ଭୁବନେଶ୍ବର: ସହରର ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ସହ ପ୍ରମୁଖ ଅଞ୍ଚଳରେ ଦୁର୍ଘଟଣା, ଟ୍ରାଫିକ୍‌ ଆଦି ସମସ୍ୟାକୁ ନଜରରେ ରଖି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ରାଜଧାନୀର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନୋ ହୋର୍ଡିଂ ଜୋନ୍‌ ଘୋଷଣା କରିଥିଲା। ଅମାନିଆଙ୍କୁ ସାବାଡ୍‌ କରିବାକୁ ସ୍ବତନ୍ତ୍ର ବିଏମ୍‌ସି ସ୍କାଡ୍‌ ଗଠନ କରାଯାଇଥିଲା। ଜରିମାନାର ବି ବ୍ୟବସ୍ଥା ହୋଇଥିଲା। କିନ୍ତୁ ନୋ ହୋର୍ଡିଂ ଜୋନ୍‌ ନିୟମ ତା’ ବାଟରେ, ହୋର୍ଡିଂ ଲଗା ତା’ ବାଟରେ ଚାଲିଛି। କେହି ବି ନୋ ହୋର୍ଡିଂ ନିୟମକୁ ମାନୁନାହାନ୍ତି। ସବୁଠି ସରକାରୀ, ବେସରକାରୀ ସହ ରାଜନେତାଙ୍କ ଶହ ଶହ ହୋର୍ଡିଂ ଲାଗିଛି। ରାଜଧାନୀର ସବୁଠୁ ଅଧିକ ସମ୍ବେଦନଶୀଳ ଅଞ୍ଚଳ ରାଜଭବନ ଛକ ବି ଏଥିରୁ ବାଦ୍‌ପଡ଼ିନି। ସ୍ଥିତି ଏପରି ଯେ ଏଠାରେ ହୋର୍ଡିଂ ଲଗାଇବାକୁ ଆଉ ଜାଗା ନାହିଁ। ରାଜଭବନ ପ୍ରବେଶପଥଠାରୁ ଆରମ୍ଭ କରି ରାଜଭବନ ଗୋଲେଇ, ମେଡିଆନ୍‌, ସବୁଠି ବହୁ ସଂଖ୍ୟାରେ ହୋର୍ଡିଂ ଲାଗିଛି।

Advertisment

ବିଏମ୍‌ସି ପକ୍ଷରୁ ଏହି ନୋ ହୋର୍ଡିଂ ଜୋନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ସ୍କ୍ବାଡ୍‌ ଗଠନ କରାଯାଇଥିଲା, ତାହା ସ୍ଥାଣୁ ପାଲଟିଛି। ନିକଟ ଅତୀତରେ କେବେ ଏହି ସ୍କ୍ବାଡ୍‌ ନୋ ହୋର୍ଡିଂ ଜୋନ୍‌ରେ ଚଢ଼ଉ କରିନି କି କାହାକୁ ଜରିମାନା କରିନି। ଏଣୁ ଅନ୍ୟ ଜଣେ, ଏଭଳି ମାଳ ମାଳ ହୋର୍ଡିଂ ଲଗାଇ ଏହି ସମ୍ବେଦନଶୀଳ ଅଞ୍ଚଳକୁ ବିକୃତ କରିଦେଲେଣି। ବଡ଼ କଥା ହେଉଛି, ଯେଉଁ ସରକାର ଏହି ନିୟମ କରିଛନ୍ତି, ସେମାନେ ଏହି ନିୟମକୁ ଭାଙ୍ଗିବାରେ ଲାଗିଛନ୍ତି। ନୋ ହୋର୍ଡିଂ ଜୋନ୍‌ରେ ମାଳ ମାଳ ହୋର୍ଡିଂ ଲଗାଇ ଅନ୍ୟମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ବିଏମ୍‌ସି ବି ଏ ଦିଗରେ ନିରବଦ୍ରଷ୍ଟା ସାଜିଛି।

ନିଜ ନିୟମ ନିଜେ ଭାଙ୍ଗୁଛନ୍ତି ସରକାର, ବିଏମ୍‌ସି
ସମ୍ବେଦନଶୀଳ ଅଞ୍ଚଳ ରାଜଭବନ ଛକରେ ସର୍ବାଧିକ
ସରକାରୀ, ବେସରକାରୀ, ରାଜନେତା କେହି ନିୟମ ମାନୁନାହାନ୍ତି

ଭୁବନେଶ୍ବରର ପ୍ରମୁଖ ଅଞ୍ଚଳ କୁହାଯାଉଥିବା ଏୟାରପୋର୍ଟ ଛକରୁ ଏଜି ଦେଇ ରାଜଭବନ ଛକ, ଏଜି ଛକରୁ ପିଏମ୍‌ଜି ଛକ, ରବୀନ୍ଦ୍ର ମଣ୍ଡପଠାରୁ ୧୨୦ ଇନ୍‌ଫ୍ୟାଣ୍ଟ୍ରି ବାଟାଲିଅନ୍‌ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ବିଏମ୍‌ସି ନୋ ହୋର୍ଡିଂ ଜୋନ୍ ଘୋଷଣା କରିଛି। ସେହିଭଳି ପ୍ରମୁଖ ରାସ୍ତାର ମେଡିଆନ୍, ସ୍କୁଲ୍, କଲେଜଠାରୁ ୧୦୦ ମିଟର ଭିତରେ କେହି ହୋର୍ଡିଂ ଲଗାଇ ପାରିବେ ନାହିଁ ବୋଲି ନିୟମ ରହିଛି। ଐତିହ୍ୟସଂପନ୍ନ ଏକାମ୍ର କ୍ଷେତ୍ରରେ ବି ଐତିହ୍ୟ କୀର୍ତ୍ତିରାଜି ସ୍ଥଳ ସହ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନୋ ହୋର୍ଡିଂ ଜୋନ୍ ଘୋଷଣା କରାଯାଇଛି ଏବଂ ହୋର୍ଡିଂ ଲଗାରେ କଟକଣା ରହିଛି। ଏହି ନିୟମ ବହୁଦିନର ହୋଇଥିଲେ ବି ହକି ବିଶ୍ବକପ୍ ସମୟରୁ ଅର୍ଥାତ୍ ୨୦୨୩ ପହିଲାରୁ କଡ଼ାକଡ଼ି ଅନୁପାଳନ କରାଯାଇ ଆସୁଥିଲା। କିନ୍ତୁ ଏବେ ଏହି ବ୍ୟବସ୍ଥା ଚୁଲିକୁ ଗଲାଣି। ସ୍କ୍ବାଡ୍ ଏହି ଅଞ୍ଚଳ ମାଡ଼ୁନାହାନ୍ତି। ଏଣୁ କେଉଁଠି ସରକାରୀ ହୋର୍ଡିଂ, ପୋଷ୍ଟର ଛାଇଦେଲେଣି ତ କେଉଁଠି ବେସରକାରୀ ଓ ରାଜନେତାଙ୍କ ଫଟୋ ସମ୍ବଳିତ ହୋର୍ଡିଂ, ପୋଷ୍ଟର୍‌ ମରାଯାଇଛି। ସରକାରୀ ହୋର୍ଡିଂ ସର୍ବାଧିକ ଲାଗିଛି। ମେଡିଆନ୍, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲାଗିଥିବା ଗଛଲତା, ବସ୍ ଷ୍ଟପ୍ ବି ଏଥିରୁ ବାଦ୍ ପଡ଼ିନି। ଯାହା ସହରର ସୌନ୍ଦର୍ଯ୍ୟ ଓ ରାସ୍ତାଘାଟକୁ ବିକୃତ କରୁଛି। ଦୁର୍ଘଟଣା ଓ ଟ୍ରାଫିକ୍ ସମସ୍ୟା ବଢ଼ାଇଛି। ବିଏମ୍‌ସି ଡେପୁଟି କମିସନର୍ ଅଜୟ କୁମାର ମହାନ୍ତି କହିଛନ୍ତି, ନୋ ହୋର୍ଡିଂ ଜୋନ୍ ନିୟମ ଏବେ ବି ବଳବତ୍ତର ରହିଛି। ଆମେ ନିୟମିତ ବ୍ୟବଧାନରେ ଚଢ଼ଉ କରୁଛୁ। ନୋ ହୋର୍ଡିଂ ଜୋନ୍‌ରୁ ହୋର୍ଡିଂ ହଟାଉଛୁ। କିନ୍ତୁ ଦାବିଦାର କେହି ନ ଥିବାରୁ ଜରିମାନା କରିପାରୁନୁ। ହୋର୍ଡିଂ ହଟାଇ ଆସିବା ପରେ ପୁଣି ହୋର୍ଡିଂ ଲାଗିଯାଉଛି।