ହକିର ହୃଦୟ ଭୁବନେଶ୍ବର

ଭୁବନେଶ୍ବର : ଯଦି ଭାରତର ହୃଦୟ ଦିଲ୍ଲୀ ହୁଏ ତେବେ ଭାରତରେ ହକିର ହୃଦୟ ହେଉଛି ଭୁବନେଶ୍ବର। ନିଜ ଲୋକଙ୍କୁ ପାଖରେ ପାଇଲେ ଯେପରି ଭଲ ଲାଗେ, ଭୁବନେଶ୍ବର ଆସି ଠିକ୍ ସେମିତି ଅନୁଭବ ହେଉଛି। ଏଠିକାର ଆତିଥେୟତା କେବେ ଭୁଲି ହେବ ନାହିଁ ବୋଲି କହିଛନ୍ତି ଭାରତୀୟ ହକି ଦଳର କୋଚ୍‌ ହରେନ୍ଦ୍ର ସିଂହ। ଭାରତୀୟ ଦଳର ଜର୍ସି ପିନ୍ଧି, ହାତରେ ହକି ବାଡ଼ି ଧରି ମଞ୍ଚକୁ ପ୍ରବେଶ କରି ଦର୍ଶକଙ୍କୁ ନମସ୍କାର ଜଣାଇଥିଲେ। ଡଟ୍‌ ଫେଷ୍ଟ୍‌ ମଞ୍ଚରେ ଭାରତୀୟ ହକି ଦଳର ସଦସ୍ୟମାନଙ୍କୁ ପାଇବା ପରେ ସଂଗୀତ ଉପଭୋଗ କରିବାକୁ ଆସିଥିବା ଦର୍ଶକ ବି ଉତ୍‌ଫୁଲିତ ହୋଇ ପଡ଼ିଥିଲେ। ନାରା ଦେଇ ଭାରତକୁ ଜିତିବା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଥିଲେ। ପ୍ରିମିୟମ୍‌ ‌ବର୍ଗରେ ସାମ୍ନାରେ ବସିଥିବା ଲୋକ ହକି ଦଳର ସଦସ୍ୟଙ୍କ ସ‌ହ ସେଲ୍‌ଫି ନେଇଥିଲେ। ଭାରତୀୟ ଦଳର ଖେଳାଳିମାନେ ସନ୍ଧ୍ୟା ୮ଟାରେ ପହଞ୍ଚିଥିବା ବେଳେ ରାତି ୯ଟା ପର୍ଯ୍ୟନ୍ତ ସୁଫି ସଂଗୀତରେ ବିଭୋର ହୋଇ ପ୍ରତ୍ୟାବର୍ତନ କରିଥିଲେ। ନୁରାନ୍‌ ଭଉଣୀ ପଂଜାବର ହୋଇଥିବା ବେଳେ ଭାରତୀୟ ଦଳରେ ପଂଜାବର ଖେଳାଳିମାନେ ନୁରାନ୍‌ ଭଉଣୀଙ୍କ ସଂଗୀତ ଉପଭୋଗ କରିବାର ସଂଯୋଗ ସୃଷ୍ଟି ହୋଇଥିଲା।

ସଂଗୀତ ଉପଭୋଗ କଲେ ବରିଷ୍ଠ ନାଗରିକ

ସବୁବର୍ଗକୁ ଡଟ୍‌ ଫେଷ୍ଟ୍‌ ସହ ଯୋଡ଼ିବା ପାଇଁ ପ୍ରୟାସ କରିଛି ବିଡିଏ। ଗତକାଲି ଆଶ୍ରୟସ୍ଥଳୀର ଅନ୍ତେବାସୀ ଶାନ୍‌ଙ୍କ ସଂଗୀତ କାର୍ଯ୍ୟକ୍ରମ ଉପଭୋଗ କରିଥିବା ବେଳେ ଆଜି ସିଲ୍‌ଭର ଏଜ୍‌ ଫାଉଣ୍ଡେସନ୍‌ ପକ୍ଷରୁ ୨୦ ଜଣ ବରିଷ୍ଠ ନାଗରିକଙ୍କ ମଞ୍ଚ ନିକଟରେ ବସି ଋତୁରାଜ ଓ ନୁରାନ ଭଉଣୀଙ୍କ ସଂଗୀତ ଉପଭୋଗ କରିଥିଲେ। ଏନେଇ ବିଡିଏର ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧୁମିତା ରଥ କହିଛନ୍ତି ଯେ, ଯେତେବେଳେ ଫାଉଣ୍ଡେସନ୍‌ ପକ୍ଷରୁ ଆମକୁ ଏ ବାବଦରେ ପ୍ରସ୍ତାବ ଦିଆଗଲା ଆମେ ତୁରନ୍ତ ରାଜି ହୋଇ ସେମାନେ କିଭଳି ଭଲ ଭାବେ ସଂଗୀତ ଉପଭୋଗ କରିପାରିବେ ସେ ବ୍ୟବସ୍ଥା କରିଥିଲୁ। ଋତୁରାଜଙ୍କୁ ଟିଭିରେ ଦେଖିଥିବା ବେଳେ ଆଜି ତାଙ୍କର ଲାଇଭ୍‌ କାର୍ଯ୍ୟକ୍ରମ ମଞ୍ଚ ସମ୍ମୁଖରେ ପାଖରୁ ଦେଖିବାର ସୁଯୋଗ ପାଇ ଖୁସି ଲାଗୁଛି ବୋଲି ବରିଷ୍ଠ ନାଗରିକ ଶୈଳ ମହାପାତ୍ର କହିଛନ୍ତି।

ଏସ୍‌ଓଏସ୍‌ ଭିଲେଜ୍‌ରେ ଆୟାର୍ଲାଣ୍ଡ୍‌ ଖେଳାଳି

ଭୁବନେଶ୍ବର : ହକି ବିଶ୍ବକପ୍‌ରେ ସାମିଲ୍‌ ହୋଇଥିବା ଆୟାର୍ଲାଣ୍ଡ ଦଳର ଖେଳାଳିମାନେ ଏସ୍‌ଓଏସ୍‌ ଭିଲେଜ୍‌ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର ସଦସ୍ୟ ଓ ପିଲାମାନେ ତିଳକ ଓ ପୁଷ୍ପ ଦେଇ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ପିଲାମାନଙ୍କ ସହ ନାଚିବା ସହ ସେଲ୍‌ଫି ମଧ୍ୟ ନେଇଥିଲେ। ଏଥିସହ ପିଲାମାନଙ୍କ ସହ ମିଶି କ୍ରିକେଟ୍‌ ଖେଳର ମଜା ଉଠାଇଥିଲେ। ହକି ଖେଳାଳିଙ୍କ ଆଗମନ ଆମ ପିଲାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଏସ୍‌ଓଏସ୍‌ ଭିଲେଜ୍‌ରେ ଅନୁଜା ବଂଶଲ୍‌ କହିଛନ୍ତି। ଅନୁଷ୍ଠାନର ନିର୍ଦେଶକ ଅଜୟ ଦାସ ଓ ରାହୁଲ୍‌ ଉପସ୍ଥିତ ଥିଲେ।

ନଚେଇଲେ ନୁରାନ୍‌ ଭଉଣୀ

ସୁଫି ସଂଗୀତରେ ଆଜି ଦୁଲୁକିଥିଲା ମଞ୍ଚ। ନୁରାନ୍‌ ଭଉଣୀ ମଞ୍ଚରେ ବସି ଗାଇବା ବେଳେ ମଞ୍ଚକୁ ହାତରେ ବାଜା ସଦୃଶ ତାଳ ଦେଇ ପିଟିବା ବେଳେ ଯେମିତି ଲୋକଙ୍କ ଦେହରେ ଜୋସ୍‌ ଭରିଯାଉଥିଲା। ନିଆରା ଶୈଳୀରେ ଦୁହିଁଙ୍କ ଦ୍ବାରା ପ୍ରସ୍ତୁତ ଗୀତଗୁଡ଼ିକ ଦର୍ଶକ ଖାଲି ଶୁଣି ନଥିଲେ ବରଂ ଗାଇଥିଲେ ମଧ୍ୟ। ପିୟାରେ ପିୟାରେ ଥାରେ ବିନା ଲାଗେ ନହିଁ ‌ହ୍ମାରା ଜିୟାରେ…ଗୀତକୁ ଏଭଳି ଢଙ୍ଗରେ ପରିବେଷଣ କରିଥିଲେ ଯେ କିଛି ସମୟ ଯାଏଁ ଦର୍ଶକଙ୍କୁ ସ୍ଥିର କରି ବସେଇ ଦେଇ ନଥିଲେ। ବରଂ ଏ ଗୀତଟିକୁ ୧୫ ମିନିଟ୍‌ କାଳ ପରିବେଷଣ କରି ଲୋକଙ୍କୁ ‌ଶେଷ ଯାଏଁ ଝୁମେଇଥିଲେ। ଏଥିସହ ଆଲ୍ଲା ଆଲ୍ଲା.., ଅଲ୍ଲୀ ଅଲ୍ଲୀ…ଭଳି ସୁଫିୟାନା ଶୈଳୀର ସଂଗୀତ ପରିବେଷଣ କରି ଶ୍ରୋତାଙ୍କୁ ମତୁଆଲା କରିଥିଲେ।

ଋତୁରାଜଙ୍କ ଗଲିୟାଁ…

ଓଡ଼ିଆ ପୁଅ ଋତୁରାଜ ଡଟ୍‌ ଫେଷ୍ଟ୍‌ ମଞ୍ଚ ପ୍ରବେଶ ପୂର୍ବରୁ ତାଙ୍କର ସଂଗୀତ ଯାତ୍ରାର ଏକ ୧୦ ମିନିଟ୍‌ର ଭିଡିଓ ପ୍ରଦର୍ଶିତ ହୋଇଥିଲା। ପରେ ସେ ଆଜି ଖୁବ୍‌ ମନୋରଂଜନ ଭେଟି ଦେଇଥିଲେ। ତେରା ସୁରୁର୍‌ ଚଳଚ୍ଚିତ୍ରର ‘ଅଧୁରି ଜିନ୍ଦେଗି ହୈ ତୁ… ଗୀତ ଗାଇ ମଞ୍ଚକୁ ପ୍ରବେଶ କରିଥିଲେ। ପରେ ‘ଭିଗେ ଓଠ୍‌ ତେରେ.., ସମ୍ଭାଲ୍‌ ଯା ଜରା.., ପିୟାରେ ପିୟାରେ.., ମୁସ୍କୁରାନେ କି ୱଜ୍‌ହା ତୁମ୍‌ ହୋ… ଗୀତ ଗାଇବା ପରେ ‘ତେରି ଗଲିୟାଁ… ଗାଇ ଗୀତ ବିମୋହିତ କରିଥିଲେ। ଏଥିସହ ତାଙ୍କ ଦ୍ବାରା ପ୍ରସ୍ତୁତ ‘ମୋ ଓଡ଼ିଶା’ ଗୀତକୁ ଲୋକାର୍ପଣ କରିବା ସହ ଗୀତଟି ଗାଇ ଶୁଣାଇଥିଲେ। ଏଥିସହ ‘ରଙ୍ଗବତୀ..ପରିବେଷଣ ମଧ୍ୟ ଦର୍ଶକଙ୍କୁ ଧୁମ୍‌ ନଚେଇଥିଲା।

ସମ୍ବନ୍ଧିତ ଖବର