ହକି ସ୍ପନ୍ଦନ : ଦିନ ୨ଟାରେ ପ୍ରବେଶ, ସାଢ଼େ ୫ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ବର : ମଞ୍ଚ ପ୍ରସ୍ତୁତ। ମନୋରଂଜନ କରିବା ପାଇଁ କଳାକାର ପ୍ରସ୍ତୁତ। ଦେଖିବାକୁ ଦର୍ଶକ ବି ପ୍ରସ୍ତୁତ। ଆଉ ମାତ୍ର କେଇ କ୍ଷଣର ପ୍ରତୀକ୍ଷା। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମଞ୍ଚ ଉପରେ ମାୟା ଲଗାଇ ମନ ଟାଣିବାକୁ ମନୋରଂଜନରେ ନୂଆ କିଛି ଦେଖାଇବା ପାଇଁ ଉଦ୍ୟମ କରାଯାଇଛି। ଉଦ୍‌ଘାଟନୀ ପର୍ବର ଆଡ଼ମ୍ବରକୁ ଦୁନିଆ ଆଖିରେ ସ୍ମରଣୀୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ହୋଇଛି। ସରକାର ଏହି ଦିନରେ ଭୁବନେଶ୍ବରର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି। ହକି ଉଦ୍‌ଘାଟନୀକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଆସନ୍ତାକାଲି ସାଢ଼େ ୫ଟା ବେଳେ ଉଦ୍‌ଘାଟନ ପର୍ବ ଆରମ୍ଭ ହେବାକୁ ଯାଉଛି। ମାତ୍ର ଏହାର ସାଢ଼େ ୩ ଘଣ୍ଟା ପୂର୍ବରୁ ଅର୍ଥାତ ଦିନ ୨ଟାରେ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଇଛି।

କେଉଁ ଗେଟ୍‌ରେ ପ୍ରବେଶ କରିବେ

କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରବେଶ ପାଇଁ ୯ଟି ଗେଟ୍‌ ରହିଛି। ତେବେ ସମସ୍ତ ଗେ‌ଟ୍‌ ଦେଇ ଦର୍ଶକମାନେ ପ୍ରବେଶ କରିପାରିବେ ନାହିଁ। ୯ ନମ୍ବର ଗେଟ୍‌ ବାଟେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଭିଭିଆଇପିମାନେ ପ୍ରବେଶର ବନ୍ଦୋବସ୍ତ କରାଯାଇଛି। ସେହିଭଳି ୨ ନମ୍ବର ଗେଟ୍‌ରେ ପାସ୍‌ଧାରି, ଗଣମାଧ୍ୟମ ପ୍ରତିନିଧି ଏବଂ ମ୍ୟାଚ୍‌ ଅଫିସିଆଲ୍‌ମାନେ ପ୍ରବେଶ କରିବେ। ୪ ନମ୍ବର ଗେଟ୍‌ରେ କେବଳ ଖେଳାଳିମାନେ ଷ୍ଟାଡିୟମ ଭିତରକୁ ଯିବେ। ୨, ୪ ଓ ୯ ନମ୍ବର ଗେଟ୍‌କୁ ଛାଡ଼ି ଅନ୍ୟ ୬ଟି ଗେଟ୍‌ରେ ଦର୍ଶକମାନେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ପଡ଼ିଆ ଭିତରକୁ ପାଣି ବୋତଲ ମନା

କଳିଙ୍ଗ ଷ୍ଟାଡିୟମ୍‌ ଭିତରକୁ କେତେକ ଜିନିଷ ନେବାକୁ ବାରଣ କରାଯାଇଛି। ପାଣି ବୋତଲ, ଦିଆସିଲି, ରେଜା ପଇସା, ଛୋଟ ଛୁରି ଓ ଲାଇଟର୍‌ ଆଦି ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି। ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ବି ଏସବୁ ଜିନିଷ ନେଇ ‌ପ୍ରବେଶ କରିବେ ସେଗୁଡ଼ିକୁ ପ୍ରବେଶ ଗେଟ୍‌ ନିକଟରେ ଯାଞ୍ଚ୍‌ ପରେ ବାହାର କରିଦିଆଯିବ।

ଷ୍ଟାଡିୟମ ଉପରେ ନଜର ରଖିବ ଡ୍ରୋନ୍‌ କ୍ୟାମେରା

ହକି ଉଦ୍‌ଘାଟନୀ ପର୍ବ ‌ଡ୍ରୋନ୍‌ କ୍ୟାମେରା ନଜରରେ ରହିବ। ‌ଉଦ୍‌ଘାଟନୀ ସମେତ ଖେଳ ସମୟରେ ଡ୍ରୋନ୍‌ କ୍ୟାମେରା କଳିଙ୍ଗ ଷ୍ଟାଡିୟମ ଚାରିପଟରେ ଚକ୍କର ଲଗାଇବ। ଏହି କ୍ୟାମେରାଗୁଡ଼ିକୁ କଣ୍ଟ୍ରୋଲ୍‌ ରୁମ୍‌ରୁ ନିୟନ୍ତ୍ରିତ କରାଯିବ। ଏହି କ୍ୟାମେରା ଜରିଆରେ ଉତ୍ତୋଳିତ ସମସ୍ତ ଚିତ୍ର ପୁଲିସ୍‌ କଣ୍ଟ୍ରୋଲ୍‌ ରମ୍‌ରେ ପହଞ୍ଚିବ। କମିସନରେଟ୍‌ ପୁଲିସ୍‌ର ବରିଷ୍ଠ ଅଧକାରୀମାନେ ଏହା ଉପରେ ନଜର ରଖିବେ।

 

ମାଧୁରୀଙ୍କ ସ୍ବତନ୍ତ୍ର ପୋଷାକ

ଉଦ୍‌ଘାଟନୀ ପର୍ବରେ ନୃତ୍ୟ ପାଇଁ ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କ ପାଇଁ ସ୍ବତନ୍ତ୍ର ଶୈଳୀରେ ପୋଷାକ ପ୍ରସ୍ତୁତ ହୋଇଛି। ଏହି ଅବସରରେ ମାଧୁରୀ ଭୂ ଦେବୀ ଭୂମିକାରେ ଅବତୀର୍ଣ୍ଣ ହେବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ତାଙ୍କ ପାଇଁ କଳା ଓ ଧଳା ରଙ୍ଗର ସ୍ବତନ୍ତ୍ର ପୋଷାକ ପ୍ରସ୍ତୁତ କରାଯାଇଛି। ଏହାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି ଡିଜାଇନର୍‌ ସ୍ବପ୍ନିଳ ସିନ୍ଧେ। ଆଜି ନୂପୁର ମହାଜନ ଓ ସ୍ବପ୍ନିଳ ସିନ୍ଧେ ଏହି ସ୍ବତନ୍ତ୍ର ପୋଷାକକୁ ପ୍ରଦର୍ଶିତ କରିଛନ୍ତି।

ସମ୍ବନ୍ଧିତ ଖବର