ଭୁବନେଶ୍ବର: ଇତିହାସ ସର୍ବଦା ନିର୍ବିକାର ହେବା ଆବଶ୍ୟକ। ତଥ୍ୟକୁ ଭ୍ରମାତ୍ମକ କରା ନଯାଇ ଉପଯୁକ୍ତ ଢଙ୍ଗରେ ପରିବେଷଣ କରାଗଲେ ଏହା ଗବେଷଣା ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଆତ୍ମଜୀବନୀ ହେଉଛି ସମକାଳୀନ ଇତିହାସ। ଉତ୍ତର ପିଢ଼ି ନିଜ ଜାତି ସମ୍ପର୍କରେ ଜାଣିବା ଲାଗି ଆତ୍ମଜୀବନୀ ପାଠ କରିବା ଗୁରୁତ୍ବପୂର୍ଣ୍ଣ। ଏଣୁ ପ୍ରତ୍ୟେକ ବ୍ୟକ୍ତି ଆତ୍ମଜୀବନୀ ଲେଖିବା ଜରୁରି। ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଂଜନଙ୍କ ଆତ୍ମଜୀବନୀ ‘ସମୟ ସମୁଦ୍ର ସ୍ବର୍ଗଦ୍ବାର’ ପୁସ୍ତକର ଉନ୍ମୋଚନ ଅବସରରେ ଅତିଥିମାନେ ଏହା କହିଛନ୍ତି।
ଜୟଦେବ ଭବନରେ ଆୟୋଜିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ପ୍ରଶାନ୍ତ ନନ୍ଦ କହିଲେ, ଆତ୍ମଜୀବନୀ ଲେଖିବା କଷ୍ଟକର ବ୍ୟାପାର। ସିନେମା ହଲ୍କୁ ଦର୍ଶକଙ୍କୁ ନେବା ଯେଭଳି କଷ୍ଟକର, ଜଣେ ପାଠକକୁ ଗୋଟିଏ ପୃଷ୍ଠାରୁ ଆଉ ଗୋଟିଏ ପୃଷ୍ଠାକୁ ନେବା ମଧ୍ୟ ସେଭଳି କଷ୍ଟକର। କେବଳ ନିଜ କଥା ଉଲ୍ଲେଖ ନକରି ସତ ଲେଖିବାର ସାମର୍ଥ୍ୟ ଆତ୍ମଜୀବନୀରେ ରହିଥାଏ ବୋଲି ଶ୍ରୀ ନନ୍ଦ କହିଥିଲେ।
ମୁଖ୍ୟବକ୍ତା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଆମର ଜାତିର ଇତିହାସକୁ ତଥା ଆମର ଅତୀତକୁ ଭିନ୍ନ ରୂପରେ ଉପସ୍ଥାପନ ପାଇଁ ଉଦ୍ୟମ ଚାଲିଛି। ଆମେ ସାଂପ୍ରତିକ ପରିସ୍ଥିତିରେ ରାଜନୈତିକ ଚାପରେ ସ୍ବର ଉତ୍ତୋଳନ କରିବାକୁ ଚେଷ୍ଟା କରି ମଧ୍ୟ ସଫଳ ହେଉନାହୁଁ। ସେଭଳି ପରିସ୍ଥିତିରୁ ମୁକୁଳିବା ଲାଗି ଆତ୍ମଜୀବନୀ ଭଳି ମହୌଷଧିର ବିକଳ୍ପ ନାହିଁ। ଏଣୁ ଅଧ୍ୟାପକ ଓ ଇତିହାସ ସଚେତନ ବ୍ୟକ୍ତିବିଶେଷମାନେ ଆତ୍ମଜୀବନୀ ରଚନା କରିବା ଜରୁରି। ସମ୍ମାନିତ ବକ୍ତା ପ୍ରଶାସକ ଦେବପ୍ରସାଦ ଦାଶ ପୁସ୍ତକର ସମୀକ୍ଷା କରି କହିଲେ, ଆତ୍ମଜୀବନୀ ହେଉଛି ଜଣେ ବ୍ୟକ୍ତିର ସମଗ୍ର ସତ୍ତା ବା ଜୀବନ କାଳର ବର୍ଣ୍ଣନ। ସାଧାରଣତଃ ଆତ୍ମଜୀବନୀ ରଚନା ସମୟରେ ଲେଖକମାନେ ଆତ୍ମବଡ଼ିମାକୁ ଉଲ୍ଲେଖ କରିଥାନ୍ତି। ମାତ୍ର ଅଧ୍ୟାପକ ବିଶ୍ବରଂଜନଙ୍କ ଆତ୍ମଜୀବନୀରେ ଅହଙ୍କାର ଓ ଆତ୍ମଗର୍ବ ସ୍ଥାନ ନପାଇବା ଏକ ବ୍ୟତିକ୍ରମ ବୋଲି ମତ ଦେଇଥିଲେ। ଅଧ୍ୟାପକ ବିଶ୍ବରଂଜନ ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ପ୍ରଫେସର ଅଜିତ କୁମାର ମହାନ୍ତି ସଭାରେ ଅଧ୍ୟକ୍ଷତା କରି କହିଲେ, ଜୀବନ ଓ ଜୀବନୀ କେବଳ ସ୍ମୃତିର ସମାହାର। ଅନୁଭବର ପ୍ରତ୍ୟେକ ମୁହୂର୍ତ୍ତ ଶୀଘ୍ର ଅତିକ୍ରାନ୍ତ ହୋଇଯାଏ। ଯାହା ରହିଯାଏ ତାହା କେବଳ ସ୍ମୃତି। ସେହି ସ୍ମୃତିର ରୋମନ୍ଥନ ମଣିଷକୁ ଅଫୁରନ୍ତ ଆନନ୍ଦ ଦେଇଥାଏ। କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ସଭା ପରିଚାଳନା କରିଥିଲେ। ପ୍ରକାଶକ ବିଜୟ ପ୍ରସାଦ ମହାପାତ୍ର ଧନ୍ୟବାଦ ଦେଇଥିଲେ।