ହକି ବିଶ୍ୱକପ୍‌ ପାଇଁ ବଦଳିବ ରାଜଧାନୀ ରୂପ

ଖେଳାଳିଙ୍କ ପାଇଁ ଆସିବ ୨୦ ଭଲ୍‌ଭୋ ବସ୍‌

ଖେଳାଳି, ଖେଳ ଅଧିକାରୀ ଓ କର୍ମଚାରୀଙ୍କ ଯାତାୟାତ ପାଇଁ ୩୨ ଦିନ ଲାଗି ୨୦ଟି ଭଲ୍‌ଭୋ ବସ୍‌ ଯୋଗାଇବାକୁ ହକି ଇଣ୍ଡିଆ କ୍ରୀଡ଼ା ବିଭାଗକୁ କହିଛି। ଏହି ବସ୍‌ ଯୋଗାଇବା ଦାୟିତ୍ୱ ଓଟିଡିସି ଓ ଓଆର୍‌ଟିସିକୁ ଦିଆଯାଇଛି। କେଉଁଠୁ କେତୋଟି ଭଲ୍‌ଭୋ ବସ୍‌ ଆସିବ, ଓଟିଡିସି, ଓଆର୍‌ସିଟିସି କେତୋଟି ଲେଖାଏଁ ବସ୍‌ ଯୋଗାଇବେ, କେଉଁ ହୋଟେଲ, ଟ୍ରାଭେଲ୍‌ସ ସଂସ୍ଥାରୁ କେତୋଟି ବସ୍‌ ଆସିବ, ବାହାର ରାଜ୍ୟରୁ କେତୋଟି ବସ୍‌ ଆସିବ ତାହାର ତାଲିକା ପର୍ଯ୍ୟଟନ ବିଭାଗ ପ୍ରସ୍ତୁତ କରିବାକୁ କୁହାଯାଇଛି। ଖେଳାଳି ଓ ଅଧିକାରୀମାନେ କେଉଁ କେଉଁ ପର୍ଯ୍ୟଟନସ୍ଥଳୀ ବୁଲିବେ, କେଉଁଠିକୁ ମାର୍କେଟିଂ ପାଇଁ ଯିବେ, କେଉଁ ହୋଟେଲ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ, କିପରି ଯିବେ ତାହାର ରୁଟ୍‌ ଚାର୍ଟ ପ୍ରସ୍ତୁତ କରିବାକୁ ପର୍ଯ୍ୟଟନ ବିଭାଗ/ବିଏମ୍‌ସି/ବିଡିଏକୁ ଦାୟିତ୍ୱ ଦିଆଯାଇଛି।

ରାଜଧାନୀରେ ଗଡ଼ିବ ଅଧିକ ୨୦୦ ସିଟିବସ୍‌
ବିଶ୍ୱକପ୍‌ ପୂର୍ବରୁ ୨୦୦ଟି ନୂଆ ସିଟି ବସ୍‌ ଚଳାଇବାକୁ ବିଡିଏ ଯୋଜନା କରିଛି। ଏବେ ୧୧୦ଟି ସିଟି ବସ୍‌ ଚାଲୁଥିବାବେଳେ ଏହା ୩୧୦କୁ ବୃଦ୍ଧି ପାଇବ। ଏଥିରେ ୬୨ଟି ଏସି ବସ୍‌ ରହିବ। ୪୦ରୁ ୫୦ଟି ସ୍ୱତନ୍ତ୍ର ବସ୍‌ କଳିଙ୍ଗ ଷ୍ଟାଡିୟମ୍‌ ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରିବା ପାଇଁ ଚାଲିବ। ଅକ୍ଟୋବର ୧୫ ସୁଦ୍ଧା ଏହି ବସ୍‌ ଚାଲିବ ବୋଲି ନିଷ୍ପତ୍ତି ହୋଇଛି।

ଚନ୍ଦ୍ରଶେଖରପୁରରେ ଖୋଲିବ ସ୍ୱତନ୍ତ୍ର ଟ୍ରାଫିକ ଓ୍ଵିଙ୍ଗ୍‌
ରାଜଧାନୀର ଦ୍ୱିତୀୟ ଟ୍ରାଫିକ୍‌ ଓ୍ଵିଙ୍ଗ୍‌ ଚନ୍ଦ୍ରଶେଖରପୁରରେ ଖୋଲିବ। ଏନେଇ କମିସନରେଟ୍‌ ପୁଲିସ ପକ୍ଷରୁ ଗୃହ ବିଭାଗକୁ ପ୍ରସ୍ତାବ ଦିଆଯାଇଥିବାବେଳେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କୁହାଯାଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅଧିକ ଟ୍ରାଫିକ ପୁଲିସ ମୁତୟନ କରିବା, ରାସ୍ତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ରୋଡ୍‌ ସେଫ୍‌ଟି ସୋସାଇଟି ପକ୍ଷରୁ ୧୫କୋଟି ଦେବାକୁ କୁହାଯାଇଛି।

ଜନତା ମଇଦାନରେ ପାର୍କିଂ

ଷ୍ଟାଡିୟମର ସିଟ୍‌ କ୍ଷମତା ୧୬ହଜାରକୁ ବଢ଼ାଇବା ଯୋଗୁଁ ଦର୍ଶକଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣା ହୋଇଛି। ତେଣୁ ଟ୍ରାଫିକ୍‌ ପରିଚାଳନା ପାଇଁ କମିସନରେଟ୍‌ ପୁଲିସକୁ ଆଗୁଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ସମସ୍ତ ଗାଡ଼ିକୁ ଜନତା ମଇଦାନରେ ପାର୍କିଂ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ବିଡିଏ ୩୦ଏକର ଜମି ଯୋଗାଇବ। କେଉଁ ଅଞ୍ଚଳରେ ଚାରି ଚକିଆ, କେଉଁଠି ବସ୍‌ ଏବଂ ବଡ଼ଗାଡ଼ି, କେଉଁଠି ଦୁଇ ଚକିଆ ଯାନ ପାର୍କିଂ ହେବ ସେନେଇ କମିସନରେଟ୍‌ ପୁଲିସ ଓ ବିଡିଏ କର୍ତ୍ତୃପକ୍ଷ ଯୁଗ୍ମ ପରିଦର୍ଶନ କରି ନିଷ୍ପତ୍ତି ନେବାକୁ କୁହାଯାଇଛି।

ଖୁବ୍‌ ଶୀଘ୍ର ଭଙ୍ଗା ହେବ ବିଶ୍ୱକର୍ମା ମନ୍ଦିର

କଳିଙ୍ଗ ଷ୍ଟାଡିୟମ୍‌ ସମ୍ପ୍ରସାରଣରେ ନୂଆ ଏଜି କଲୋନି ସମ୍ମୁଖରେ ଥିବା ବିଶ୍ୱକର୍ମା ମନ୍ଦିର ବାଧକ ସାଜୁଥିବାରୁ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି। ଏପରିକି ଫେବ୍ରୁଆରି ୨୮ତାରିଖ ସୁଦ୍ଧା ଏହାକୁ ଭାଙ୍ଗିବାକୁ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌-୨୦୧୮ ପାଇଁ ବସିଥିବା ଦ୍ୱିତୀୟ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ କମିସନରେଟ୍‌ ପୁଲିସ, ସାଧାରଣ ପ୍ରଶାସନ ବିଭାଗ, ବିଏମ୍‌ସି ଓ ବିଡିଏକୁ ଦାୟିତ୍ୱ ଦିଆଯାଇଥିବାବେଳେ ମନ୍ଦିର ଭଙ୍ଗା ହୋଇନି। ଏହି ମନ୍ଦିର ଭାଙ୍ଗିଲେ ମନ୍ଦିର କମିଟିକୁ ଅନ୍ୟ କେଉଁଠି ଜମି ଦିଆଯିବ କି ଅନ୍ୟ କିଛି ବ୍ୟବସ୍ଥା କରାଯିବ ସେନେଇ ନିଷ୍ପତ୍ତି ନେବାକୁ ବିଏମ୍‌ସିକୁ ଦାୟିତ୍ୱ ଦିଆଯାଇଛି। କେବେ ମନ୍ଦିର ଭଙ୍ଗାଯିବ ସେନେଇ ତାରିଖ ଧାର୍ଯ୍ୟ କରିବାକୁ କମିସନରରେଟ୍‌ ପୁଲିସକୁ କୁହାଯାଇଛି।

ଷ୍ଟାଡିୟମ୍‌ ଚାରିକଡ଼େ ଲାଗିବ ସିସିକ୍ୟାମେରା
ଷ୍ଟାଡିୟମ୍‌ର ଭିତର ଓ ବାହାର ପାର୍ଶ୍ୱରେ ସିସିଟିଭି ଲାଗିବ। ପୂରା ଷ୍ଟାଡିୟମ୍‌ ସିସିଟିଭି ନଜରରେ ରହିବ। ଏହାକୁ ଦେଖି ପଦକ୍ଷେପ ନେବା ପାଇଁ ସ୍ୱତନ୍ତ୍ର ଭାବେ ସ୍ଥାୟୀ ସିସିଟିଭି ନିୟନ୍ତ୍ରଣ ରୁମ୍‌ ହେବ। ବର୍ତମାନ ଯେତିକି ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌ ଅଛି ତାହା ବାଦ୍‌ ଅତିରିକ୍ତ ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌ କରିବାକୁ କୁହାଯାଇଛି। କମିସନରେଟ୍‌ ପୁଲିସ ଏ ଦିଗରେ ପଦକ୍ଷେପ ନେବ।

ଖୁବ୍‌ ଶୀଘ୍ର ଲୋକାର୍ପିତ ହେବ ଭିଜିଟ୍‌ ଭୁବନେଶ୍ୱର ‘େଓ୍ଵବସାଇଟ୍‌’
ରାଜଧାନୀର କେଉଁ ଜାଗାରେ କ’ଣ ଅଛି, କେଉଁ ସ୍ଥାନ କେଉଁଥିପାଇଁ ପ୍ରସିଦ୍ଧ, କେଉଁଠୁ କେଉଁ ସ୍ଥାନର ଦୂରତ କେତେ, କେଉଁ ପର୍ଯ୍ୟଟନସ୍ଥଳୀ କେଉଁଥିପାଇଁ ପ୍ରସିଦ୍ଧ, ସେଠାରେ କ’ଣ ଦେଖିବାକୁ ମିଳିବ, କିପରି ଯିବେ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପର୍ଯ୍ୟଟକଙ୍କୁ ସହଜରେ ଉପଲବ୍ଧ କରାଇବା ପାଇଁ ଭିଜିଟ୍‌ ଭୁବନେଶ୍ୱର େଓ୍ଵବସାଇଟ୍‌ ପ୍ରସ୍ତୁତ ହେଉଛି। ବିଏମ୍‌ସି ଏହି େଓ୍ଵବସାଇଟ୍‌ ପ୍ରସ୍ତୁତ କରୁଥିବାବେଳେ ଏହାକୁ ଖୁବ୍‌ ଶୀଘ୍ର ଲୋକାର୍ପିତ କରିବାକୁ ଯୋଜନା ହୋଇଛି।

ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଫ୍ୟାସନ ସୋ’, ଲାଗିବ ଏଲ୍‌ଇଡି ପରଦା
ହକି ବିଶ୍ୱକପ୍‌କୁ ଅଧିକରୁ ଅଧିକ ଯୁବବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଖେଳ ସମୟରେ ଫ୍ୟାସନ୍‌ ସୋ’ ଆୟୋଜନ କରାଯିବ। ଏଥିରେ ଦେଶର ଏବଂ ରାଜ୍ୟର ବହୁ ପ୍ରତିଷ୍ଠିତ ମଡେଲ୍‌ କ୍ୟାଟ୍‌ ଓ୍ଵାକ୍‌ କରିବେ। କଳିଙ୍ଗ ଷ୍ଟାଡିୟମରେ କିମ୍ବା ପ୍ରଦର୍ଶନୀ ପଡ଼ିଆରେ ଏହି ଫ୍ୟାସନ୍‌ ସୋ’ ଆୟୋଜନ ହେବ। ସେହିପରି ହକି ମ୍ୟାଚ୍‌ ଯେପରି ରାଜଧାନୀର ବିଭିନ୍ନ ସ୍ଥାନରେ ସିଧା ପ୍ରସାରଣ କରାଯିବ ସେଥିପାଇଁ ବିଭିନ୍ନ ସ୍ଥାନରେ ଏଲ୍‌ଇଡି ସ୍କ୍ରିନ୍‌ ଲଗାଇବାକୁ ଯୋଜନା ହୋଇଛି। କେଉଁଠି ଏଲ୍‌ଇଡି ସ୍କ୍ରିନ୍‌ ଲାଗିବ ସେନେଇ ଜାଗା ଚିହ୍ନଟ କରିବାକୁ ବିଏମ୍‌ସିକୁ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର