ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ ଭିତରେ ଚାଲିଛି ହକି ମହାକୁମ୍ଭ। ଗତକାଲି ୨ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଆଜି ବି ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ପଟେ ମ୍ୟାଚ୍ର ମାହୋଲ ଜମି ଆସୁଥିବା ବେଳେ ଅନ୍ୟପଟେ ଡଟ୍ ଫେଷ୍ଟ, ଭୂ-ଫେଷ୍ଟୋ, ନାଇଟ୍ ବଜାର ଆଦି ଉତ୍ସବ ପାଇଁ ସହର ଉଠୁଛି ପଡ଼ୁଛି। ପୂରା ସହର ଉତ୍ସବମୁଖର ହୋଇଉଠିଛି। ଆଜିଠାରୁ ଭୂ-ଫେଷ୍ଟୋ, ଫୁଡ୍ ଟ୍ରେଲ୍, ନେଚର୍ ୱାକ୍ ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତାକାଲିଠାରୁ ଡଟ୍ଫେଷ୍ଟ ଆରମ୍ଭ ହେବ। ତେଣୁ ସକାଳ ସାଢ଼େ ୬ଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ କେବଳ ମଉଜ ହିଁ ମଉଜ।
ଡଟ୍ଫେଷ୍ଟରେ ଆଜି ବ୍ଲାକ୍ ସ୍ବାନ୍, ଗୁରୁ ରାନ୍ଧୱା, ଦିଶା ପଟାନୀ
ଏହି କାର୍ଯ୍ୟକ୍ରମଗୁଡ଼ିକରେ ଦେଶ ବିଦେଶର ବହୁ ନାମକରା ନୃତ୍ୟଶିଳ୍ପୀଙ୍କ ସହ ବଲିଉଡ୍ ଓ ଓଲିଉଡ୍ ଗାୟିକାଙ୍କ ଲୋକପ୍ରିୟ ସଙ୍ଗୀତରେ ଝୁମିବ ଭୁବନେଶ୍ବର। ରବିବାର ଏଠାରେ ଦକ୍ଷିଣ କୋରିଆ ଡ୍ୟାନ୍ସ୍ ଗ୍ରୁପ୍ ‘ବ୍ଲାକ୍ ସ୍ବାନ୍’ ଗ୍ରୁପ୍ ଧମାଲ କରିବ। ତା’ ସହ ଗୁରୁ ରାନ୍ଧୱାଙ୍କ ଗୀତ ଓ ଦିଶା ପଟନିଙ୍କ ନାଚରେ ବିମୋହିତ ହେବେ ଦର୍ଶକ। ଏହି ମହୋତ୍ସବର କଡ଼କୁ ଲାଗି ଏକାମ୍ର ହାଟ ପରିସରରେ ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ୧୬ ଦେଶର ଖାଦ୍ୟର ମଜା ମିଳିବ। ଏଠାରେ ହିଁ ନାଇଟ୍ ଫ୍ଲି ମାର୍କେଟ୍ରେ କମ୍ ଦରରେ ଉପଲବ୍ଧ ହେବ ଯାବତୀୟ ଘରକରଣା ସାମଗ୍ରୀ, ତାହା ପୁଣି ରାତି ଅଧ ପର୍ଯ୍ୟନ୍ତ। ଏହା ଭିତରେ ତିନିଟି ମଞ୍ଚ ରହିଛି। ଏଠାରେ ମଧ୍ୟ ଗୀତ, ନାଚ, ମିମିକ୍ରି, କମେଡି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ।
ସୁସ୍ବାଦୁ ଖାଦ୍ୟ ସାଙ୍ଗକୁ କିଣାକିଣି ଆଉ ମନୋରଞ୍ଜନର ମଜା ଗୋଟିଏ ଜାଗାରେ ମିଳିବ। ଠିକ୍ ତା’ ପାଖକୁ ଲାଗି ଫଟୋ ପ୍ରଦର୍ଶନୀ ‘ସେବେ ଓ ଏବେ’। ଏଥିରେ ୫୦ବର୍ଷ ତଳର ଭୁବନେଶ୍ବରର ଫଟୋ ଓ ଏବେର ଫଟୋ ପ୍ରଦର୍ଶିତ ହେବ। ସକାଳ ୧୦ରୁ ରାତି ୭ଟା ପର୍ଯ୍ୟନ୍ତ ଏହା ଭୁବନେଶ୍ବର ଅଭୁଲା ଅତୀତକୁ ରୋମନ୍ଥନ କରିବ। ସହରର ବିଭିନ୍ନ ସ୍ଥାନରେ ଥିବା ୪ଟି ପାର୍କ ମଧ୍ୟ ଉତ୍ସବମୁଖର ହୋଇଛି। ଏଠାରେ ଦେଶ ବିଦେଶର ପ୍ରସିଦ୍ଧ କଥାକାର ଗପ କହୁଛନ୍ତି। କେବଳ ଛୋଟ ପିଲା ନୁହେଁ, ବରଂ ବିଭିନ୍ନ ବୟସ ବର୍ଗର ଲୋକମାନେ ସାନ୍ଧ୍ୟ ଭ୍ରମଣ ସହ ଗପର ମଜା ନେଉଛନ୍ତି। ଏହି ମାହୋଲ୍ ଆଜିଠାରୁ ଆରମ୍ଭ ହୋଇଯାଇଛି। ସାଢ଼େ ୨ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଏହି ପାର୍କ ସବୁ ଉତ୍ସବ ମୁଖର ହୋଇଛି।
ଅନ୍ୟପଟେ ବରମୁଣ୍ଡା ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଛି ‘ଶିଶର ସରସ’ ମେଳା। ଅନ୍ୟ ମହୋତ୍ସବ ଭଳି ଏହି ମେଳା ମଧ୍ୟ ୨୯ ଯାଏ ଚାଲିବ। ଆଜିଠାରୁ ବିଭିନ୍ନ ଟ୍ରେଲ୍ ଆରମ୍ଭ ହୋଇଛି। ସକାଳ ସାଢ଼େ ୬ଟାରୁ ଏଥିରେ ପର୍ଯ୍ୟଟକ ସାମିଲ ହେଉଛନ୍ତି। ରବିବାର ରଥ ରୋଡ୍ରେ ପଥୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହା ସକାଳ ସାଢ଼େ ୬ଟାରୁ ସାଢ଼େ ୯ ଯାଏଁ ଚାଲିବ। ଅର୍ଥାତ୍ କେବଳ ଷ୍ଟାଡିୟମ କିମ୍ବା ପ୍ରଦର୍ଶନୀ ପଡ଼ିଆ ନୁହେଁ, ବରଂ ସାରା ଭୁବନେଶ୍ବର କମ୍ପିବ।
ଆରମ୍ଭ ହେଲା ଟ୍ରେଲ୍, ଖାଦ୍ୟ ସାଙ୍ଗକୁ ପ୍ରକୃତି ମଜା
ଭୁବନେଶ୍ୱର: ପର୍ଯ୍ୟଟକ ଓ କ୍ରୀଡ଼ାପ୍ରେମୀଙ୍କୁ ପ୍ରାକୃତିକ ଦୃଶ୍ୟ ଓ ଓଡ଼ିଆ ପାରମ୍ପରିକ ଖାଦ୍ୟର ମଜା ଦେବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ନେଚର ଵାକ୍, ପାରମ୍ପରିକ ଫୁଡ୍ ଓ ମ୍ୟୁଜିୟମ୍ ଟ୍ରେଲ୍। ଆଜି ଏକାମ୍ର ହାଟ ପରିସରରେ ଏହି ତିନୋଟି ଟ୍ରେଲ୍କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଛି। ସକାଳ ୬ଟା ୩୦ ମିନିଟ୍ରୁ ଆରମ୍ଭ ହୋଇଥିଲା ନେଚର ଵାକ୍। ଏଥିରେ ୧୮ଜଣଙ୍କୁ ସ୍ୱତନ୍ତ୍ର ବସ୍ରେ ଡେରାସ ନିଆଯାଇଥିଲା। ବ୍ରେକ୍ ଫାଷ୍ଟରେ ସ୍ୟାଣ୍ଡୱିଚ୍, ଅଣ୍ଡା ସିଝା, ଫଳ ଓ ଚା’ ଦିଆଯାଇଥିଲା।
ଏହି ଟ୍ରେଲ୍ର ଦେୟ ୧୦୦ଟଙ୍କା ରହିଛି। ସେହିଭଳି ତୁଳସୀ ପତ୍ର, ପୋଦିନା ପତ୍ର, ଲେମ୍ବୁରେ ତିଆରି ସ୍ୱତନ୍ତ୍ର ଚା’ରୁ ଆଜି ଫୁଡ୍ ଟ୍ରେଲ୍ ଆରମ୍ଭ ହୋଇଥିଲା। ଏହା ପରେ ବଢ଼େଇବାଙ୍କ ଛକରେ କୋରା ଖଇ, ପ୍ରଭୁ ଅନନ୍ତ ବାସୁଦେବ ମନ୍ଦିରରେ ଅବଢ଼ା ଓ ଶେଷରେ ନିମାପଡ଼ା ସୁଇଟସ୍ ଛେନା ଝିଲ୍ଲୀ ପର୍ଯ୍ୟଟକଙ୍କୁ ଦିଆଯାଇଥିଲା। ଏହି ଫୁଡ୍ ଟ୍ରେଲ୍ରେ ତିନି ଜଣ ଗାଇଡ୍ ଓଡ଼ିଆ ପାରମ୍ପରିକ ଖାଦ୍ୟ ଓ ମନ୍ଦିର ଆଦିର ମହତ୍ତ୍ୱ ଏବଂ ଇତିହାସ ସମ୍ପର୍କରେ ପର୍ଯ୍ୟଟକଙ୍କୁ ବୁଝାଇଥିଲେ। ଏହି ଟ୍ରେଲ୍ର ଦେୟ ୨୫୦ଟଙ୍କା ରହିଛି। ଏଥିରେ ସାମିଲ ହେବା ପାଇଁ ଅନ୍ଲାଇନ୍ କିମ୍ବା ଏକାମ୍ର ହାଟରେ ଥିବା କାଉଣ୍ଟରରେ ଯେ କେହି ପଞ୍ଜୀକରଣ କରିପାରିବେ। ସେହିଭଳି ମ୍ୟୁଜିୟମ୍ ଟ୍ରେଲ୍ରେ ପର୍ଯ୍ୟଟକମାନେ ବିଭିନ୍ନ ମ୍ୟୁଜିୟମ୍ ବୁଲିଥିଲେ।
ରଥ ରୋଡ୍ରେ ଜମିବ ପଥୋତ୍ସବ
ଭୁବନେଶ୍ବର: ରବିବାର ରଥରୋଡ୍ରେ ହେବ ପଥ ଉତ୍ସବ। ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ୍ ଓ ଶିଖରଚଣ୍ଡୀରେ ଏହି ଉତ୍ସବ ଆୟୋଜିତ ହୋଇଥିବା ବେଳେ ଏଥର ଏକାମ୍ର ବିଧାନସଭା ମଣ୍ଡଳୀ ଅଞ୍ଚଳରେ କରିବାକୁ ଯୋଜନା କରାଯାଇଛି। ଆଜି ଏହି ରଥରୋଡ୍କୁ ପରିଷ୍କାର କରାଯାଇଛି। ରାସ୍ତା କଡ଼ରେ ଥିବା ଆବର୍ଜନା ହଟାଯିବା ସହ ଖୋଲା ନଳା ଉପରେ ସ୍ଲାବ୍ ପକାଇ ବନ୍ଦ କରାଯାଇଛି।
ସକାଳ ସାଢ଼େ ୬ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ରଥରୋଡ୍ ଦୁଲୁକିବ। ମାଉସୀ ମା’ ଛକରେ ମୁଖ୍ୟ ମଞ୍ଚ ହେବ। ଓଡ଼ିଶୀରୁ ଆରମ୍ଭ କରି ରକ୍ ବ୍ୟାଣ୍ଡ ପର୍ଯ୍ୟନ୍ତ ଓ ଭଜନରୁ ଆରମ୍ଭ କରି ରିମିକ୍ସ ପର୍ଯ୍ୟନ୍ତ ଗୀତ ମନ ମୋହିବ। ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ସହ ସମ୍ବଲପୁରୀ ନୃତ୍ୟ ପରିବେଷଣ ହେବ। ଦ୍ବିତୀୟ ମଞ୍ଚରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ତୃତୀୟ ମଞ୍ଚଟି ଭୁବନେଶ୍ବରର ପ୍ରତିଭାଙ୍କ ପାଇଁ ସମର୍ପିତ ହେବ। ଏଠାରେ ୪୦ରୁ ଊର୍ଦ୍ଧ୍ବ ପ୍ରତିଭା ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିବେ। ଏହାଛଡ଼ା ପୂର୍ବରୁ ରହିଥିବା ସମସ୍ତ ଇଭେଣ୍ଟ ଯଥା ଯୋଗ, ସ୍ୱାସ୍ଥ୍ୟ ପରୀକ୍ଷା, ଲାଇଭ୍ ପେଣ୍ଟିଂ ପ୍ରଭୃତି କାର୍ଯ୍ୟକ୍ରମ ରହିବ।