ହୋର୍ଡିଂ କେଳେଙ୍କାରୀ: ୨୫ ସଂସ୍ଥାର ୧୦ କୋଟି ବାକି

ଭୁବନେଶ୍ବର: ବିଏମ୍‌ସି ଅଞ୍ଚଳରେ ହୋର୍ଡିଂ ଲଗାଇ କୋଟିକୋଟି ଟଙ୍କା ରୋଜଗାର କରୁଥିବା ବିଭିନ୍ନ ସଂସ୍ଥାଙ୍କୁ ଅନୁକମ୍ପା ଦେଖାଇଛି ବିଏମ୍‌ସି। ବର୍ଷବର୍ଷ ଧରି ସେମାନଙ୍କ ଉପରେ କୋଟି କୋଟି ଟଙ୍କା ବାକି ଗଡ଼ୁଥିଲେ ମଧ୍ୟ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରୁନାହାନ୍ତି। ପାଖାପାଖି ୨୫ ସଂସ୍ଥାକୁ ୧୦ କୋଟିରୁ ଊର୍ଦ୍ଧ୍ବ ଦେୟ ଛାଡ଼ି ବିଏମ୍‌ସି ଅଧିକାରୀମାନେ ଏବେ ବିବାଦକୁ ଆସିଛନ୍ତି। ଏହି ସଂସ୍ଥାଗୁଡ଼ିକ ମଧ୍ୟରୁ କେବଳ ୩ଟି ସଂସ୍ଥାର ବକେୟା ରାଶି ମୋଟ ବାକି ପଡ଼ିଥିବା ରାଶିର ଅଧାରୁ ଅଧିକ। ଏସ୍‌ପିଏଲ୍‌, ଟରେଣ୍ଟ ଆଡ୍‌ଭର୍ଟାଇଜର୍ସ ଓ ‌ସେଲ୍‌ଭେଲ୍‌ ସଂସ୍ଥାର ୫ କୋଟି ୮୫ ଲକ୍ଷ ୫୯ ହଜାର ୨୪୦ ଟଙ୍କା ବାକି ପଡ଼ିଛି। ଏହି ସବୁ ଘରୋଇ ସଂସ୍ଥାଙ୍କୁ ବିଏମ୍‌ସିର ଏତେ ଅନୁକମ୍ପା କାହିଁକି ବୋଲି ପ୍ରଶ୍ନ ଉଠିଛି। ବିଜ୍ଞାପନଦାତାଙ୍କ ପାଖରେ ଏହି ସଂସ୍ଥାମାନେ ଟଙ୍କାଟିଏ ବାକି ରଖୁ ନଥିବା ବେଳେ ବିଏମ୍‌ସି ପାଖରେ ଏହା ସମ୍ଭବ ହେଉଛି କିପରି? ବିଏମ୍‌ସି ଅଧିକାରୀମାନଙ୍କୁ ଏହି ସଂସ୍ଥାମାନେ କିଭଳି କରାୟତ୍ତ କରୁଛନ୍ତି? ଏକଥା ମୁଖିଆ ଜାଣି ପାରୁନାହାନ୍ତି ନା ସେ ମଧ୍ୟ ଏହି ଘରୋଇ ସଂସ୍ଥା-ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ସାମିଲ ଅଛନ୍ତି; ଏଭଳି ଅନେକ ପ୍ରଶ୍ନ ଏବେ ଦାୟିତ୍ବରେ ଥିବା ଅଧିକାରୀଙ୍କ ସମେତ କମିସନରଙ୍କୁ ବିବାଦକୁ ଟାଣିଛି।

ତାଲିକାର ଶୀର୍ଷରେ ଏସ୍‌ପିଏଲ୍‌, ଟରେଣ୍ଟ, ସେଲ୍‌ଭେଲ୍‌
କେବଳ ୩ ସଂସ୍ଥା ବାକି ରଖିଛନ୍ତି ୫ କୋଟିରୁ ଅଧିକ
ଘରୋଇ ସଂସ୍ଥାଙ୍କୁ ଏତେ ଅନୁକମ୍ପା କାହିଁକି?

ବିଏମ୍‌ସି ଅଞ୍ଚଳରେ ହୋର୍ଡିଂକୁ ନେଇ ଏକ ବଡ଼ କେଳେଙ୍କାରୀ ହୋଇଛି। ବିଏମ୍‌ସି ଅଧିକାରୀ-ଠିକାସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି। ହୋର୍ଡିଂ ଠିକା ଦିଆଯିବା ପରେ ସଂସ୍ଥା କେଉଁ ଜାଗାରେ କେତେ ହୋର୍ଡିଂ ଲଗାଇଲା, ତାହା ଦେଖିବାକୁ କେହି ଯାଆନ୍ତି ନାହିଁ। ମୋଟା ଅଙ୍କର ହାତଗୁଞ୍ଜା ନେଇ ଅଧିକାରୀମାନେ ବସି ପଡ଼ନ୍ତି। ଯେଉଁଠି ହାତଗୁଞ୍ଜା ନ ମିଳେ ବା ଓଲମ୍‌ ବିଲମ୍‌ ହୁଏ, ସେଠାରେ ବିଏମ୍‌ସିର ସ୍ବତନ୍ତ୍ର ସ୍କ୍ବାଡ୍‌ ଯାଇ ଚଢ଼ଉ କରେ ଏବଂ ହୋର୍ଡିଂ ସବୁକୁ ବେଆଇନ କହି ଛିଡ଼ାଇ ଦିଏ। ଏଭଳି ଅଭିଯୋଗ ଲଗାତାର ହେବା ପରେ ବିଏମ୍‌ସି ବିବାଦକୁ ଆସିଥିଲା। ଏତିକିବେଳେ ଏକ ଠିକା ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବା ପ୍ରମାଣ ମିଳିଥିଲା। ଅଜନ୍ତା ନାମକ ଏକ ସଂସ୍ଥା ବିଏମ୍‌ସି ଅଞ୍ଚଳରେ ହୋର୍ଡିଂ ଲଗାଇବାକୁ ୬ ହଜାର ବର୍ଗଫୁଟ୍‌କୁ ମାସିକ ୮୮ଲକ୍ଷ ଟଙ୍କା ହିସାବରେ ଠିକା ନେଇଥିଲା।

୨୦୨୦ ମସିହାରେ ଏହି ଟେଣ୍ଡର ହୋଇଥିଲେ ମଧ୍ୟ ଦୁଇବର୍ଷ ପରେ ସଂସ୍ଥା ବିଏମ୍‌ସି ସହ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲା। ତା’ଠାରୁ ଆହୁରି ବଡ଼ କଥା ହେଲା, ଚୁକ୍ତି କରିବାକୁ ୬ ମାସ ବିତିଥିଲେ ମଧ୍ୟ ଟଙ୍କାଟିଏ ଜମା କରିନଥିଲା। କିନ୍ତୁ ବିଜ୍ଞାପନ ଲଗାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସଂସ୍ଥା ବାଧ୍ୟ ହୋଇ କିଛି ପରିମାଣର ଅର୍ଥ ଜମା କରିଦେଇଥିଲା। ତଥାପି ଆଜି ସୁଦ୍ଧା ସମ୍ପୃକ୍ତ ସଂସ୍ଥାର ୪୬ ଲକ୍ଷ ୪୮ ହଜାର ୩୮୦ ଟଙ୍କା ବାକି ପଡ଼ିଛି। ସେହିଭଳି ଜନପଥରେ କିଛି ଜାଗାରେ ଅନଧିକୃତ ହୋର୍ଡିଂ/ବିଜ୍ଞାପନ ଲଗାଇ ବିବାଦକୁ ଆସିଥିବା ‘ମେଟ୍ରୋ ସାଇନ୍‌’ର ୬୧ଲକ୍ଷ ୮ହଜାର ୩୧୬ଟଙ୍କା ବାକି ପଡ଼ିଛି।

ବିଏମ୍‌ସିର ତଥ୍ୟ ଅନୁଯାୟୀ, ୨୫ ସଂସ୍ଥାଙ୍କର ୧୦ କୋଟି ୫୮ ଲକ୍ଷ ୨୪ ହଜାର ୨୪୧ ଟଙ୍କା ବାକି ପଡ଼ିଛି। ଏଥିରେ ତାଲିକାର ଶୀର୍ଷରେ ଥିବା ଟରେଣ୍ଟ ଆଡ୍‌ଭର୍ଟାଇଜର୍ସର ୨କୋଟି ୩ ଲକ୍ଷ ୯୧ହଜାର ୮୮୬, ଏସ୍‌ପିଏଲ୍‌ର ୧ କୋଟି ୮୫ ଲକ୍ଷ ୯୯ ହଜାର ୨୩୭ ଓ ‌ସେଲ୍‌ଭେଲ୍‌ ସଂସ୍ଥାର ୧ କୋଟି ୯୫ ଲକ୍ଷ ୫୯ ହଜାର ୨୪୦ ଟଙ୍କା ବାକି ପଡ଼ିଛି। ଏଭଳି ମୋଟା ଅଙ୍କର ବାକି ରଖିଥିବା ସଂସ୍ଥାଙ୍କ ମଧ୍ୟରେ ପ୍ରିନ୍ସର ୯୧ ଲକ୍ଷ ୭ ହଜାର ୫୨୭, ଭାରତ ଆଡ୍‌ଭର୍ଟାଇଜର୍ସର ୩୦ ଲକ୍ଷ ୮୪ ହଜାର ୨୦୨, ହିନ୍ଦୁସ୍ତାନର ୩୭ ଲକ୍ଷ ୨ ହଜାର ୬୧୦ ଟଙ୍କା ବାକି ପଡ଼ିଛି। ହିନ୍ଦୁସ୍ତାନ ସଂସ୍ଥା ପୂର୍ବରୁ ବିବାଦରେ ରହିଛି। ସିଟି ଇଞ୍ଜିନିୟର ଅରୁଣ ନାୟକ ଏହି ସଂସ୍ଥାକୁ ବିନା ଟେଣ୍ଡର୍‌ରେ ଜାଗା ମିସନ୍‌ ହୋର୍ଡିଂ ଲଗାଇବାକୁ କାର୍ଯ୍ୟାଦେଶ ଜାରି କରିଥିଲେ। ସିଟି ଇଞ୍ଜିନିୟର ଲୁଚି ଛପି ଏ ବାବଦକୁ ହୋଇଥିବା ୨ କୋଟିରୁ ଊର୍ଦ୍ଧ୍ବ ବିଲ୍‌ ସମ୍ପୃକ୍ତ ସଂସ୍ଥାକୁ ଦେଇ ଦେବାକୁ ବସିଥିଲେ। ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହି ବିଲ୍‌ ପ୍ରଦାନ କରାଯାଇନାହିଁ। ତେବେ ବାକି ପଡ଼ିଥିବା ୧୦ କୋଟି ୫୮ ଲକ୍ଷ ୨୪ ହଜାର ୨୪୧ ଟଙ୍କା ଆଦାୟ କରିବା ପାଇଁ ସମ୍ପୃକ୍ତ ୨୫ ସଂସ୍ଥାଙ୍କୁ ନୋଟିସ୍‌ ଦିଆଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର