେଲେ ଆନ୍ତରିକତା ନ ରହିବାରୁ ଏ ସବୁ ଏବେ ଫସର ଫାଟିଛି। ଯିଏ ଯେବେ ଚାହୁଛି ଏଠାରେ ଐତିହ୍ୟକୁ ନଷ୍ଟ କରିବାରେ ଲାଗିଛି। ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଏସ୍‌ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।