ସମସ୍ୟା ବଢ଼ାଇଛି ଲକ୍‌ଡାଉନ୍: ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଖରେ ପହଞ୍ଚିପାରୁନି ଔଷଧ

ଚଳିତ ମାସରେ ଖୋର୍ଧା ଜିଲ୍ଲାରେ ଔଷଧ ପାଇନାହାନ୍ତି ୨୨୧ଜଣ

ଭୁବନେଶ୍ବର: ଲକ୍‌ଡାଉନ୍ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ସମସ୍ୟା ଆଣି ଦେଇଛି। ରାସ୍ତାଘାଟ‌ରେ ପୁଲିସ ପଇଁତରା ମାରୁଥିବାରୁ ସେମାନେ ଏଆରଟି କେନ୍ଦ୍ରରୁ ଔଷଧ ନେଇପାରୁ ନ ଥିବା ଅଭ‌ିଯୋଗ ହୋଇଛି। ଖୋର୍ଧା ଜିଲ୍ଲାରେ ଚଳିତ ମାସରେ ଶତାଧିକ ଏଚ୍‌ଆଇଭି ସଂକ୍ରମିତ ନିମୟିତ ଔଷଧ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିମାନେ କରୋନା ସଂକ୍ରମଣ ପାଇଁ ଅଧିକ ସମ୍ବେଦନଶୀଳ ଥିବାରୁ ଏହାକୁ ନଜରରେ ରଖି ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି (ନାକୋ) ପକ୍ଷରୁ ଏଚ୍‌ଆଇଭି ଆକ୍ରାନ୍ତଙ୍କ ନିକଟରେ ଅତି କମ୍‌‌ରେ ୩ ମାସର ଔଷଧ ମହଜୁଦ୍ ରଖିବା ପାଇଁ ସବୁ ରାଜ୍ୟର ସମିତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ରାଜ୍ୟରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଖୋର୍ଧା ଜିଲ୍ଲାରେ ୨୨୧ ଜଣ ଏଚ୍‌ଆଇଭି ଆକ୍ରାନ୍ତ ଚଳିତ ମାସରେ ସେମାନଙ୍କ ନିୟମିତ ଔଷଧ ପାଇ ନାହାନ୍ତି। ଗତ ୩ ମାସ‌ରେ ୨୭୮ ଜଣ ଆକ୍ରାନ୍ତ ବିଭିନ୍ନ କାରଣରୁ ଔଷଧ ପାଇପାରି ନାହାନ୍ତି। ଖୋର୍ଧା ଜିଲ୍ଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏଆରଟି କେନ୍ଦ୍ର ରହିଛି। ଏହିଠାରୁ ଆକ୍ରାନ୍ତମାନେ ଔଷଧ ସଂଗ୍ରହ କରିଥାନ୍ତି। ଲକ୍‌ଡାଉନ୍‌ ଏଥିପାଇଁ ମୁଖ୍ୟ ସମସ୍ୟା ପାଲଟିଥିବା କୁହାଯାଉଛି। ଯେଉଁ ଆକ୍ରାନ୍ତମାନଙ୍କ ଆଧେରାନ୍ସ ସ୍ତର ୯୦ ପ୍ରତିଶତରୁ ଅଧିକ ରହିଥିବ, ସେମାନଙ୍କୁ ୩ ମାସର ଔଷଧ ପ୍ରଦାନ କରାଯାଇଥାଏ। ମାତ୍ର ଯେଉଁ ବ୍ୟକ୍ତିମାନଙ୍କର ଏହି ସ୍ତର ୯୦ ପ୍ରତିଶତରୁ କମ୍ ରହିଥାଏ, ସେମାନଙ୍କୁ ୧ମାସ ପାଇଁ ଔଷଧ ଦିଆଯାଇଥାଏ। ତେବେ ଲକ୍‌ଡାଉନ୍ ପାଇଁ ଏଚ୍‌ଆଇଭି ଆକ୍ରାନ୍ତମାନେ ଯେପରି ଔଷଧରୁ ବଞ୍ଚିତ ନ ହେବେ, ସେଥିପାଇଁ ଓସାକ୍ସ ପକ୍ଷରୁ ସମନ୍ବିତ କାଉନସେଲିଂ ଓ ପରୀକ୍ଷା କେନ୍ଦ୍ର (ଆଇସିଟିସି)କୁ ଔଷଧ ପଠାଯିବା କଥା। ଖୋର୍ଧା ଜିଲ୍ଲାରେ ଏହାର ୧୫ଟି କେନ୍ଦ୍ର ରହିଛି। ମାତ୍ର ଏ ପର୍ଯ୍ୟନ୍ତ ଆଇସିଟିସିରେ ଔଷଧ ପହଞ୍ଚି ନ ଥିବା କିଛି ଏଚ୍‌ଆଇଭି ଆକ୍ରାନ୍ତ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲ ଏଆରଟି କେନ୍ଦ୍ରରେ କରୋନାର ମୁକାବିଲା ପାଇଁ ଅତ୍ୟାବଶ୍ୟକ ସାନିଟାଇଜର୍‌ ମଧ୍ୟ ନ ଥିବା ଅଭିଯୋଗ ହୋଇଛି। କ୍ୟାପିଟାଲ ହସ୍ପିଟାଲ ଏଆରଟି କେନ୍ଦ୍ରର ମେଡିକାଲ ଅଧିକାରୀ ଡା. ବି.ଏନ୍ ତ୍ରିପାଠୀ କହିଛନ୍ତି, ଏଚ୍‌ଆଇଭି ଆକ୍ରାନ୍ତମାନଙ୍କୁ ଏକ ସବୁଜ ରଂଗର ପାସବୁକ୍ ପ୍ରଦାନ କରାଯାଇଛି। ଲକ୍‌ଡାଉନ୍ ସମୟରେ ସେମାନେ ପୁଲିସକୁ ଏହି ପାସବୁକ୍ ଦେଖାଇପାରିବେ ଓ ଏଆରଟି କେନ୍ଦ୍ରକୁ ଆସି ଔଷଧ ନେଇପାରିବେ। ଯେଉଁ ଆକ୍ରାନ୍ତମାନେ ରାଜଧାନୀରେ ରହୁଛନ୍ତି ଓ ଗାଡ଼ି ଥିଲେ ସେମାନଙ୍କ ପାଇଁ କୌଣସି ସମସ୍ୟା ନାହିଁ। ତେବେ ଜିଲ୍ଲାର ଅନ୍ୟ ସ୍ଥାନରେ ରହୁଥିବା ଆକ୍ରାନ୍ତମାନଙ୍କ ପାଇଁ ସମସ୍ୟା ଉପୁଜୁଛି। ଏଥିପାଇଁ ଫିଲ୍‌ଡ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ସେମାନେ ନିକଟସ୍ଥ ଆଇସିଟିସି କେନ୍ଦ୍ରରେ ଔଷଧ ପହଞ୍ଚାଇବାକୁ କୁହାଯାଇଛି। ଏଚ୍‌ଆଇଭିକୁ ନେଇ ସମାଜ ଓ ଲୋକମାନଙ୍କ ଭିତରେ ଭେଦଭାବ ରହୁଥିବାରୁ ଏଥିରେ ଏଚ୍‌ଆଇଭି ଆକ୍ରାନ୍ତ ପରିଚୟ ପ୍ରଘଟ ହେବାର ମଧ୍ୟ ଆଶଙ୍କା ରହିଛି। ଏହା ସତ୍ତ୍ବେ ଔଷଧ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। କରୋନା ପାଇଁ ଗାଁ ଲୋକମାନେ ନିଜ ନିଜ ଅଞ୍ଚଳରେ ସଜାଗ ରହୁଥିବାରୁ ଏଥିରୁ ସମସ୍ୟା ଉପୁଜିପାରେ। ଅନେକ ଆକ୍ରାନ୍ତ ମଧ୍ୟ ଔଷଧ ନେବାରେ ଅବହେଳା କରିଥାନ୍ତି। ସେମାନଙ୍କ ପାଇଁ ଲକ୍‌ଡାଉନ୍‌ ଏକ ବାହାନା ପାଲଟିଛି ବୋଲି ଡା. ତ୍ରିପାଠୀ ସୂଚନା ଦେଇଛନ୍ତି।
ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ କହିଛନ୍ତି, ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ଗତକାଲି ସୁଦ୍ଧା ଏଆରଟି କେନ୍ଦ୍ରକୁ ୬ମାସର ଔଷଧ ଯୋଗାଇ ଦିଆଯାଇଛି। ଏଆରଟି କେନ୍ଦ୍ରରୁ ଲିଙ୍କ ଏଆରଟି କେନ୍ଦ୍ର ପାଇଁ ମଧ୍ୟ ଔଷଧ ଯୋଗାଇ ଦିଆଯାଇଛି। ଆକ୍ରାନ୍ତଙ୍କ ପାଖରେ ୩ ମାସର ଔଷଧ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ତେବେ ଯେଉଁଠା‌ରେ ଔଷଧ ପହଞ୍ଚିପାରି ନାହିଁ, ସେଠାରେ ସିଡିଏମ୍‌ଓମାନଙ୍କୁ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ସେମାନେ ପ୍ରଶାସନଠାରୁ ଅନୁମତି ଆଣି ଆକ୍ରାନ୍ତଙ୍କ ଘରେ ଔଷଧ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି। ଏପରିକି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ପାଖରେ ଔଷଧ ପହଞ୍ଚି ସାରିଛି। ରାଜ୍ୟର ଯେତିକି ଔଷଧର ଆବଶ୍ୟକତା ରହିଛି, ନାକୋକୁ ଏ ସଂପର୍କରେ ସୂଚନା ଦିଆଯାଇଛି। ଆସନ୍ତା ୪/୫ଦିନ ଭିତରେ ଔଷଧ ପହଞ୍ଚିଯିବ। ତେବେ ଖୋର୍ଧା ଜିଲ୍ଲାରେ ଏତେ ସଂଖ୍ୟାରେ ଏଚ୍‌ଆଇଭି ଆକ୍ରାନ୍ତ ଔଷଧ ପାଇ ନ ଥିବା କଥାରେ ସତ୍ୟତା ନାହିଁ। କିଛି ଲୋକ ଗମନାଗମନ ବାବଦ ଖର୍ଚ ମାଗୁଛନ୍ତି। ଓସାକ୍ସ ପକ୍ଷରୁ ଏହାକୁ ଦେବା ସମ୍ଭବ ନ ଥିବାରୁ ସେମାନେ ଏଭଳି ମିଥ୍ୟା କଥା ପ୍ରଚାର କରୁଛନ୍ତି ବୋଲି ଡା. ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର