ରାଜଧାନୀରେ ଚାଞ୍ଚଲ୍ୟ : ହାଇଟେକ୍ ପ୍ଲାଜା ସିକ୍ୟୁରିଟି ସୁପରଭାଇଜର୍‌ଙ୍କୁ ଅପହରଣ, ବନ୍ଧୁକ ଦେଖାଇ ଉଠାଇନେଲେ

ଚଳନ୍ତା ଗାଡ଼ିରେ ନିର୍ଧୂମ୍‌ ଛେଚିଲେ, ୫ ଘଣ୍ଟା ପରେ ଉଦ୍ଧାର
ପୁଲିସର ବିଶ୍ବାସ ହେଉନି

ପୁରୁଣା ଭୁବନେଶ୍ୱର : ସଟ୍‌ଡାଉନ୍‌ର ଦ୍ବିତୀୟ ଦିନ। ରବିବାର ହୋଇଥିଲେ ହେଁ ଦୋକାନ, ବଜାର ସବୁ ବନ୍ଦ ରହିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ତେଣୁ ଭୋର୍‌ ପ୍ରାୟ ସାଢ଼େ ୬ଟା ବେଳକୁ ରାଜଧାନୀର ନିଦ ପୂରା ଭାଙ୍ଗି ନଥିଲା। ୟା’ରି ଭିତରେ କିଛି ଦୁର୍ବୃତ୍ତ ବନ୍ଧୁକ, ଖଣ୍ଡା ଓ ଭୁଜାଲି ଦେଖାଇ ଜଣେ ଯୁବକଙ୍କୁ ଅପହରଣ କରିନେଇଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ବଲିଉଡ୍‌ ଚଳଚ୍ଚିତ୍ରର କୌଣସି ଅପହରଣ ଦୃଶ୍ୟ ଭଳି ସୁନ୍ଦରପଦାସ୍ଥିତ ହାଇଟେକ୍‌ ପ୍ଲାଜାର ସିକ୍ୟୁରିଟି ସୁପର୍‌ଭାଇଜର୍‌ କୈବଲ୍ୟରାଜ ପଟ୍ଟନାୟକ ଓରଫ ଲୁନାଙ୍କୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ। ଖଣ୍ଡା ଓ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଆଖିରେ ଲଙ୍କାଗୁଣ୍ଡ ପକାଇ ଏକ କାର୍‌ରେ ଜୋରଜବରଦସ୍ତ ଉଠାଇନେଲେ। ବାଟରେ ତାଙ୍କୁ ନିର୍ଧୁମ୍‌ ମାଡ଼ ମାରିବା ସହ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲାଇଥିଲେ। ଶେଷରେ ବରମୁଣ୍ଡା ଓଭରବ୍ରିଜ୍‌ ତଳେ ଗାଡ଼ିରୁ ଓହ୍ଲାଇ ଦେଇ ଫେରାର୍‌ ହୋଇଯାଇଥିଲେ। ସଟ୍‌ଡାଉନ୍‌ରେ ଜଣେ ଯୁବକଙ୍କୁ ଅପହରଣ କରି ୫ଘଣ୍ଟା ଧରି ରାଜଧାନୀର ବିଭିନ୍ନ ସ୍ଥାନରେ ଗାଡ଼ି ବୁଲାଇବା ବେଳେ ପୁଲିସର ରାଡାର୍‌କୁ ନ ଆସିବା ରାଜଧାନୀବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବା ବେଳେ ପୁଲିସର ଚିନ୍ତା ବଢ଼ାଇ ଦେଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପହରଣ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ କିନ୍ତୁ ସହଜରେ ବିଶ୍ବାସ କରିପାରୁ ନାହିଁ। ତେବେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂଚନା ଅନୁସାରେ, ରାଜଧାନୀ ଉପକଣ୍ଠ ସୁନ୍ଦରପଦା ହାଇଟେକ୍‌ ପ୍ଲାଜା‌ରେ ଲୁନା ସିକ୍ୟୁରିଟି ସୁପରଭାଇଜର୍‌ ଭାବେ କାମ କରନ୍ତି। ସେହି ଆପାର୍ଟମେଣ୍ଟରେ ରହୁଥିବା ରାଜା ମଲ୍ଲିକଙ୍କ ସହ ପୂର୍ବରୁ ଲୁନାଙ୍କ ଝଗଡ଼ା ହୋଇଥିଲା। ଦୁଇ ଦିନ ପୂର୍ବରୁ ରାଜା ମଦ୍ୟପାନ କରି ବିଳମ୍ବିତ ରାତିରେ ଫେରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ରାଜା ଆପାର୍ଟମେଣ୍ଟ ନିୟମ ଭଙ୍ଗ କରିଥିବା ନେଇ ଆପାର୍ଟମେଣ୍ଟ୍‌ ସୋସାଇଟିକୁ ଲୁନା ଖବର ଦେଇଥିଲେ। ଏହାକୁ ନେଇ ରାଜାଙ୍କୁ ଅପମାନିତ ହେବାକୁ ପଡ଼ିଥିଲା। ଆଜି ସେହି ରାଗରେ ରାଜା ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

The Hans India

ଲୁନାଙ୍କ କହିବା ଅନୁଯାୟୀ, ରାଜାର ତିନି ଜଣ ସହଯୋଗୀ ସକାଳୁ ଖଣ୍ଡା ଓ ବନ୍ଧୁକ ମୁଣ୍ଡରେ ଲଗାଇବା ସହ ଆଖିରେ ଲଙ୍କାଗୁଣ୍ଡ ପକାଇ ଏକ କାର୍‌ରେ ଅପହରଣ କରି ନେଇଥିଲେ। ବାଟରେ ମାଡ଼ ମାରିବା ସହ ଆଉ ଗୋଟେ ଗାଡ଼ିରେ ବସାଇଥିଲେ। ବିଭିନ୍ନ ଅଞ୍ଚଳ ବୁଲାଇବା ପରେ ବରମୁଣ୍ଡା ଓଭରବ୍ରିଜ୍‌ ତଳେ ଛାଡ଼ି ଫେରାର୍‌ ହୋଇଯାଇଥିଲେ। ଆପାର୍ଟମେଣ୍ଟର ଅନ୍ୟ ସିକ୍ୟୁରିଟି ଗାର୍ଡଙ୍କ କହିବା ଅନୁସାରେ, ତିନି ଜଣ ଯୁବକ ଭୁଜାଲି ଦେଖାଇ ଲୁନାଙ୍କୁ ମାଡ଼ ମାରି ଅପହରଣ କରି ନେଇଥିଲେ। ଘଟଣା ପ୍ରଘଟ ପରେ ଲୁନା‌ଙ୍କ ପତ୍ନୀ ପ୍ରଥମେ ସକାଳୁ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍‌କୁ ଆଧାର କରି ଅପହର୍ତ୍ତାଙ୍କୁ ଚିହ୍ନଟ କରିବା ପରେ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲା। ଦିନ ପ୍ରାୟ ୧୧ଟାରେ ଅପହର୍ତ୍ତାମାନେ ଲୁନାଙ୍କୁ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି। ଅପହର୍ତ୍ତାଙ୍କ କବଳରୁ ମୁକୁଳିବା ପରେ ଲୁନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ କହିଛନ୍ତି, ଏପରି ଅପହରଣ ଘଟଣା ବିଶ୍ବାସ ହେଉନାହିଁ। ଲୁନାଙ୍କୁ ପଚରାଉଚରା ଚାଲିଛି। କିନ୍ତୁ ସିସିଟିଭିରେ ସେମିତି କିଛି ନାହିଁ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର