ଟିକେଟ୍ କଳାବଜାରୀ ଚର୍ଚା, ଯୁବକଙ୍କଠାରୁ ଖସି ପଡ଼ିଲା ୧୯ଶହ ଟିକେଟ୍

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଜଣେ ଯୁବକଙ୍କଠାରୁ ୧୯ଶହ ମ୍ୟାଚ୍ ଟିକେଟ୍ ଖସି ପଡ଼ିବାକୁ ନେଇ ଟିକେଟ୍ କଳାବଜାରୀ ଚର୍ଚା ଜୋର ଧରିଛି। ତାଙ୍କ ନିକଟରେ ଏତେ ସଂଖ୍ୟକ ଟିକେଟ୍ କେଉଁଠୁ ଆସିଲା ଓ କିଭଳି ଷ୍ଟାଡିୟମ୍ ଭିତରକୁ ଏହାକୁ ନେଇ ସେ ପ୍ରବେଶ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଷ୍ଟାଡିୟମ୍‌କୁ ପ୍ରବେଶ ସମୟରେ ଥିବା ଟଏଲେଟ୍‌ରେ ଆଜି ଜଣେ ଯୁବକ ପଡ଼ି ଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ତାଙ୍କଠାରୁ ଶହ ଶହ ସଂଖ୍ୟାରେ ଟିକେଟ୍ ଗଳି ପଡ଼ିଥିଲା। ‌ଏହାକୁ ନେଇ ଷ୍ଟାଡିୟମ୍‌ରେ ଜୋରଦାର ଚର୍ଚା ଆରମ୍ଭ ହୋଇଯାଇଥିଲା। ସଂପୃକ୍ତ ଯୁବକ ଜଣଙ୍କ ଭୟରେ ଥରୁଥିବା ବେଳେ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ତେବେ କେଉଁ ମ୍ୟାଚ୍‌ର ଟିକେଟ୍ ତାଙ୍କଠାରୁ ଜବତ ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ମାତ୍ର ପୁଲିସ କମିସନର୍‌ ଏଭଳି ଘଟଣାକୁ ଅସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ ଯେ, ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ର ଟିକେଟ୍‌ କଳାବଜାରୀ ହୋଇଥିବା ଅଭିଯୋଗ ହୋଇଥିଲା। ହଜାର ହଜାର ଟଙ୍କାରେ ଟିକେଟ୍ ବିକ୍ରି ହୋଇଥିଲା। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଯାଇଥିଲା। ଏହି ଘଟଣାରେ ହକି ଇଣ୍ଡିଆ ଏକ ପ୍ରେସ୍ ବିବୃତି ଜାରି କରିଛି। ହକି ଇଣ୍ଡିଆ କହିଛି ଯେ, ଟିକେଟ୍ ଏଜେନ୍ସି ଟିକେଟ୍‌ ଜେନିକୁ ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ସଂସ୍ଥା ପକ୍ଷରୁ ସଂପୃକ୍ତ ଦୁଇ ବ୍ୟକ୍ତିଙ୍କ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି ଓ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସକୁ କୁହାଯାଇଛି।

ସମ୍ବନ୍ଧିତ ଖବର