ଭୁବନେଶ୍ବର: ଜାନୁଆରିରେ ପୁରୁଷ ହକି ବିଶ୍ବକପ୍। ରାଉରକେଲା ସମେତ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ କ୍ରୀଡ଼ା ଲାଗି ରାଜଧାନୀରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ହାତରେ ଆଉ ମାତ୍ର ୪୦ ଦିନ ବାକି ଥିବା ବେଳେ ପୂରା ଭୁବନେଶ୍ବରକୁ ନୂଆ ରୂପ ଦିଆଯାଉଛି। ପାର୍କରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ, ସବୁଠି ଚାଲିଛି ସାଜସଜ୍ଜା। ହକି ବିଶ୍ବକପ୍ ସମୟରେ ରାଜଧାନୀକୁ ଆସିବାକୁ ଥିବା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ଯେମିତି କିଛି କ୍ଷଣ ଲାଗି ଗୋଟିଏ ସ୍ଥାନରେ ଅଟକି ରହିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ପାର୍କ ହେଉ କି ସ୍ମାର୍ଟ ଜନପଥ, ମନ୍ଦିର ହେଉ କି ଐତିହ୍ୟ କୀର୍ତ୍ତିରାଜି, ସବୁଠି ମନୋରଞ୍ଜନର ଖୋରାକ୍ ମିଳିବ। ବିଏମ୍ସି, ବିଡିଏ, ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଲି), ଏନ୍ଏଚ୍ଏଆଇ, ଟିପିସିଓଡିଏଲ୍, ଇ ଆଣ୍ଡ ଆଇଟି ବିଭାଗ, କ୍ରୁଟ୍, ୱାଟକୋ, ଗେଲ୍ ଓ ପୁଲିସ ବିଭାଗ ମିଳିତ ଭାବେ ବିକାଶ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଜାନୁଆରି ୧୩ରୁ ବିଶ୍ବକପ୍ ଆରମ୍ଭ ହେଉଥିବାରୁ ଜାନୁଆରି ୫ ତାରିଖ ସୁଦ୍ଧା ସମସ୍ତ ସୁବିଧା ଉପଲବ୍ଧ କରିବାକୁ ନିର୍ଦେଶ ଦିଆଯାଇଛି।
ସହରର ୮୦ କିମି ରାସ୍ତାର ସୌନ୍ଦର୍ଯ୍ୟୀକରଣ କରାଯାଉଛି। ପୂର୍ତ୍ତ ବିଭାଗର ଡିଭିଜନ୍-୧ ଅଧୀନରେ ୧୦ କିମି, ଡିଭିଜନ୍-୨ ଅଧୀନରେ ୨୦, ଡିଭିଜନ୍-୩ ଅଧୀନରେ ୨୭, ଡିଭିଜନ୍-୪ ଅଧୀନରେ ୮, ବିଏସ୍ସିଏଲ୍ ଅଧୀନରେ ୫ ଓ ଜାତୀୟ ରାଜପଥ ଅଧୀନ ୯ କିମି ରାସ୍ତାର ସୌନ୍ଦର୍ଯ୍ୟୀକରଣ ହେବ। ବିଏମ୍ସି ଉତ୍ତର ଜୋନ୍ରେ କିଟ୍ ରୋଡ୍, ଟେକ୍ନୋଲୋଜି କରିଡର, ଇନ୍ଫୋସିଟି ରୋଡ, କିଟ୍ ଛକଠାରୁ ଜୟଦେବ ବିହାର, ଓମ୍ପଫେଡ୍ ଛକରୁ ପ୍ରେସ୍ ଛକ ଓ କଳିଙ୍ଗ ହସ୍ପିଟାଲ ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ୧୬.୨୧ କିମି ରାସ୍ତାର ଉନ୍ନତୀକରଣ ହେବ। ଦକ୍ଷିଣ ପୂର୍ବ ଜୋନ୍ରେ ବାଣୀବିହାରରୁ ରସୁଲଗଡ଼, ରସୁଲଗଡ଼ରୁ କଳ୍ପନା, କଳ୍ପନା ଛକରୁ ସଂଗ୍ରହାଳୟ ଓ ରାଜମହଲ, ସଂଗ୍ରହାଳୟରୁ ଗ୍ୟାରେଜ ଛକ ଓ ମାଉସୀମା ମନ୍ଦିର ଛକ, ରଥ ରୋଡ୍, ଭୀମଟାଙ୍ଗୀ ରୋଡ, ପୁନମା ଗେଟ୍ରୁ ବଢ଼େଇବାଙ୍କ ଛକ, ମାଉସୀ ମା’ ମନ୍ଦିର ଛକରୁ ଶିଶୁଭବନ ଛକ, ଫରେଷ୍ଟ ପାର୍କ ବସ୍ଷ୍ଟାଣ୍ଡରୁ ପୁନମା ଗେଟ୍ ଯାଏ ୧୬.୯୪ କିମି ରାସ୍ତାର ବିକାଶ ହେବ। ଏହି ଜୋନ୍ର ଜୟଦେବବିହାରଠାରୁ ବାଣୀବିହାର ଓ ରାଜଭବନ ଛକ, ଆଚାର୍ଯ୍ୟବିହାରରୁ ବିମାନବନ୍ଦର ଛକ, ବିମାନବନ୍ଦର ଛକରୁ ବିମାନବନ୍ଦର ଗୋଲେଇ, ରାଜମହଲରୁ ରାଜଭବନ ଛକ, ଶିଶୁଭବନରୁ କ୍ୟାପିଟାଲ ହସ୍ପିଟାଲ ଛକ, ରବୀନ୍ଦ୍ରମଣ୍ଡପରୁ ୧୨୦ ବାଟାଲିୟନ୍, ରାମମନ୍ଦିର ଛକରୁ ହାଉସିଂ ବୋର୍ଡ ଛକ, ରେଡ୍କ୍ରସ୍ ଛକରୁ ଶାସ୍ତ୍ରୀନଗର ଛକ, କଳିଙ୍ଗ ଷ୍ଟାଡିୟମ୍ରୁ ନିକୋ ପାର୍କ ଦେଇ ଜନପଥ, ଶିଶୁଭବନରୁ ଡେଲ୍ଟା ଛକ, ଫାୟାର ଷ୍ଟେସନ ଛକରୁ ଖଣ୍ଡଗିରି ପର୍ଯ୍ୟନ୍ତ ୨୨.୪୩ କିମି ରାସ୍ତାକୁ ନୂଆ ରୂପ ଦିଆଯିବ।
ବାଣୀବିହାରରୁ ଶିଶୁଭବନ ପର୍ଯ୍ୟନ୍ତ ଜନପଥର ୪.୮୬ କିମି ରାସ୍ତାର ଉନ୍ନତୀକରଣ ଓ ପରିଚାଳନା ବିଏସ୍ସିଏଲ୍ କରିବ। ଦକ୍ଷିଣ-ପଶ୍ଚିମ ଜୋନ୍ ଅଧୀନରେ ଜୟଦେବବିହାରରୁ ଖଣ୍ଡଗିରି, ରାଜଭବନ ଛକରୁ ଗଙ୍ଗନଗର ଛକ, ଷ୍ଟୁଆର୍ଟ ସ୍କୁଲରୁ ପାୱାର ହାଉସ୍ ଛକ, ଡେଲ୍ଟା ଛକ ଓ ସିଆରପି ପର୍ଯ୍ୟନ୍ତ, ଡେଲ୍ଟା ଛକରୁ ଫାୟାର ଷ୍ଟେସନ ଛକ, ଗୋପବନ୍ଧୁ ଛକରୁ ରାଜଭବନ ଛକ, ଶିରିପୁର ଛକ ଓ ପାଇକନଗର ଛକ, ସିଆରପି ଛକରୁ ଜୟଦେବ ବିହାର, ଖଣ୍ଡଗିରି ଛକରୁ ଲିଙ୍ଗରାଜ ରେଲୱେ ଗେଟ୍ ପର୍ଯ୍ୟନ୍ତ ୨୩.୬୭ କିମିର ସୌନ୍ଦର୍ଯ୍ୟକରଣ ହେବ। ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍ଡିସି) ପକ୍ଷରୁ ଉକ୍ତ ୮୦ କିମିର ମେଡିଆନ୍ ଓ ରାସ୍ତାପାର୍ଶ୍ବ ଏବଂ ୩୦ଟି ଛକର ଲ୍ୟାଣ୍ଡସ୍କେପ୍ କାର୍ଯ୍ୟ ଜାନୁଆରି ୫ ସୁଦ୍ଧା ସରିବ।
୯ ପାର୍କରେ ସ୍ବତନ୍ତ୍ର ସାଜସଜ୍ଜା
/sambad/media/post_attachments/wp-content/uploads/2022/12/55.jpg)
ହକି ବିଶ୍ବକପ୍ ପୂର୍ବରୁ ରାଜଧାନୀର ୯ଟି ପାର୍କକୁ ସ୍ବତନ୍ତ୍ର ଭାବେ ସଜାଯିବ। ଏଥିରେ ଆଇଜି ପାର୍କ, ଫରେଷ୍ଟ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ବିଡିଏ ସିଟି ସେଣ୍ଟର, ଏକାମ୍ର କାନନ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ପାର୍କ, ମଧୁସୂଦନ ପାର୍କ, ନନ୍ଦନକାନନ ଉଦ୍ଭିଦ ଉଦ୍ୟାନ ଓ ଭରତପୁର ଫରେଷ୍ଟ ସଫାରି ରହିଛି। ପାର୍କଗୁଡ଼ିକୁ ନୂଆ ରୂପ ଦିଆଯିବା ସହ ଆଲୋକୀକରଣ କରାଯିବ। ଏଥିସହ ଖଣ୍ଡଗିରି-ଉଦୟଗିରି, ଗାନ୍ଧୀ ଶାନ୍ତି କେନ୍ଦ୍ର, ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଶିଖରଚଣ୍ଡୀ, ଇସ୍କନ୍ ମନ୍ଦିର, ରାଜ୍ୟ ସଂଗ୍ରହାଳୟ, ଆଦିବାସୀ ସଂଗ୍ରହାଳୟ, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ, କଳାଭୂମି, ଏକାମ୍ର ହାଟ, ରବୀନ୍ଦ୍ରମଣ୍ଡପର ସାଜସଜ୍ଜା ହେବ। ବାଣିଜ୍ୟକ ସ୍ଥଳୀ ଯେପରିକି ଏସ୍ପ୍ଲାନେଡ୍ ମଲ୍, ଡିଏନ୍ ରେଗାଲିଆ, ପାଲ୍ ହାଇଟ୍ସ, ଶିଖରଚଣ୍ଡୀ ରୋଡ୍ ଓ ଇନ୍ଫୋସିଟି ରୋଡ୍, କିଟ୍ ରୋଡ ଓ ଜାଗମରା ରୋଡ୍ରେ ଥିବା ଖାଓଗଳିକୁ ଅଧିକ ଲୋକ ଆସୁଥିବାରୁ ସେଥିପ୍ରତି ଗୁରୁତ୍ବ ଦେବାକୁ ନିଷ୍ପତ୍ତି ହୋଇଛି।
ଆଲୋକରେ ଝଲସିବ ଓଭରବ୍ରିଜ୍
/sambad/media/post_attachments/wp-content/uploads/2022/12/56.jpg)
ଏଥର ବି ଜୟବେଦବବିହାର, ଆଚାର୍ଯ୍ୟବିହାର, ବାଣୀବିହାର, ରାଜମହଲ ଫ୍ଲାଏଓଭର, ଜନପଥ, ମଧୁସୂଦନ ମାର୍ଗକୁ ଜାନୁଆରି ୫ରୁ ଆଲୋକୀକରଣ କରାଯିବ। ସମସ୍ତ ପ୍ରମୁଖ ପାର୍କରେ ସର୍ବନିମ୍ନ ମୌଳିକ ସୁବିଧା ସହ ୩୦ଟି ଛୋଟ ପାର୍କରେ ମରାମତି, ସାଇନ୍ଏଜ୍ ଲଗାଇବା, ଆଲୋକୀକରଣ, ସାମଗ୍ରୀଗୁଡ଼ିକର ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଇଟିସି ୱେଲକମ୍ ଓ ତାଜ୍ ଭିବାନ୍ତା ନିକଟ, ଏଜି ଛକରୁ ଲୋୟର ପିଏମ୍ଜି, ଲୋୟର ପିଏମ୍ଜିରୁ ଓଏସ୍ଏଚ୍ବି ଓ ଓଏସ୍ଏଚ୍ବିରୁ ନିକୋ ପାର୍କ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଡିଏ ପକ୍ଷରୁ ଜାରି ରହିଛି।
ଖୋଲିବ ଅସ୍ଥାୟୀ ପର୍ଯ୍ୟଟକ ସୂଚନା କେନ୍ଦ୍ର
ପର୍ଯ୍ୟଟକଙ୍କ ଲାଗି ଜାନୁଆରି ୫ରୁ ପର୍ଯ୍ୟଟନ ସ୍ଥଳୀରେ ବିଭିନ୍ନ ସୁବିଧା ଉପଲବ୍ଧ କରାଯିବ। ଜାନୁଆରି ୫ରୁ ୩୧ ଯାଏ ଅସ୍ଥାୟୀ ପର୍ଯ୍ୟଟକ ସୂଚନା କେନ୍ଦ୍ର ଖୋଲିବ। ସହରର ପ୍ରମୁଖ ସ୍ଥାନର ବ୍ରୋଚର ପ୍ରସ୍ତୁତ କରିବ ପର୍ଯ୍ୟଟନ ବିଭାଗ। ଜାତୀୟ ରାଜପଥ-୧୬ର ୨୧ କିମି ରାସ୍ତା ବିକାଶ କାର୍ଯ୍ୟ ଡିସେମ୍ବର ୩୧ ସୁଦ୍ଧା ସାରିବାକୁ ଏନ୍ଏଚ୍ଏଆଇକୁ କୁହାଯାଇଛି। ରାଜପଥରେ ଥିବା ରାସ୍ତାପାର୍ଶ୍ବ ଗାତ ଓ ଲାଇଟ୍ଗୁଡ଼ିକର ମରାମତି, କାର୍ପେଟିଂ, ଲେନ୍ ମାର୍କିଂ, ଡ୍ରେନ୍ କଭର୍ ମରାମତି ଓ ଲଗାଇବା, ସାଇନ୍ଏଜ୍ ମରାମତି ଓ ସଂଯୋଗୀକରଣ, ଷ୍ଟ୍ରିଟ୍ଲାଇଟିଂ କାର୍ଯ୍ୟ ସରିବ। ପୂର୍ତ୍ତ ବିଭାଗ ପକ୍ଷରୁ ୮୦ କିମି ରାସ୍ତାର ସାଇକେଲ୍ ଟ୍ରାକ୍ ମରାମତି, ପେଣ୍ଟିଂ, ସାଇନ୍ ମାର୍କିଂ, ସାଇନ୍ଏଜ୍ ମରାମତି, ଗାଲିଚା ବିଛା, ଲେନ୍ ମାର୍କିଂ କରାଯିବ।
ଜାନୁଆରି ୩୧ ଯାଏ କାମ ମନା
ଆଜିଠାରୁ ଜାନୁଆରି ୩୧ ପର୍ଯ୍ୟନ୍ତ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର ବିନା ଅନୁମତିରେ ସହରର କୌଣସି ବି ରାସ୍ତାକୁ ୱାଟକୋ, ଗେଲ୍ କିମ୍ବା ଇଣ୍ଟରନେଟ୍ ସେବା ଯୋଗାଉଥିବା ସଂସ୍ଥା ଖୋଳିପାରିବେ ନାହିଁ। ଗୁରୁତ୍ବପୂର୍ଣ୍ଣ ରୋଡ ନେଟ୍ୱାର୍କ(ପିଆରଏନ୍)-୨କୁ ଅଧିକ ଗୁରୁତ୍ବ ଦିଆଯିବ। ଡିସେମ୍ବର ୩୧ ସୁଦ୍ଧା ଯେପରି ସମସ୍ତ ଏଜେନ୍ସି ଓ ବିଭାଗ କାର୍ଯ୍ୟ ଶେଷ କରି ହସ୍ତାନ୍ତର କରିବେ ସେଦିଗରେ କାର୍ଯ୍ୟ କରିବେ।
ବ୍ରାଣ୍ଡିଂ ହେବ ମୋ’ ବସ୍
ମୋ’ ବସ୍ଗୁଡ଼ିକୁ ବ୍ରାଣ୍ଡିଂ କରାଯିବ। ଯେଉଁଥିରେ ହକି ବିଶ୍ବକପ୍-୨୩ ଓ ଡଟ୍ ଫେଷ୍ଟ-୨୩ ଉଲ୍ଲେଖହେବ। ସୁଦକ୍ଷ ବସ୍ ପାଇଲଟ୍ ଓ ଗାଇଡ୍ ରହିବେ। ବସ୍ଗୁଡ଼ିକରେ ସ୍ବଚ୍ଛତା ରହିବ। ସିଟ୍ଗୁଡ଼ିକର ମରାମତି, ହ୍ୟାଣ୍ଡେଲ ଲଗାଇବା, ଅଭ୍ୟନ୍ତରୀଣ ଓ ବାହ୍ୟ ବ୍ରାଣ୍ଡିଂ କରିବା ଉପରେ କ୍ରୁଟ୍ ଗୁରୁତ୍ବଦେବ। ବସ୍ଷ୍ଟାଣ୍ଡଗୁଡ଼ିକର ମରାମତି ସହ ନାମ, ସାଇନ୍ଏଜ୍, ରୁଟ୍ ନାମ, ବେଞ୍ଚ ପକାଇବା, ଲାଇଟିଂ, ଡଷ୍ଟବିନ୍ ଲଗାଇବାକୁ କୁହାଯାଇଛି। ଜାନୁଆରି ପହିଲାରୁ ୩୧ ତାରିଖ ପର୍ଯ୍ୟନ୍ତ ଯେପରି ଇଣ୍ଟରନେଟ୍ ସେବାରେ ଅସୁବିଧା ନ ହୁଏ, ସେଥିପ୍ରତି ଗୁରୁତ୍ବ ଦେବ ଆଇଟି ବିଭାଗ। ବିଦ୍ୟୁତ୍ ଖୁଣ୍ଟରୁ ସମସ୍ତ ପ୍ରକାର ଘରୋଇ ଓ ବେଆଇନ କେବୁଲ୍ ହଟାଇବା, ବିଦ୍ୟୁତ୍ ସବ୍ଷ୍ଟେସନ ଭିତ୍ତିଭୂମି ସୁଦୃଢ଼, ବିଦ୍ୟୁତ୍ ସେବାରେ ଯେପରି କୌଣସି ପ୍ରକାର ବାଧା ସୃଷ୍ଟି ନ ହୁଏ, ସେଥିପ୍ରତି ଟିପିସିଓଡିଏଲ୍ ଗୁରୁତ୍ବ ଦେବ।