ହକି ରଙ୍ଗରେ ରଙ୍ଗେଇ ହେଲା ଓଲି

ଦୁଲୁକିଲା କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଗତ ଜୁଲାଇରେ ଆୟୋଜିତ ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ଅନ୍ୟତମ ଆକର୍ଷଣ ଥିଲା ମାସ୍କଟ୍‌ ଓଲି। ଗହିରମଥାର ଏହି ଦୁର୍ଲଭ କଇଁଛ ଅଲିଭ୍‌ ରିଡ୍‌ଲେକୁ ଆଧାର କରି ଏହାର ପରିକଳ୍ପନା କରାଯାଇଥିଲା। ଆଉନିଜ କୌତୁକିଆ ବେଶ ପାଇଁ ସମସ୍ତଙ୍କ ପ୍ରିୟପାତ୍ର ହୋଇଥିଲା ଓଲି। ତେବେ ଓଲି ଏବେ ଦୌଡ଼କୁଦ ଛାଡ଼ି ହକି ପ୍ରଚାରରେ ଲାଗି ପଡ଼ିଛି। ରାଜଧାନୀ ହକିପ୍ରେମୀଙ୍କୁ ସେ ଏବେ ମତୁଆଲା କରୁଛି।

ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ସମସ୍ତ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ତାକୁ ସ୍ଥାୟୀ ମାସ୍କଟ୍‌ କରାଯାଇଛି। ସେହି ଦୃଷ୍ଟିରୁ ଡିସେମ୍ବର ପହିଲାରୁ କଳିଙ୍ଗରେ ଆରମ୍ଭ ହେଉଥିବା ହକି ବିଶ୍ୱ ଲିଗ୍‌ ଫାଇନାଲ ପାଇଁ ବି ‘ଓଲି’ ମାସ୍କଟ ହୋଇ ଯାଇଛି। ଯାହାକୁ ବୁଧବାର ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଫଳରେ ଆଜିଠାରୁ ଓଲି ନାଁ ବିଶ୍ୱ ହକିର ସବୁଠାରୁ ବଡ଼ ମହୋତ୍ସବ ‘ହକି ବିଶ୍ୱକପ୍‌’ ସହ ଯୋଡ଼ି ହୋଇଛି। ଓଲି ହକି ରଙ୍ଗରେ ପୂରା ରଙ୍ଗେଇ ହୋଇ ଯାଇଛି। ହାତରେ ହକି ବାଡ଼ି ଧରି ହକି ବିଶ୍ୱ ଲିଗ୍‌ର ପ୍ରଚାର କରୁଛି। କେବଳ ସେତିକି ନୁହେଁ, ଓଲିର ଫଟୋକୁ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାବର୍ଷ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍‌ର ଲୋଗୋରେ ସାମିଲ କରାଯାଇଛି।

ସିସିଟିଭି ରଖିବ ନଜର

ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ହକି ବିଶ୍ୱ ଲିଗ୍‌ ବେଳେ ଦର୍ଶକ ଓ ଖେଳାଳିଙ୍କ ସବୁ କାମ ଉପରେ ସିସିଟିଭି ତୀକ୍ଷ୍ଣ ନଜର ରଖିବ। ବିଶୃଙ୍ଖଳିତ ଦର୍ଶକଙ୍କ କାରନାମା ସିସିଟିଭିରେ ରେକର୍ଡ ହୋଇ ରହିଯିବ। ପରେ ଏହାକୁ ଦେଖି ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ। ସିସିଟିଭି ଲଗା ଅଭିଯାନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଷ୍ଟାଡିୟମ୍‌ ଭିତରର ଉଭୟ ଗ୍ୟାଲେରିରେ ଏବେ ୬ଟି ସିସିଟିଭି ଲାଗିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର