ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ସାମନ୍ତରାପୁରଠାରେ ମିଠା ବ୍ୟବସାୟୀ ପ୍ରଭାକର ସାହୁ ଓରଫ ଜମ୍ବୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କମିସନରେଟ୍ ପୁଲିସ। ବିଚ୍ ରାଜରାସ୍ତାରେ ଜଣେ ନିରୀହ ଗରିବ ବେପାରୀଙ୍କୁ ହତ୍ୟା କରିବା ପାଇଁ ୨ ସୁପାରି କିଲର୍ଙ୍କୁ ନିୟୋଜିତ କରାଯାଇଥିବା ସ୍ପଷ୍ଟ ହୋଇଛି। ସୁପାରି କିଲର୍ ଶ୍ରୀତିକ୍ ବିଶ୍ବାଳ ଓ ଆଶୁତୋଷ ମହାନ୍ତି ଅଗ୍ରୀମ ଆକାରରେ ମାତ୍ର ୧୦ ହଜାର ଟଙ୍କା ନେଇ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିଲେ। ଏହା ପୂର୍ବରୁ ସେମାନେ ରାଜ୍ୟରେ ଆହୁରି କିଛି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି ଓ ପୁଲିସ ତଦନ୍ତ ଜାରି ରହିଛି। ଯଦିଓ ସୁପାରି କିଲର୍ ଦ୍ବାରା ହତ୍ୟାକାଣ୍ଡ ରାଜଧାନୀ ପାଇଁ ନୂଆ ନୁହେଁ, ତେବେ ଜମ୍ବୁ ହତ୍ୟାକାଣ୍ଡ ବେଶ୍ ବହୁ ଦିନ ପରେ ହୋଇଥିବାରୁ ଓ ଏଥିରେ ରାଜଧାନୀର ଦୁର୍ବୃତ୍ତ ସମ୍ପୃକ୍ତ ଥିବାରୁ ଏହି କାଣ୍ଡ ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ରାଜଧାନୀରେ ସୁପାରି କିଲର୍ ଟ୍ରେଣ୍ଡ୍ ବେଶ୍ ପୁରୁଣା ଓ ଇତିହାସ ବେଶ୍ ଲମ୍ବା ମଧ୍ୟ। ଅନେକ ମାମଲାରେ ସମ୍ପୃକ୍ତ ସୁପାରି କିଲର୍ ଏବେ ମଧ୍ୟ ଫେରାର୍ ଅଛନ୍ତି। ରାଜଧାନୀରେ ହତ୍ୟାକାଣ୍ଡରେ ସୁପାରି କିଲର ନିୟୋଜିତ ଘଟଣା କେବେ ଆରମ୍ଭ ହୋଇଥିଲା, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ବହୁଚର୍ଚ୍ଚିତ ଝାରପଡ଼ା ମଙ୍ଗରାଜ-ଜେନା ପରିବାର ବିବାଦ ସମୟରୁ ଏହି ଟ୍ରେଣ୍ଡ୍ ଆରମ୍ଭ ହୋଇଥିବା କୁହାଯାଏ। କୁନା ମଙ୍ଗରାଜ ହତ୍ୟାକାଣ୍ଡରେ ବିହାରର ସୁପାରି କିଲର୍ ମହମ୍ମଦ ହନିଫ୍ ଗିରଫ ହୋଇଥିଲା। ସେହିଭଳି ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ତ୍ରିପାଠୀ ଓ ତାଙ୍କ ପତ୍ନୀ ଜୟଶ୍ରୀ ଡବଲ ମର୍ଡର୍ ମାମଲାରେ ବଙ୍ଗୀୟ ସୁପାରି କିଲର ନିୟୋଜିତ ହୋଇଥିବା ଜଣାପଡ଼ିଥିଲା। ରାଜଧାନୀର କିଛି ସୁପାରି କିଲର୍ ନିୟୋଜିତ ମାମଲାକୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା।
କୁନା ମଙ୍ଗରାଜ ହତ୍ୟାକାଣ୍ଡ
୨୦୦୪ ମସିହାରେ ରାଜଧାନୀର ବହୁଚର୍ଚ୍ଚିତ ଝାରପଡ଼ା କୁନା ମଙ୍ଗରାଜ ହତ୍ୟାକାଣ୍ଡରେ ପ୍ରଥମ ସୁପାରି କିଲର୍ ନିୟୋଜିତ ହୋଇଥିବା କୁହାଯାଏ। ଜାମ୍ସେଦପୁରର ସୁପାରି କିଲର ମହମ୍ମଦ ହନିଫ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ୨୦୧୧ରେ ଏକ ଲୁଟ୍ ମାମଲାରେ ପୁଲିସ ତାକୁ ଖୋଜୁଥିବାବେଳେ ମଞ୍ଚେଶ୍ବରରେ ତାକୁ ଏନ୍କାଉଣ୍ଟର୍ କରାଯାଇଥିଲା।
ଜେଲ୍ ଭିତରୁ ହାଇଦର ଦେଇଥିଲା ସୁପାରି
ବହୁ ଚର୍ଚ୍ଚିତ ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର୍ ହାଇଦର୍ ଝାରପଡ଼ା ଜେଲ୍ ଭିତରେ ରହି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ରଶ୍ମିରଞ୍ଜନଙ୍କୁ ଅପହରଣ କରିବା ପରେ ଝାଡ଼ଖଣ୍ଡର ସୁନାହାଟରେ ହତ୍ୟା କରି ଜାଳି ଦେଇଥିଲେ ଅପରାଧୀ। ୨୦୦୭ ମେ’ ମାସରେ ଘଟିଥିବା ଏହି ହତ୍ୟାକାଣ୍ଡରେ ହାଇଦର୍ର ସହଯୋଗୀମାନଙ୍କ ସହ ବିହାର ସୁପାରି କିଲର୍ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା।
ସୁପାରି ଦେଇଥିଲେ କି ଅନୁପ ସାଏ ?
ବହୁଚର୍ଚ୍ଚିତ ଝାରସୁଗୁଡ଼ାର କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ଡବଲ୍ ମର୍ଡର୍ ଘଟଣାରେ ଛତିଶଗଡ଼ ଚକ୍ରଧରନଗର ପୁଲିସ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭରଙ୍କୁ ୨୦୨୦ ଫେବ୍ରୁଆରି ୧୪ରେ ଗିରଫ କରିଥିଲା। ଏହି ହତ୍ୟାକାଣ୍ଡରେ ଅନୁପ ସାଏଙ୍କ ସମେତ ଆହୁରି ଅଧିକ ଅଭିଯୁକ୍ତ ଓ ସୁପାରି କିଲରଙ୍କ ସମ୍ପୃକ୍ତି ଥିବା ଛତିଶଗଡ଼ ପୁଲିସ ସନ୍ଦେହ କରିଥିଲା। ସବୁଠୁ ବଡ଼ କଥା ହେଲା, ୨୦୧୬ ଏପ୍ରିଲ୍ରେ ଘଟିଥିବା ଏହି ହତ୍ୟାକାଣ୍ଡର ବ୍ଲୁ-ପ୍ରିଣ୍ଟ ଭୁବନେଶ୍ବରରୁ ତିଆରି ହୋଇଥିଲା। କଳ୍ପନା ସ୍ବାମୀଙ୍କୁ ଛାଡ଼ି ଅନୁପ ସାଏଙ୍କ ସହ ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳରେ ଏକ ଫ୍ଲାଟରେ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ରହୁଥିଲେ।
ଆଗରୁ ଆମଦାନୀ ହେଉଥିଲେ, ଏବେ ଏଠାରେ ମିଳୁଛନ୍ତି
ଆଗରୁ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶରୁ ସୁପାରି କିଲର୍ ଆମଦାନୀ ହେଉଥିଲେ। ସେମାନଙ୍କ ଚାହିଦା ଅଧିକ ଥିଲା, କାରଣ ହତ୍ୟାକାଣ୍ଡ ପରେ ସେମାନଙ୍କୁ ଗିରଫ କରିବା ପୁଲିସ ପାଇଁ କାଠିକର ପାଠ ହେଉଥିଲା। ଏମିତିକି ଧରାପଡ଼ିଲେ ମଧ୍ୟ ତଦନ୍ତ ଓ ବିଚାର ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ଥାଏ ବୋଲି କହିଛନ୍ତି ଆଇନଜୀବୀ ବନ ମହାନ୍ତି। କିନ୍ତୁ ସେମାନଙ୍କ ପାଉଣା ଥିଲା ବେଶ୍ ଉଚ୍ଚା। ମାତ୍ର ଏବେ ଓଡ଼ିଶାରେ ଗଦାଗଦା ସୁପାରି କିଲର୍। ସେମାନଙ୍କ ଦାମ୍ ମଧ୍ୟ ବେଶି ନୁହେଁ। ଯେମିତି ମିଠା ଦୋକାନୀ ଜମ୍ବୁକୁ ମାତ୍ର ୫୦ ହଜାର ଟଙ୍କାରେ ହତ୍ୟା କରିବା ପାଇଁ ସୁପାରି କିଲର୍ ରାଜି ହୋଇଥିଲେ।
୨୦୦୫ ଅଗଷ୍ଟ ୧୨: କଳ୍ପନା ଫ୍ଲାଟ୍ ଡବଲ ମର୍ଡର୍ ଘଟଣାରେ ହତ୍ୟାର ଶିକାର ହୋଇଥିଲେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ତ୍ରିପାଠୀ ଓ ତାଙ୍କ ପତ୍ନୀ ଜୟଶ୍ରୀ। ଏହି ମାମଲାରେ ପଶ୍ଚିମବଙ୍ଗର ସୁପାରି କିଲର୍ ନିୟୋଜିତ ହୋଇଥିଲେ।
୨୦୦୮ ଏପ୍ରିଲ ୨୪: ମଞ୍ଚେଶ୍ବର ଥାନା ଅଞ୍ଚଳରେ ଆଇଟିଆଇ ଛାତ୍ର ପ୍ରୀତମ ପ୍ରିୟଦର୍ଶୀଙ୍କୁ ବିଭତ୍ସ ଭାବେ ହତ୍ୟା କରି କାଜୁ ଜଙ୍ଗଲରେ ପୋତି ଦିଆଯାଇଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୯ ଜଣ ଗିରଫ ହୋଇଥିଲେ। ସ୍ଥାନୀୟ ଅଞ୍ଚଳର କିଛି ଅପରାଧୀ ସୁପାରି କିଲର୍ଭାବେ ନିୟୋଜିତ ହୋଇଥିବା ଅଭିଯୋଗ ହୋଇଥିଲା।
୨୦୦୯ ନଭେମ୍ବର ୧: ଝାରପଡ଼ା ଜେଲ୍ ୱାର୍ଡର ମାନସ ନାୟକଙ୍କୁ ଗୁଳି କରି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକ୍ରମ ମଲ୍ଲିକ ଜେଲ୍ ଭିତରେ ଥାଇ ସୁପାରି କିଲର୍ଙ୍କ ଜରିଆରେ ଏହି କାଣ୍ଡ ଘଟାଇଥିଲା।
୨୦୧୦ ଡିସେମ୍ବର ୨୮: ବିଜେବି ନଗରରେ ଜନୈକ ବିଲ୍ଡରଙ୍କ ଘରେ ଗୁଳିକାଣ୍ଡ ଘଟାଇଥିଲେ ଝାରସୁଗୁଡ଼ାର ୩ ସୁପାରି କିଲର୍।
୨୦୧୧ ଜାନୁଆରି ୨୩: ଯାଁଳା ନିକଟରେ ଘଟିଥିବା କୋରିଅର୍ ମ୍ୟାନେଜର୍ ଦେବାଶିଷ ମହାନ୍ତି ହତ୍ୟାକାଣ୍ଡରେ ସୁପାରି କିଲର୍ଙ୍କ ହାତ ଥିବା ସନ୍ଦେହ ହୋଇଥିଲା।
୨୦୧୫ ଜାନୁଆରି ୪: ଭାଇଜାଗ୍ ଷ୍ଟିଲ୍ ପ୍ଲାଣ୍ଟ ଏଜିଏମ୍ ଆଇ ପ୍ରସାଦ ରାଓଙ୍କୁ ବିଭତ୍ସ ହତ୍ୟା ପରେ ସୈନିକ ସ୍କୁଲ ପଛ ପାଖରେ ଫିଙ୍ଗି ଦିଆଯାଇଥିଲା। ଏହି ମାମଲାରେ ମଧ୍ୟ ସୁପାରି କିଲରଙ୍କୁ ନିୟୋଜିତ କରାଯାଇଥିଲା।