ହକି ବିଶ୍ୱକପ୍: ତିନି ହଜାର ଦର୍ଶକ ଖେଳ ଦେଖିବାକୁ ଯୋଜନା, ହକି ଇଣ୍ଡିଆକୁ କ୍ରୀଡ଼ା ବିଭାଗର ପ୍ରସ୍ତାବ

କ୍ବାର୍ଟର, ସେମି, ଫାଇନାଲ୍ ମ୍ୟାଚ୍ ଦେଖିବାକୁ ପ୍ରସ୍ତାବ

ସ୍କୁଲ ଛାତ୍ରଛାତ୍ରୀ, ପରିଚାଳନା ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ପରିବାର ଦେଖିବେ ମ୍ୟାଚ୍!
ସ୍ଥିତି ପରଖିଲେ କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀ

ଭୁବନେଶ୍ବର : ୨୦୧୮ ମସିହାରେ କଳିଙ୍ଗ ଷ୍ଟାଡିୟମ୍‌ରେ ପୁରୁଷ ହକି ବିଶ୍ବକପ୍ ଆୟୋଜନ କରି ଓଡ଼ିଶା ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା। ଏତେ ବଡ଼ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜନ କରିଥିବାରୁ ଓଡ଼ିଶା ସରକାରଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା। ଓଡ଼ିଶାର ଦର୍ଶକ ବି ଏହାର ଭରପୂର୍‌ ଫାଇଦା ଉଠାଇଥିଲେ। ଭାରତର ମ୍ୟାଚ୍‌ ହେଉ କି ଅନ୍ୟ ଦେଶର; ଷ୍ଟାଡିୟମ୍‌ ପୂରା ହାଉସଫୁଲ୍‌ ରହୁଥିଲା। କିନ୍ତୁ ଏଥର କୋଭିଡ୍ କଟକଣା ପାଇଁ ବିନା ଦର୍ଶକରେ ଜୁନିଅର ହକି ବିଶ୍ବକପ୍ ଚାଲିଛି। ଏହା ହକିପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। ତେଣୁ ଏହାକୁ ହୃଦୟଙ୍ଗମ କରି ଅଳ୍ପସଂଖ୍ୟକ ଦର୍ଶକଙ୍କୁ ଖେଳ ଦେଖିବାର ଅନୁମତି ଦିଆଯିବା ପାଇଁ ବିଚାର ଚାଲିଛି। ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କ୍ବାର୍ଟର୍‌, ସେମି ଓ ଫାଇନାଲ୍ ମ୍ୟାଚ୍‌ରେ ଅଳ୍ପସଂଖ୍ୟକ ଦର୍ଶକଙ୍କୁ ଖେଳ ଦେଖିବାକୁ ଅନୁମତି ପାଇଁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ନିର୍ଦ୍ଦେଶାଳୟ ପକ୍ଷରୁ ହକି ଇଣ୍ଡିଆକୁ ପ୍ରସ୍ତାବ ଦିଆଯାଇଛି। ଅନୁମତି ମିଳିଲେ, କେଉଁମାନେ ଯିବେ? କେତେ ସଂଖ୍ୟାରେ ଦର୍ଶକଙ୍କୁ ଅନୁମତି ମିଳିବ? କେମତି କୋଭିଡ୍ ଗାଇଡଲାଇନ୍ ପାଳନ ହେବ? ସୁରକ୍ଷା ବ୍ୟବସ୍ଥା କେମିତି ରହିବ? ସେନେଇ ଆଲୋଚନା, ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଆଜି କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀ, ହକି ଇଣ୍ଡିଆ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୩ହଜାର ଦର୍ଶକଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀ, ଆୟୋଜନ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ଓ ଆଉ କିଛି ବ୍ୟକ୍ତିବିଶେଷଙ୍କୁ ମ୍ୟାଚ୍ ଦେଖିବା ପାଇଁ ଅନୁମତି ମିଳିପାରେ। ସ୍ବତନ୍ତ୍ର ପରିଚୟପତ୍ର ଜରିଆରେ ଏମାନେ ପ୍ରବେଶ କରିପାରିବେ। କ୍ରୀଡ଼ା ଓ ଯୁବସେବା ନିର୍ଦ୍ଦେଶାଳୟର ପ୍ରସ୍ତାବ ପରେ ଯଦି ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ମିଳେ, ତାହେଲେ ସେମାନେ କେମିତି ପ୍ରବେଶ କରିବେ? ସୁରକ୍ଷା ବ୍ୟବସ୍ଥା କେମିତି ରହିବ? କରୋନା ସଂକ୍ରମଣ ଥିବାରୁ କେମିତି ସ୍କ୍ରିନିଂ ବ୍ୟବସ୍ଥା କରାଯିବ? ଗାଡ଼ି କେଉଁଠି ପାର୍କିଂ କରାଯିବ? ସ୍ଥିତି ଅନୁଧ୍ୟାନ ପାଇଁ ପୁଲିସ କମିସନରଙ୍କୁ ଅନୁରୋଧ କରାଯାଇଛି।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ପୁଲିସ ସେବା ଭବନରେ ହକି ଇଣ୍ଡିଆ ଅଧିକାରୀଙ୍କୁ ନେଇ ଆଜି ପୂର୍ବାହ୍ନରେ ଏକ ବୈଠକ ମଧ୍ୟ ବସିଥିବା ଜଣାପଡ଼ିଛି। ଅତିରିକ୍ତ ଡିସିପି ପି.କେ ରାଉତ, ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା, ଅନ୍ୟ କିଛି ବରିଷ୍ଠ ଅଧିକାରୀ, ହକି ଇଣ୍ଡିଆର ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ପରେ ସେମାନେ ଏ ବିଷୟରେ ପୁଲିସ କମିସନରଙ୍କୁ ଜଣାଇ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଅନୁମତି ମିଳିଲେ, ଦର୍ଶକମାନେ ୪ନମ୍ବର ଫାଟକ ଦେଇ ଷ୍ଟାଡିୟମ୍‌ରେ ପ୍ରବେଶ କରିବେ। ସ୍କୁଲ ଛାତ୍ରଛାତ୍ରୀ ଆସିଥିବା ଗାଡ଼ି ସେମାନଙ୍କୁ ସେଠାରେ ଛାଡ଼ି ଦେଇ ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଗାଡ଼ି ପାର୍କିଂ କରିବେ। ମ୍ୟାଚ୍‌ ଶେଷ ପରେ ପୁଣି ଗାଡ଼ିଗୁଡ଼ିକ ରିଜର୍ଭ ଗ୍ରାଉଣ୍ଡରୁ ବାହାରି ୪ନମ୍ବର ଫାଟକ ନିକଟରୁ ଛାତ୍ରଛାତ୍ରୀଙ୍କୁ ନେଇ ଗନ୍ତବ୍ୟସ୍ଥଳକୁ ଯିବେ। ସୁରକ୍ଷା ଓ ଟ୍ରାଫିକ୍‌ ପରିଚାଳନାରେ ଦାୟିତ୍ବରେ ଆଉ କିଛି ଅଧିକାରୀ ଓ କର୍ମଚାରୀଙ୍କୁ ମୁତୟନ କରାଯିବ। କିନ୍ତୁ ଏଯାଏ ଏହା କେବଳ ପ୍ରସ୍ତାବରେ ରହିଛି। ଏତେ କମ୍ ସମୟ ମଧ୍ୟରେ କେମିତି ମ୍ୟାଚ୍ ଦେଖିବା ପାଇଁ ଆୟୋଜନ କରାଯିବ? କେମିତି କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରାଯାଇପାରିବ? ତାହା ମଧ୍ୟ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ସୂଚନାଯୋଗ୍ୟ, ୧ ତାରିଖରୁ କ୍ବାର୍ଟର ଫାଇନାଲ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ୫ ତାରିଖରେ ଫାଇନାଲ୍ ମ୍ୟାଚ୍ ରହିଛି।

ଉଲ୍ଲେଖଯୋଗ୍ୟ, ୨୦୧୮ରେ ପୁରୁଷ ହକି ବିଶ୍ବକପ୍, ଚାମ୍ପିଅନ୍ସ ଟ୍ରଫି ଭଳି ଅନେକ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜନ ହୋଇଛି। ପୁରୁଷ ହକି ବିଶ୍ବକପ୍‌ର ସଫଳ ପରିଚାଳନା ପରେ ଚାରିଆଡ଼ୁ ପ୍ରଶଂସା ସାଉଣ୍ଟିଥିଲେ ରାଜ୍ୟ ସରକାର।

ସମ୍ବନ୍ଧିତ ଖବର