ଚନ୍ଦ୍ରଶେଖରପୁର: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ହକି ମହାକୁମ୍ଭ। ହକି ବିଶ୍ୱକପ ପାଇଁ ଓଡ଼ିଶା ପ୍ରଥମଥର ସୁଯୋଗ ପାଇଥିବା ବେଳେ ହାତରେ ଅଛି ଆଉ ମାତ୍ର ୩ ମାସ। ସହରର ରାସ୍ତାଘାଟ ଓ ପାର୍କର ରୂପ ବଦଳୁଛି। ପୋଲ ନିର୍ମାଣ ତ୍ୱରିତ ଗତିରେ ଚାଲିଛି। ଡଷ୍ଟବିନ୍ ଲାଗୁଛି, ରାସ୍ତାପାର୍ଶ୍ୱର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯାଉଛି। ହେଲେ ଅତିଥିଙ୍କ ଆତିଥ୍ୟ କଥା ଯେମିତି ସମସ୍ତେ ଭୁଲି ଯାଇଛନ୍ତି। ସହରରେ ମାତ୍ର ୪ଟି ତାରକା ହେଟେଲ୍। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜଧାନୀର ଅନ୍ୟ ହୋଟେଲ୍ଗୁଡ଼ିକ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ସୁରକ୍ଷିତ ନୁହେଁ। ହିସାବ କହୁଛି, ୯୦ ପ୍ରତିଶତ ହୋଟେଲ୍ ଅଗ୍ନିଶମ ନିୟମ ପରିସରରେ ଆସୁନାହାନ୍ତି। ତେଣୁ ସେହି ହୋଟେଲ୍ଗୁଡ଼ିକ ଅଗ୍ନିଶମ ପଂଜୀକୃତ ହୋଇନାହାନ୍ତି। ଗତ ମାର୍ଚ୍ଚ ୨୮ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ହୋଟେଲ ସ୍ୱସ୍ତି ଗ୍ରାଣ୍ଡରେ ଅନୁଷ୍ଠିତ କର୍ମଶାଳାରେ ହୋଟେଲଗୁଡ଼ିକୁ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ଠିକ୍ କରିବାକୁ କୁହାଯାଇଥିଲା। ଜୁଲାଇ ମାସ ମଧ୍ୟରେ ଭିତ୍ତିଭୂମି ଠିକ୍୍ କରିପାରିଲେ ପଞ୍ଜୀକୃତ ହୋଇପାରିବେ। ଷ୍ଟାର୍ ମାନ୍ୟତା ପାଇବାରେ ବି କୌଣସି ସମସ୍ୟା ହେବ ନାହିଁ। କିନ୍ତୁ ବୈଠକକୁ ୪ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭିତ୍ତିଭୂମି ଠିକ୍ କରିବାରେ ହୋଟେଲଗୁଡ଼ିକ ବିଫଳ ହୋଇଛନ୍ତି। ତଥାପି ଏବେଠାରୁ ହୋଟେଲଗୁଡ଼ିକର ବୁକିଂ ଆରମ୍ଭ ହୋଇଯାଇଛି। ବିଶ୍ୱକପ୍ ସମୟରେ ରହିବା ପାଇଁ ଜୁଲାଇ ମାସ ଶେଷ ସୁଦ୍ଧା ୧୫ ହଜାର ହୋଟେଲ ରୁମ୍ ବୁକ୍ ହୋଇଥିବା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡ଼ିଶାର ଜଣେ ସଦସ୍ୟ କହିଛନ୍ତି।
ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ଏହି କ୍ରୀଡ଼ା ମହସମରରେ ରାଜ୍ୟ ଓ ଦେଶ ବାହାରୁ ୪୦ ହଜାରରୁ ଅଧିକ ଦର୍ଶକ ସାମିଲ ହେବେ ବୋଲି ସରକାର ଆକଳନ କରିଛନ୍ତି। ତେଣୁ ଦର୍ଶକଙ୍କ ରହଣି, ଆତିଥ୍ୟ ପାଇଁ ଭୁବନେଶ୍ୱର, ପୁରୀ ଓ କଟକରେ ୪୧୨ଟି ହୋଟେଲ ଚିହ୍ନଟ ହୋଇଛି। ହେଲେ ଏଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ହୋଟେଲ୍ ଅଗ୍ନି ନିରାପତ୍ତା ନିୟମ ପରିସରରେ ଆସୁନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କ ପାଇଁ ଏହା ଚ୍ୟାଲେଞ୍ଜ୍ ଭାବେ ଛିଡ଼ା ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ୧୬ଟି ଦେଶର କ୍ରୀଡ଼ାବିତ୍, ସେମାନଙ୍କ ଅଫିସିଆଲ୍ଙ୍କ ପାଇଁ ଷ୍ଟାର୍ ହୋଟେଲରେ ଦେଢ଼ ହଜାର ରୁମ୍ର ଆବଶ୍ୟକତା ରହିଛି। ହେଲେ ଏତେସଂଖ୍ୟକ ରୁମ୍ ପଞ୍ଜୀକୃତ ହୋଇପାରିନି। ଏବେ ସୁଦ୍ଧା ଭୁବନେଶ୍ୱରର ୧୨୦୦ ରୁମ୍ ଷ୍ଟାର ବର୍ଗରେ ପଞ୍ଜୀକୃତ ହୋଇଛି। ଏଥିରେ ୪ଟି ତାରକା ହୋଟେଲ ରହିଛନ୍ତି। ଯେଉଁଠାରେ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଆତିଥ୍ୟ ଦେଇହେବ। ପ୍ରାୟ ୩୦ଟି ହୋଟେଲରେ ଯେଉଁ ସୁବିଧା ରହିଛି, ସେଥିରେ ବିଦେଶୀ ଦର୍ଶକଙ୍କୁ ସମସ୍ତ ପ୍ରକାର ସୁବିଧା ମିଳିପାରିବ। ଏହି ହୋଟେଲଗୁଡ଼ିକରେ ୪ରୁ ୫ ହଜାର ରୁମ୍ ରହିଛି।
ଭୁବନେଶ୍ୱରରେ ବିଶ୍ୱକପ୍ ହକି ହେବାକୁ ଥିବା ବେଳେ ପୁରୀ ଓ କଟକରେ ଥିବା ହୋଟେଲଗୁଡ଼ିକ ମଧ୍ୟ ଇତି ମଧ୍ୟରେ ବୁକିଂ ହୋଇଛି। କ୍ରୀଡ଼ାବିତ୍ ଓ ସେମାନଙ୍କ ଅଫିସିଆଲ୍ଙ୍କ ଲାଗି ରାଜଧାନୀରେ ଥିବା ୧୦ଟି ତାରକା ହୋଟେଲର ୭୭୦ଟି କ୍ଲାସିଫାଇଡ୍ ରୁମ୍ ସହ ଅନ୍ୟାନ୍ୟ ଷ୍ଟାଣ୍ଡାର୍ଡ ହୋଟେଲ ରୁମ୍ ମଧ୍ୟ ବୁକିଂ ସରିଛି। ଭୁବନେଶ୍ୱରରେ ଭଲ ରୁମ୍ ମିଳୁ ନ ଥିବାରୁ ବିଦେଶୀ ଦର୍ଶକ ଏବେ ପୁରୀମୁହାଁ ହୋଇଛନ୍ତି।
ଶିକ୍ଷାନୁଷ୍ଠାନର ଅତିଥି ଭବନରେ ବି ରହିବେ
ଭୁବନେଶ୍ୱର ଓ ଏହାର ଆଖପାଖରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନ, ବେସରକାରୀ ପ୍ରତିଷ୍ଠାନ, କର୍ପୋରେଟ୍ ସଂସ୍ଥାଗୁଡ଼ିକର ଗେଷ୍ଟ ହାଉସ୍କୁ ଅତିଥିମାନଙ୍କ ରହଣି ପାଇଁ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନୁରୋଧ କରାଯାଇଛି। ଏହାବ୍ୟତୀତ କ୍ରୀଡ଼ାବିତ୍ ଓ ଅତିଥିଙ୍କ ଯାତାୟାତ ପାଇଁ ମଧ୍ୟ ସ୍ୱତନ୍ତ୍ର ବନ୍ଦୋବସ୍ତ ହେଉଛି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ କରିବାକୁ ହୋଟେଲ ଓ ଟୁର୍ ଅପରେଟରଙ୍କୁ କୁହାଯାଇଛି। କନ୍ଭେନ୍ସନ୍ ସେଣ୍ଟର, ନାଇଟ୍ଲାଇଫ୍ ସହ ଖାଦ୍ୟର ମାନ ଠିକ୍ କରିବା ଉପରେ ହୋଟେଲଗୁଡ଼ିକ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।