ରାଜ୍ୟରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ଟପିଲା

ଭୁବନେଶ୍ବର: ରାଜ୍ୟରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପି ଯାଇଛି। ୨୦୧୯/୨୦ ମସିହାରେ ୨୪୬୭ ନୂତନ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯୬ଜଣ ହେଉଛନ୍ତି ଯୁବ ବର୍ଗର। ୨୦୩୦ ମସିହା ସୁଦ୍ଧା ଦେଶରୁ ଏଚ୍‌ଆଇଭି/ଏଡ୍‌ସମୁକ୍ତ ଲକ୍ଷ୍ୟ ରହିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ଚିନ୍ତାର କାରଣ ପାଲଟିଛି।

ଗତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟରେ ୪୯ହଜାର ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଡିସେମ୍ବର ମାସ ଶେଷ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ୨୮୨ରେ ପହଞ୍ଚିଛି। ଗତ ୩ମାସରେ ୮୮୧ଜଣ ନୂତନ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ଏଚ୍‌ଆଇଭି ଆକ୍ରାନ୍ତ ହାର ୪୧ପ୍ରତିଶତ ରହିଛି। ରାଜ୍ୟର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଆଇସିଟିସି ଜରିଆରେ ମାଗଣାରେ ଏଚ୍‌ଆଇଭି ପରୀକ୍ଷା କରାଯାଉଛି। ଗ୍ରାମାଞ୍ଚଳରେ ଭିଏଚ୍‌ଏନ୍‌ଡି ଜରିଆରେ ମଧ୍ୟ ସ୍କ୍ରିନିଂ କରାଯାଉଛି। ଏହାସହ ବିଭିନ୍ନ ଏନ୍‌ଜିଓ ସଂସ୍ଥାମାନଙ୍କ ଜରିଆରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଏଚ୍‌ଆଇଭି ସ୍କ୍ରିନିଂ କରାଯାଉଛି।
ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ୍ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ସ୍କ୍ରିନିଂକୁ ଏବେ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି। ଫଳରେ ଲୋକମାନେ ସ୍ବେଚ୍ଛାକୃତ ଭାବେ ସ୍କ୍ରିନିଂ କରିବା ପାଇଁ ଆଗଭର ହେଉଛନ୍ତି। ରାଜ୍ୟରେ ଏଚ୍‌ଆଇଭି ସଂକ୍ରମଣ କ୍ଷେତ୍ରରେ ୩ ପ୍ରତିଶତ ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର