ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋରଦାର୍‌; ସିଟି ବସ୍‌ ପାଇଁ ୧୦୦କୋଟି

ସକାଳ ୬ରୁ ରାତି ୧୦ପର୍ଯ୍ୟନ୍ତ ବସ୍‌ ଚାଲିବ

ଭୁବନେଶ୍ୱର: ଆସନ୍ତା ନଭେମ୍ବରରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋରଦାର୍‌ ହୋଇଛି। ରାଜଧାନୀକୁ ସ୍ୱଚ୍ଛ, ସୁନ୍ଦର କରିବା ସହ ପୂରା ସହରରେ ହକି ମାନିଆ ସୃଷ୍ଟି କରିବା ପାଇଁ ବିଏମ୍‌ସି ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଗମନାଗମନ ବ୍ୟବସ୍ଥାଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ସଜାଡ଼ିବା, ବିଭିନ୍ନ ଚିତ୍ର ଆଙ୍କିବା, ବାଇସାଇକେଲ୍‌ ସେୟାରିଂ ବ୍ୟବସ୍ଥା, ଇ-ରିକ୍ସା ଚଳାଇବାକୁ ଯୋଜନା ହୋଇଛି। ଏଥିରେ ସବୁଠୁ ଆଗରେ ଏବେ ୨୦୦ଟି ନୂଆ ସିଟି ବସ୍‌ ଚଲାଇବା ପ୍ରକ୍ରିୟା ଜୋରଦାର୍‌ ହେଉଛି।

ଭୁବନେଶ୍ୱର-ପୁରୀ-କଟକ-ଖୋର୍ଧାର ବିଭିନ୍ନ ଅଞ୍ଚଳକୁ ସିଟି ବସ୍‌ ଚଳାଇବା ପାଇଁ ‘କ୍ୟାପିଟାଲ ରିଜନ ଅର୍ବାନ୍‌ ଟ୍ରାନ୍ସପୋର୍ଟ’ (କ୍ରୁଟ) ଗଠନ ହୋଇଛି। ଯାହା ପୂର୍ବରୁ ଭୁବନେଶ୍ୱର-ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଥିଲା। ଏଥିରେ ୨୦୦ଟି ନୂଆ ସିଟି ବସ୍‌ ସହ ଏବେ ଚାଲୁଥିବା ୧୧୦ଟି ସିଟି ବସ୍‌ ଚାଲିବ। ଅକ୍ଟୋବର ମାସରେ ଏହି ୩୧୦ଟି ସିଟି ବସ୍‌ ଚଲାଇବାକୁ ଯୋଜନା ହୋଇଛି। ଆଜି ଏଥିପାଇଁ ରାଜ୍ୟ ସରକାର ୧୦୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆଜି ଏନେଇ ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର ସୂଚନା ଦେଇ କହିଛନ୍ତି ଯେ, ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀ ଏବଂ ଏହା ଆଖପାଖ ଅଞ୍ଚଳରେ ୩୧୦ଟି ସିଟ୍‌ ବସ୍‌ ଗଡ଼ିବ। ସହରର ପ୍ରତି ଗଳିକନ୍ଦିରେ ବସ୍‌ ପହଞ୍ଚିବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ବସ୍‌ ଚଳାଇବା, ବସ୍‌ ଡିପୋ କରିବା, ରାଜଧାନୀରେ ବସ୍‌ ଷ୍ଟପ୍‌ ନିର୍ମାଣ କରିବା ପାଇଁ ପ୍ରାୟ ୧୫୦କୋଟି ଖର୍ଚ୍ଚ ହେବ। ଏଥିରୁ ୧୨୫କୋଟି ବସ୍‌ କିଣା ଏବଂ ତିନିଟି ବସ୍‌ ଡିପୋ ନିର୍ମାଣ ବାବଦକୁ ଖର୍ଚ୍ଚ ହେବ। ଏବେ ରାଜ୍ୟ ସରକାର ୧୦୦କୋଟି ଦେଇଥିବାରୁ ଖୁବ୍‌ ଶୀଘ୍ର ଏହିପ୍ରକ୍ରିୟା ଆରମ୍ଭ ହେବ।

ରାଜଧାନୀରେ ୨୦୦ଟି ନୂଆ ସିଟି ବସ୍‌ ଚାଲିବାକୁ ଥିବାବେଳେ ଏଥିରେ ୫୦ଟି ଷ୍ଟାଣ୍ଡାର୍ଡ ବସ୍‌, ୫୦ଟି ଷ୍ଟାଣ୍ଡାର୍ଡ ଏସି ବସ୍‌, ୧୦୦ଟି ମିନି ବସ୍‌ ଚାଲିବ। ଏଥିପାଇଁ ପୁଣେ ଓ ନୂଆଦିଲ୍ଲୀର ଏକ ସଂସ୍ଥାକୁ ବଛା ଯାଇଥିବାବେଳେ ସେମାନଙ୍କୁ ପ୍ରତି କିମି ପିଛା ୪୩ରୁ ୪୫ଟଙ୍କା ଦିଆଯିବ। ଏସି ବସ୍‌ ପାଇଁ କିମି ପିଛା ୪୫ଟଙ୍କା ଏବଂ ସାଧାରଣ ବସ୍‌ ପାଇଁ ୪୩ଟଙ୍କା ଦିଆଯିବ ବୋଲି ଜଣାପଡ଼ିଛି। ଏହି ଗାଡ଼ିଗୁଡ଼ିକ ୮ବର୍ଷ ପାଇଁ ଚୁକ୍ତିରେ ଚାଲିବ। ଗାଡ଼ି ଯେତେ କିମି ଚାଲିବ ସେହି ଅନୁଯାୟୀ ଅର୍ଥ ନେବ। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବସ୍‌ ଚାଲିବ। ଲୋକ ହୁଅନ୍ତୁ କି ନହୁଅନ୍ତୁ ପ୍ରତ୍ୟେକ ରୁଟ୍‌ରେ ବସ୍‌ ଚାଲିବ। ଆଉ ନିର୍ଦ୍ଦିଷ୍ଟ ସମୟରେ ଗାଡ଼ି ପହଞ୍ଚିବ। ଯାତ୍ରୀ ଭଡ଼ା ‘କ୍ରୁଟ୍‌’ ଦ୍ୱାରା ନିୟୋଜିତ କର୍ମଚାରୀ ଆଦାୟ କରିବେ। ଘରୋଇ ସଂସ୍ଥାକୁ କେବଳ କିମି ପିଛା ଅର୍ଥ ଦିଆଯିବ। ସେହିପରି ସିଟି ବସ୍‌ ଚଳାଇବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ୩୦ରୁ ୩୫କୋଟି ସବ୍‌ସିଡି ଆକାରରେ ଦେବେ। ବସ୍‌ ଯେପରି ନିୟମିତ ବ୍ୟବଧାନରେ ରହିବ ସେଥିପାଇଁ ପ୍ରାୟ ୨୦୦ଟି ବସଷ୍ଟପ୍‌ ନିର୍ମାଣ ହେବ। ଏବେ ୧୦୦ଟି ନିର୍ମାଣ ହେବ। ଏହାକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ପାରମ୍ପାରିକ ଡିଜାଇନ୍‌ରେ ନିର୍ମାଣ କରାଯିବ। ଏହି ବସଷ୍ଟପ୍‌ ନିକଟରେ ଯେପରି ଭଡ଼ାରେ ବାଇସାଇକେଲ୍‌ ମିଳିବ, ଇ-ରିକ୍ସା ଉପଲବ୍ଧ ହେବ ସେଥିପାଇଁ ଭିତ୍ତିଭୂମି ବିକାଶ ହେବ। ବସଷ୍ଟପ୍‌ ନିକଟରେ ଶୌଚାଳୟ ରହିବ।

ସମ୍ବନ୍ଧିତ ଖବର