ଭୁବନେଶ୍ୱର: ହକି ବିଶ୍ୱ ଲିଗ୍‌କୁ ନେଇ ରାଜଧାନୀ ଭୁବନେଶ୍ୱର ଏବେ ଚଳଚଞ୍ଚଳ। ଚାରିଆଡ଼େ ହକିକୁ ନେଇ ଚର୍ଚା। ଏହି ହକି ମହାକୁମ୍ଭ ଯେମିତି ରାଜଧାନୀବାସୀଙ୍କ ଉପରେ କରିଛି କିମିଆ। ସହରର ରାସ୍ତାଘାଟଠୁ ଆରମ୍ଭ କରି ପାନଦୋକାନ ପର୍ଯ୍ୟନ୍ତ ସବୁଠି ଏହି ଆଠଦଳୀୟ ପ୍ରତିଯୋଗିତାକୁ ନେଇ ବଢ଼ିଚାଲିଛି ଉତ୍କଣ୍ଠା। ଶୁକ୍ରବାର ହକି ବିଶ୍ୱ ଲିଗ୍‌ର ଶୁଭ ଉଦ୍‌ଘାଟନ ହେବାର ଅଛି। ମନମତାଣିଆ ଉଦ୍‌ଘାଟନୀ ଉତ୍ସବ ସହ ପ୍ରଥମ ଦିନରେ ଖେଳାଯିବାକୁ ଥିବା ଦୁଇଟି ପ୍ରତିଯୋଗିତାକୁ ଉପଭୋଗ କରିବା ଲାଗି ରାଜଧାନୀ ହକି ପ୍ରେମୀ ବ୍ୟଗ୍ର। ଆସନ୍ତାକାଲିର ଯୁଗଳ ଯୁଦ୍ଧରୁ ଓଡ଼ିଶା କ୍ରୀଡ଼ା ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ବି ଯୋଡ଼ି ହୋଇଯିବ। ଜୁଲାଇରେ ଏସୀୟ ଦୌଡ଼କୁଦର ସଫଳ ଆୟୋଜନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ଓଡ଼ିଶା ଆଉ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାର ସଫଳ ଆୟୋଜକ ବନିଯିବ। ଭୁବନେଶ୍ୱରରେ ପୂର୍ବରୁ ହକି ଇଣ୍ଡିଆ ଲିଗ୍‌ ଏବଂ ଚାମ୍ପିଅନ୍ସ ଟ୍ରଫି ଭଳି ପ୍ରତିଯୋଗିତା ଆୟୋଜିତ ହୋଇ ସାରିଥିଲା ବେଳେ ହକି ବିଶ୍ୱ ଲିଗ୍‌ ଦେଶର ଏକ ନମ୍ବର ସ୍ମାର୍ଟ ସିଟିକୁ ହକି ପେଣ୍ଠସ୍ଥଳୀର ମାନ୍ୟତା ଦେବ। ସେହିଭଳି ଆସନ୍ତାବର୍ଷ କଳିଙ୍ଗ ଷ୍ଟାଡିୟମ୍‌େରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍‌ ପୂର୍ବରୁ ହକି ବିଶ୍ୱ ଲିଗ୍‌ ମଧ୍ୟ ରାଜ୍ୟ ପାଇଁ ପୁଣି ଥରେ ନିଜ ଶକ୍ତି ସାମର୍ଥ୍ୟ ଦେଖାଇବାର ସୁବର୍ଣ୍ଣ ସୁଯୋଗ ଦେବ। ଡିସେମ୍ବର ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୨୨ ମ୍ୟାଚ୍‌ ଖେଳାଯିବ। ଦୁଇଟି ଗ୍ରୁପରେ ବିଭକ୍ତ ହୋଇଥିବା ୮ଟି ଯାକ ଦଳ ତିନିଟି ଲେଖାଏଁ ଲିଗ୍‌ ମ୍ୟାଚ୍‌ ଖେଳିବେ। ଏହାର ଫଳାଫଳ କିନ୍ତୁ କ୍ୱାର୍ଟର ଫାଇନାଲ୍‌ ଉପରେ ପଡ଼ିବ ନାହିଁ।

Advertisment

ମୋଟ ୮ ଦଳ ଖେଳୁଥିବାରୁ ସମସ୍ତେ କ୍ୱାର୍ଟର ଫାଇନାଲ୍‌ ଯିବେ। ଲିଗ୍‌ ପର୍ଯ୍ୟାୟର ହାରିବା ଜିତିବା କେବଳ ମାନ୍ୟତା ପାଇବା ଲାଗି ହିସାବକୁ ନିଆଯିବ। କ୍ୱାର୍ଟର ଫାଇନାଲ୍‌ର ବିଜୟୀ ଦଳ ସେମିଫାଇନାଲ୍‌ ଯିବେ। ସେମିରୁ ଦୁଇ ଫାଇନାଲିଷ୍ଟଙ୍କୁ ବଛାଯିବ। ମେଗାଫାଇନାଲ୍‌ ୧୦ ତାରିଖରେ ଖେଳାଯିବ। ଶୁକ୍ରବାରରେ ହେବାକୁ ଥିବା ହକି ବିଶ୍ୱ ଲିଗ୍‌ ଉଦଘାଟନ ଲାଗି କଳିଙ୍ଗ ଷ୍ଟାଡିୟମ୍‌ ବୋହୂ ବେଶରେ ସଜେଇ ହୋଇଛି। ପ୍ରଥମ ମୁକାବିଲା ଜର୍ମାନି ଏବଂ ଇଂଲଣ୍ଡ ମଧ୍ୟରେ ହେବ। ସେହିଭଳି ଦ୍ୱିତୀୟ ମ୍ୟାଚ୍‌ରେ ଗତଥର ତୃତୀୟ ସ୍ଥାନରେ ଥିବା ଭାରତ ବିଜେତା ଅଷ୍ଟ୍ରେଲିଆକୁ ଭେଟିବ। ପ୍ରଥମ ମ୍ୟାଚ୍‌ ଅପରାହ୍ଣ ୪ଟା ୪୫ ଏବଂ ଦ୍ୱିତୀୟ ୭ଟା ୩୦ରୁ ଆରମ୍ଭ ହେବ। ମ୍ୟାଚ୍‌ ପୂର୍ବରୁ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ଆୟୋଜିତ ହେବ। ଏଥିରେ ଓଡ଼ିଶାର କଳା ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯିବ। ସେହିଭଳି ଘରୋଇ ଚିୟରଲିଡର ମଧ୍ୟ ମ୍ୟାଚ୍‌ ବେଳେ ନିଜ ନୃତ୍ୟ ଦକ୍ଷତାରେ ସମସ୍ତଙ୍କୁ ବିମୋହିତ କରିବେ। ଗୁରୁବାର ସୁଦ୍ଧା ସମସ୍ତ ପ୍ରକାର ପ୍ରସ୍ତୁତିପର୍ବ ଶେଷ ହୋଇଥିବା ବେଳେ କଳାକାରମାନେ ମଧ୍ୟ ନୃତ୍ୟ ଦକ୍ଷତାକୁ ଶାଣିତ କରିନେଇଛନ୍ତି। ଅପେକ୍ଷା କେବଳ ଯାହା ଶୁଭ ଶଙ୍ଖ ବାଜିବାର।

ନିୟୋଜିତ ହେବେ ୪୪ ଅଗ୍ନିଶମ କର୍ମଚାରୀ 

publive-image

ଭୁବନେଶ୍ୱର: ଭୁବନେଶ୍ୱରରେ ଶୁକ୍ରବାରଠୁ ଆୟୋଜିତ ହେବାକୁଥିବା ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ରେ କୌଣସି ଦୁର୍ଘଟଣାକୁ ଏଡ଼ାଇବା ଲାଗି ଅଗ୍ନିଶମ ବିଭାଗ ସଜାଗ ରହିବ। ଗୁରବାର ଏଥିଲାଗି ଅଗ୍ନିଶମ ବିଭାଗ ମହାନିର୍ଦେଶକ ବିଜୟ କୁମାର ଶର୍ମା ସମ୍ମତି ଦେଇଛନ୍ତି। ଏହି ସମୟରେ ପଶ୍ଚିମ ଗେଟ୍‌ ନିକଟରେ ଗୋଟିଏ ବ୍ରୋଣ୍ଟୋ ସ୍କାଏ ଲିଫ୍ଟ୍‌ ଗାଡ଼ି ରହିବ। ଏହି ଗାଡ଼ି କୌଣସି ଅଘଟଣ ଘଟେ ସଙ୍ଗେ ସଙ୍ଗେ ସେବା ଯୋଗାଇଦେବ। ଏଥିସହ ଗୋଟିଏ କ୍ୱିକ୍‌ ରେସ୍‌ପନ୍ସ ଦଳ ମଧ୍ୟ ହକି ପଡ଼ିଆରେ ସର୍ବଦା ସଜାଗ ରହିବ। ଏହାର ନେତୃତ୍ୱ ଜଣେ ଲେଖାଏଁ ଅତିରିକ୍ତ ଏବଂ ସହଯୋଗୀ ଅଗ୍ନିଶମ ଅଧିକାରୀଙ୍କୁ ଦିଆଯାଇଛି। ଏମାନଙ୍କ ସହ ୩ ଜଣ ଷ୍ଟେସନ୍‌ ଅଫିସର୍‌, ୩ ଜଣ ବରିଷ୍ଠ ଅଗ୍ନିଶମ କର୍ମଚାରୀ, ୩ ଡ୍ରାଇଭର୍‌ ହାବିଲଦାରଙ୍କ ସମେତ ୩୩ କର୍ମାଚାରୀ ରହିଛନ୍ତି। ଏମାନେ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ଷ୍ଟାଡିୟମ୍‌ରେ ଉପସ୍ଥିତ ରହିବେ। ଏଥିସହ ଖେଳାଳି ଏବଂ ଅଧିକାରୀ ରହୁଥିବା ସ୍ଥାନରେ ମଧ୍ୟ ଅଗ୍ନିଶମ ଅଧିକାରୀଙ୍କୁ ସଜାଗ ରଖାଯାଇଛି ବୋଲି ଭୁବନେଶ୍ୱର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମାଝି ପ୍ରେସ୍‌ ବିଜ୍ଞପ୍ତି ଜଣାଇଛନ୍ତି।

ମନମୋହିବେ ଦେଶୀ ଚିୟରଲିଡର୍ସ

publive-image

ହକି ବିଶ୍ୱ ଲିଗ୍‌ ଅବସରରେ ଦେଶୀ ଚିୟରଲିଡର ଦର୍ଶକଙ୍କ ମନ ମୋହିବେ। କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସର ଦକ୍ଷିଣ ପଶ୍ଚିମ କୋଣରେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ମଞ୍ଚରେ ରହି ସେମାନେ ଗୋଲ୍‌ ଏବଂ ମ୍ୟାଚ୍‌ର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତରେ ନିଜ ଯାଦୁ ଦେଖାଇବେ। ଭାରତରେ ଆୟୋଜିତ ହେଉଥିବା ଅଧିକାଂଶ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଦେଶୀ ଚିୟରଲିଡରଙ୍କୁ ଦେଖିବାକୁ ମିଳେ। ହେଲେ ହକି ବିଶ୍ୱ ଲିଗ୍‌ରେ ୬ ଜଣ ଦେଶୀ ଚିୟରଲିଡର ନିୟୋଜିତ ହେବା ରାଜ୍ୟ ନୃତ୍ୟ ଜଗତ ପାଇଁ ଏକ ଭଲ ଖବର ହୋଇଛି। ରତିକାନ୍ତ ଦାସ (ଟୁବୁଲା ଦାସ)ଙ୍କ ନୃତ୍ୟ ନିର୍ଦେଶନାରେ ଏହି ଚିୟରଲିଡରମାନେ ପ୍ରତିଯୋଗିତାର ୧୦ ଦିନ ଯାକ ଦର୍ଶକଙ୍କୁ ବିମୋହିତ କରିବେ। ଆର୍ଯ୍ୟନ କ୍ରିଏସନ୍ସ ବ୍ୟାନର ତଳେ ସେମାନେ ଏହି ଦାୟିତ୍ୱ ତୁଲାଇବେ।