ହକି ବିଶ୍ୱକପ, ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଡିଜିପି

ଭୁବନେଶ୍ବର: ଆସନ୍ତା ନଭେମ୍ବର ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳା ଯିବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌କୁ ଆଉ ମାତ୍ର ମାସେ ସମୟ ବାକି ରହିଲା। ଓଡ଼ିଶା ଏହି ହକି ମହାକୁମ୍ଭ ଆୟୋଜନ କରିବାର ସୌଭାଗ୍ୟ ପାଇଥିବାରୁ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ପ୍ରଶାସନ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛି। ସୁରକ୍ଷା ଓ ଟ୍ରାଫିକ୍‌ ପରିଚାଳନାକୁ ପ୍ରାଥମିକତା ଦେବାକୁ ଯାଇ ପୁଲିସ ପ୍ରଶାସନ ଅଣ୍ଟା ଭିଡ଼ିଛି। ଏହି ପରିପ୍ରେକ୍ଷୀରେ ଆଜି ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଖେଳ ସମୟରେ ଯେପରି ଲୋକେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ କ’ଣ କ’ଣ ବ୍ୟବସ୍ଥା କରାଯାଇଛି, ସେ ସଂପର୍କରେ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଡିଜି ଡା. ଶର୍ମା କଳିଙ୍ଗ ଷ୍ଟାଡିୟମ୍‌ ପରିଦର୍ଶନ କରି ସେଠାକାର ସୁରକ୍ଷା ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ। କେଉଁ ପଟେ ଲୋକେ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିବେ, କେଉଁଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି, ଖେଳାଳିମାନଙ୍କ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ତଦାରଖ କରିଥିଲେ। ଉଲ୍ଲେଖଯୋଗ୍ୟ, ଉଦଘାଟନୀ ସମାରୋହକୁ ସ୍ମରଣୀୟ କରିବା ପାଇଁ ବଲିଉଡ୍‌ କିଙ୍ଗ ଶାହାରୁଖ ଖାନ ଓ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର ରେହେମନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହି କିମ୍ବଦନ୍ତୀ କଳାକାରମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପୁଲିସ ବିଭିନ୍ନ ପଦକ୍ଷେପ ନେଉଥିବା ଜଣାଯାଇଛି। ଉଦଘାଟନୀ ସମାରୋହ ମୁଖ୍ୟ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର