ବିଏମ୍‌ସିରେ ହୋର୍ଡିଂ କେଳେଙ୍କାରୀ

ଭୁବନେଶ୍ବର: ପରିମଳ ବିଭ୍ରାଟ ନ ତୁଟୁଣୁ ଏବେ ବିଏମ୍‌ସିର ହୋର୍ଡିଂ କେଳେଙ୍କାରୀ ପଦାକୁ ଆସିଛି। ସହରର ବିଭିନ୍ନ ଜାଗାରେ ଲାଗୁଥିବା ହୋର୍ଡିଂରେ କୋଟି କୋଟି ଟଙ୍କା ହଡ଼ପ ହେଉଛି। ଗୋଟିଏ ସଂସ୍ଥା ଟେଣ୍ଡର ନେବାର ଦୁଇ ବର୍ଷ ପରେ ଚୁକ୍ତିନାମା କରିଛି। ଚୁକ୍ତିନାମା ହେବାର ୬ ମାସ ବିତିଲାଣି, ମାସକୁ ୮୮ ଲକ୍ଷ ଟଙ୍କା ହିସାବରେ ସଂସ୍ଥାକୁ ଟଙ୍କା ଜମା କରିବାର ଅଛି। ହେଲେ ଟଙ୍କାଟିଏ ଜମା କରିନାହିଁ। ବରଂ ସଂସ୍ଥା ବିଏମ୍‌ସିକୁ ଆବେଦନ କରିଛି କି ଗଛ ଥିବାରୁ ବିଜ୍ଞାପନ ହୋର୍ଡିଂ ଦୃଶ୍ୟମାନ ହେଉନାହିଁ। ଏଣୁ ଦର କମ୍‌ କରାଯାଉ। ଏହି ଆବେଦନ ଉପରେ ଏବେ ବିଏମ୍‌ସି ବିଚାର କରୁଛି। ଖୁବ୍‌ଶୀଘ୍ର ଏହି ଆବେଦନ ଉପରେ ମୋହର ବାଜିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଟେଣ୍ଡରର ୨ ବର୍ଷ ପରେ ଚୁକ୍ତିନାମା
୬ ମାସ ହେଲା ଭଡ଼ା ମିଳୁନି
ମାସିକ ୮୮ ଲକ୍ଷ ହିସାବରେ ଟିକସ ମିଳିବ ତ?
‌ ଦର କମାଇବା ପାଇଁ ବିଏମ୍‌ସିକୁ ଚିଠି

ଆଇନର ଗଳାବାଟ ଦେଇ ବିଏମ୍‌ସି ଅଧିକାରୀମାନେ ଆଇନକୁ ବାରମ୍ବାର ମୋଡ଼ୁଥିବାର ଦେଖିବାକୁ ମିଳୁଛି। ପରିମଳ ଟେଣ୍ଡର୍‌ରେ ଏମିତି କେ‌ଳେଙ୍କାରୀ ରହିଥିଲା। ପ୍ରଥମେ ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚୟନ କରିଦେଲେ। ଏଥିରେ ବ୍ୟାପକ ତ୍ରୁଟି ଥିବାରୁ ନୂଆ ଠିକା ସଂସ୍ଥାଙ୍କ ଦ୍ବାରା ସମ୍ପୂର୍ଣ୍ଣ ସଫେଇ କରିବା ସମ୍ଭବ ହେଲା ନାହିଁ। ଏହି ବାହାନାରେ ଏବେ ବିଏମ୍‌ସି ଟେଣ୍ଡର ସର୍ତ୍ତକୁ ସଂଶୋଧନ କରିବାକୁ ଯାଉଛି। ଏଥିପାଇଁ ମୋଟା ଅଙ୍କର ହାତଗୁଞ୍ଜା କାରବାରର ମଧ୍ୟ ଅଭିଯୋଗ ରହିଛି। ଠିକ୍‌ ସେହିଭଳି ହୋର୍ଡିଂ ପାଇଁ ହୋଇଥିବା ଟେଣ୍ଡର ଚୁକ୍ତିକୁ ଏବେ ସଂଶୋଧନ କରିବାକୁ ଯୋଜନା ହୋଇଛି। ଏଥିପାଇଁ ମଧ୍ୟ ମୋଟା ଅଙ୍କର କାରବାର ହୋଇଥିବା ଅଭିଯୋଗ ରହିଛି। ସେଥିପାଇଁ ସଂସ୍ଥା ପ୍ରତି ବିଏମ୍‌ସିର ଏଭଳି ଅନୁକମ୍ପା ରହିଥିବା କୁହାଯାଉଛି।

ଅନ୍ୟପଟେ ହୋର୍ଡିଂ ଠିକା ଦିଆଯିବା ପରେ ସଂସ୍ଥା କେଉଁ ଜାଗାରେ କେତେ ହୋର୍ଡିଂ ଲଗାଇଲା ତାହା ଦେଖିବାକୁ କେହି ଯାଆନ୍ତି ନାହିଁ। ମୋଟା ଅଙ୍କର ହାତଗୁଞ୍ଜା ନେଇ ଅଧିକାରୀମାନେ ବସି ପଡ଼ନ୍ତି। ଯେଉଁଠି ହାତଗୁଞ୍ଜା ନ ମିଳେ ବା ଓଲମ୍‌ ବିଲମ୍‌ ହୁଏ ସେଠାରେ ବିଏମ୍‌ସିର ସ୍ବତନ୍ତ୍ର ସ୍କ୍ବାଡ୍‌ ଯାଇ ଚଢ଼ଉ କରେ ଏବଂ ହୋର୍ଡିଂ ସବୁକୁ ବେଆଇନ କହି ଛିଡ଼ାଇ ଦିଏ। ଏବେ ମଧ୍ୟ ଅନୁରୂପ ଯୋଜନା ହୋଇଛି। ସଂସ୍ଥା କମ୍‌ ଦରରେ ଅଳ୍ପ ଜାଗା ନେଇ ଅଧିକ ଜାଗା ବ୍ୟବହାର କରିବାକୁ ବିଏମ୍‌ସି ଅଧିକାରୀଙ୍କ ସହ ଅଲିଖିତ ସନ୍ଧି ହୋଇଥିବା ଅଭିଯୋଗ ହୋଇଛି।

ଉଲ୍ଲେଖଯୋଗ୍ୟ, ଅଜନ୍ତା ନାମକ ଏକ ସଂସ୍ଥା ବିଏମ୍‌ସି ଅଞ୍ଚଳରେ ହୋର୍ଡିଂ ଲଗାଇବାକୁ ଠିକା ନେଇଛି। ହୋର୍ଡିଂ ପାଇଁ ୬ ହଜାର ବର୍ଗଫୁଟ୍‌କୁ ମାସିକ ୮୮ଲକ୍ଷ ଟଙ୍କା ହିସାବରେ ବିଏମ୍‌ସିକୁ ଦେବାକୁ ଚୁକ୍ତି ହୋଇଛି। ୨୦୨୦ ମସିହାରେ ଏହି ଟେଣ୍ଡର ହୋଇଥିଲେ ମଧ୍ୟ ଚଳିତ ବର୍ଷ ଜାନୁଆରି ମାସରେ ସଂସ୍ଥା ବିଏମ୍‌ସି ସହ ଚୁକ୍ତି କରିଛି। ଚୁକ୍ତି କରିବାକୁ ୬ ମାସ ବିତିଥିଲେ ମଧ୍ୟ ଟଙ୍କାଟିଏ ଜମା କରିନାହିଁ। ବିଜ୍ଞାପନ ଲାଗିବା ପରେ ବିଭିନ୍ନ ଜାଗାରେ ଗଛ ଥିବାରୁ ଦିଶୁନାହିଁ। ଏଣୁ ବେପାର ହେବ ନାହିଁ ଦର୍ଶାଇ ସଂସ୍ଥା ବିଏମ୍‌ସିକୁ ଚିଠି ଲେଖିଛି। ଯଦି ଏଭଳି ସ୍ଥିତି ଥିଲା ତେବେ ଠିକା ନେବା ପୂର୍ବରୁ ସଂସ୍ଥା ଏହାକୁ ଦେଖିଲା ନାହିଁ କାହିଁକି? ଟେଣ୍ଡର ଦେବା ପରେ ବିଏମ୍‌ସି ଠିକା ସଂସ୍ଥାଙ୍କର ଏଭଳି ଚିଠିକୁ କିଭଳି ବିଚାର କରିବାକୁ ବସିଛି? ଏଥି‌ରେ କାହାର ସ୍ବାର୍ଥ ଅଛି? କମିସନର ବିଜୟ ଅମୃତା କୁଲାଙ୍ଗେ ଏ ନେଇ କିଛି ଜାଣିନଥିବା କହିଥିବା ବେଳେ ଡେପୁଟି କମିସନର ସପନ ନନ୍ଦ ପ୍ରସଙ୍ଗଟିକୁ ଏଡ଼ାଇ ଯାଉଛନ୍ତି।

ସମ୍ବନ୍ଧିତ ଖବର