ସେପ୍ଟେମ୍ବରରେ କାମ ସାରିବାକୁ ନିର୍ଦ୍ଦେଶ

ହକି ବିଶ୍ୱକପ୍‌ ପାଇଁ ଭିତ୍ତିଭୂମି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର: ନଭେମ୍ବର ୨୮ରୁ ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ପାଇଁ ରାଜଧାନୀର ଭିତ୍ତିଭୂମି ନବୀକରଣ ଓ ସହର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ସଚିବାଳୟରେ ସମୀକ୍ଷା କରିଛନ୍ତି। ସମସ୍ତ କାର୍ଯ୍ୟ ସେପ୍ଟେମ୍ବର ମାସରେ ହିଁ ଶେଷ କରିବାକୁ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଯନ୍ତ୍ରୀମାନଙ୍କୁ ଡେଟ୍‌ଲାଇନ୍‌ ଦେଇଛନ୍ତି।

ଆଜିର ବୈଠକରେ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିସନର୍‌ କ୍ରିଷନ କୁମାର ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ଦିଗ ସଂପର୍କରେ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ବିଭିନ୍ନ ବିଭାଗର ଆକଳନ ଅନୁସାରେ ମୁଖ୍ୟ ଶାସନ ସଚିବ ପ୍ରତି କାର୍ଯ୍ୟ ପାଇଁ ସମୟ ସୀମା ଧାର୍ଯ୍ୟ କରିଥିଲେ। ୨୦୦ଟି ଅତ୍ୟାଧୁନିକ ସିଟି ବସ୍‌ ଚଳାଚଳ ନେଇ ବିଡିଏ ଉପାଧ୍ୟକ୍ଷ କହିଥିଲେ ଯେ, ବସ୍‌ ଅପରେଟର୍‌ମାନଙ୍କ ସହ ଚୁକ୍ତିିନାମା ସ୍ୱାକ୍ଷର ହୋଇଛି। ପଟିଆ ଓ ପାତ୍ରପଡ଼ାରେ ବସ୍‌ ଡିପୋ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନୂତନ ବସ୍‌ କିଣିବା ପାଇଁ ଅପରେଟର୍‌ କମ୍ପାନିଗୁଡ଼ିକ ଟାଟା ଏବଂ ଅଶୋକ ଲେଲ୍ୟାଣ୍ଡ ସଂସ୍ଥାକୁ ଯୋଗାଣ ଆଦେଶ ଦେଇସାରିଛନ୍ତି। ସେପ୍ଟେମ୍ବର ୧୫ରୁ ବସ୍‌ ଯୋଗାଣ ଆରମ୍ଭ ହେବ। ଏହାସହ ଆଧୁନିକ ବସ୍‌ ଷ୍ଟପ୍‌ ସେଲ୍‌ଟର୍‌ ନିର୍ମାଣ ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୦୦ଟି ସେଲ୍‌ଟର ନିର୍ମାଣ ପାଇଁ ବୈଠକରେ ସ୍ଥିର ହୋଇଛି। କିଟ୍‌ ଛକରୁ ଲିଙ୍ଗରାଜ ଛକ, ଜନତା ମଇଦାନରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍‌ ରୁଟ୍‌ ପାର୍କିଂ ପାଇଁ ସ୍ଥାନ ନିର୍ଣ୍ଣୟ, ସ୍ମାର୍ଟ ଜନପଥ ନିମନ୍ତେ ଅଣ୍ଡରଗ୍ରାଉଣ୍ଡ କେବୁଲ୍‌ ବିଛା, ପାଦଚଲା ଓଭରବ୍ରିଜ୍‌ ନିର୍ମାଣ, ଜନସାଧାରଣଙ୍କ ନିମନ୍ତେ ଶୌଚାଳୟ, ପର୍ଯ୍ୟଟନ ସ୍ଥଳୀରେ ସାଇନେଜ୍‌ ଲଗାଇବା, ମୁଖ୍ୟ ରାସ୍ତାର ସୌନ୍ଦର୍ଯ୍ୟକରଣ, ମେସିନ୍‌ ମାଧ୍ୟମରେ ସଫେଇ, ସହରରେ ୩୦୦ଟି ଓ୍ଵାଇଫାଇ ଆକ୍ସେସ୍‌ ପଏଣ୍ଟ ଆଦିର ସମୀକ୍ଷାକରି ପ୍ରତ୍ୟେକ କାର୍ଯ୍ୟ ଶେଷ ପାଇଁ ସମୟ ସୀମା ଧାର୍ଯ୍ୟ ହୋଇଛି।

ଆଜିର ବୈଠକରେ ଶକ୍ତି ଓ ସୂଚନା ଲୋକସମ୍ପର୍କ ବିଭାଗ ସଚିବ ହେମନ୍ତ କୁମାର ଶର୍ମା, ପୁଲିସ କମିସନର ସତ୍ୟଜିତ ମହାନ୍ତି, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, କ୍ରୀଡ଼ା ସଚିବ ବିଶାଲ ଦେବ, ବିଏମ୍‌ସି କମିସନର କ୍ରିଷନ କୁମାରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର