ହକି ବିଶ୍ବକପ, ପୁଲିସ କର୍ମଚାରୀଙ୍କୁ ସ୍ବତନ୍ତ୍ର ତାଲିମ

ଭୁବନେଶ୍ବର: ଆଗକୁ ରାଜଧାନୀରେ ଅନୁଷ୍ଠିତ ହେବ ହକି ବିଶ୍ବକପ୍‌। ଏନେଇ କମିସନରେଟ୍‌ ପୁଲିସ ସଜବାଜ ଆରମ୍ଭ ହୋଇଯାଇଛି। କମିସନରେଟ୍‌ ପୁଲିସ ସୁରକ୍ଷାକୁ ‌ଯେତିକି ଗୁରୁତ୍ବ ଦେଇଛି ସେମିତି ପୁଲିସ କର୍ମଚାରୀଙ୍କ ବ୍ୟବହାର ନେଇ ମଧ୍ୟ ଯତ୍ନବାନ ହୋଇଛି। କାରଣ ହକି ବି‌ଶ୍ବକପରେ ଯୋଗଦେବେ ୧୬ ଦେଶର ଖେଳାଳି। ସେମାନଙ୍କୁ ବିମାନବନ୍ଦରରୁ ହୋଟେଲ୍‌, ହୋଟେଲ୍‌ରୁ ବିମାନବନ୍ଦର ନେବାଆଣିବା କରିବାକୁ ହେବ। ସେହିପରି ହୋଟେଲ୍‌ରୁ ଷ୍ଟାଡିୟମ୍‌ ଓ ଷ୍ଟାଡିୟମ୍‌ରୁ ହୋଟେଲ୍‌ ନେବାଆଣିବା ପାଇଁ ପୁଲିସକର୍ମଚାରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ତେଣୁ ସେମାନଙ୍କ ସୁରକ୍ଷାଠାରୁ ଆରମ୍ଭ କରି ବୁଲାବୁଲି କରିବା ପାଇଁ ସ୍ବତନ୍ତ୍ର ୮୦ ପୁଲିସ କର୍ମଚାରୀଙ୍କୁ ଚୟନ କରାଯାଇଛି। ସେମାନେ ଖେଳାଳିଙ୍କୁ କିଭଳି ଉତ୍ତମ ବ୍ୟବହାର କରିବେ, କଥାବାର୍ତ୍ତା ହେବେ ସେ ଦିଗରେ ଖୁବ୍ ଯତ୍ନବାନ ରହିବେ। ଯେଉଁ ପୁଲିସ କର୍ମଚାରୀମାନେ ଏହି ଦ୍ବାୟିତ୍ବରେ ରହିବେ ସେମାନଙ୍କୁ ସ୍ବତନ୍ତ୍ର ଭାବେ ତାଲିମ୍‌ ଦିଆଯିବ। ଏଥିପାଇଁ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରେ ଥିବା ସିଆଇଏସ୍‌ଏଫ୍‌ ବରିଷ୍ଠ ଅଫିସରଙ୍କ ସହ କମିସନରେଟ୍‌ ପୁଲିସ କଥାବାର୍ତ୍ତା କରିଛି। ଚୟନ ହୋଇଥିବା ୮୦ ପୁଲିସ କର୍ମଚାରୀଙ୍କୁ ବିମାନବନ୍ଦର ପଠାଯିବ ବୋଲି ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି କହିଛନ୍ତି। ସେଠାରେ କାର୍ଯ୍ୟରତ ଥିବା ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କ ସହ ରହି ବ୍ୟବହାର ଉପରେ ଧ୍ୟାନ ଦେବେ‌ ବୋଲି କମିସନର ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର