ହକି ବିଶ୍ବକପ୍: ୩ ସହରରେ ୩ ଥାକିଆ ଖାଦ୍ୟ ଯାଞ୍ଚ

ଜାନୁଆରି ପର୍ଯ୍ୟନ୍ତ ଚାଲିବ, ବିଶୁଦ୍ଧ ପିଇବା ପାଣି, କୃତ୍ରିମ ରଙ୍ଗର ବ୍ୟବହାର, ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ

ଭୁବନେଶ୍ବର : ଆସନ୍ତାବର୍ଷ ଜାନୁଆରି ମାସରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ବକପ୍। ଭୁବନେଶ୍ବର ଓ ରାଉରକେଲାରେ ମ୍ୟାଚ୍‌ସବୁ ଖେଳାଯିବ। ତେବେ ହକି ବିଶ୍ବକପ୍‌ର ମାହୋଲ ଏହି ଦୁଇ ସହର ସହ ପୁରୀ ପର୍ଯ୍ୟନ୍ତ ବ୍ୟାପିବ। ତେଣୁ ବିଶ୍ବକପ୍ ପୂର୍ବରୁ ଏହି ୩ ସହରରେ ୩ଟି ପର୍ଯ୍ୟାୟରେ ହୋଟେଲ, ଠେଲା ଦୋକାନୀ, ପାଣି ଉତ୍ପାଦନକାରୀ ୟୁନିଟ୍‌ ଓ ଅନ୍ୟ ଖାଦ୍ୟ ବ୍ୟବସାୟୀଙ୍କୁ ଯାଞ୍ଚ କରିବା ଲାଗି ନିଷ୍ପତ୍ତି ହୋଇଛି। ଫଳରେ ଲୋକମାନେ ଅପମିଶ୍ରିତ ଖାଦ୍ୟ ଖାଇବାରୁ ରକ୍ଷା ପାଇବା ସହିତ ପରିମଳ ବ୍ୟବସ୍ଥା ବଜାୟ ରହିପାରିବ।

ପ୍ରଥମ ପର୍ଯ୍ୟାୟ ଯାଞ୍ଚ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିଲା। ଏଥିରେ ଖାଦ୍ୟ ନିରାପତ୍ତା ଆୟୁକ୍ତଙ୍କ ଭୁବନେଶ୍ବରରେ ୩ଟି ଜୋନ୍‌ରେ ୩ଟି ଟିମ୍, ପୁରୀରେ ୨ଟି ଟିମ୍ ଓ ରାଉରକେଲାରେ ୩ଟି ଜୋନ୍‌ରେ ୩ଟି ଟିମ୍ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ବଜାରରେ ବିକ୍ରି ହେଉଥିବା ପିଇବା ପାଣି ଆର୍‌ଓ ଓ ଆଇଓନାଇଜେସନ୍‌ ଯୁକ୍ତ କି ନୁହେଁ, ଯାଞ୍ଚ କରାଯାଉଛି। ଏହାସହ ହୋଟେଲମାନଙ୍କରେ କଞ୍ଚା ମାଲ୍‌ ଓ ଖାଦ୍ୟ ପ୍ରସ୍ତୁତି ଶୈଳୀ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ବିଶେଷକରି ଯେଉଁ ସ୍ଥାନରେ ଖାଦ୍ୟ ଖାଇବା ପାଇଁ ଅଧିକ ସଂଖ୍ୟାରେ ଲୋକଙ୍କ ଗହଳି ହେଉଛି, ସେଠାରେ ପରିମଳ ବ୍ୟବସ୍ଥା ବଜାୟ ରଖିବା ଲାଗି ସଂପୃକ୍ତ ଦୋକାନୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଯଦି ୧୫ଦିନ ଭିତରେ ସଂପୃକ୍ତ ଦୋକାନୀମାନେ ଏହାକୁ ପାଳନ କରିବାରେ ବିଫଳ ହୁଅନ୍ତି, ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ସେହିପରି ଖୋର୍ଧା, ଭୁବନେଶ୍ବର, ପୁରୀ, କଟକ, ସୁନ୍ଦରଗଡ଼, ରାଉରକେଲା ଆଦି ସ୍ଥାନରେ ପାଣି ପ୍ରସ୍ତୁତକାରୀ ୟୁନିଟ୍ ରହିଛି। ସେସବୁ ୟୁନିଟ୍‌ଗୁଡ଼ିକ ବିଆଇଏସ୍‌ ମାନଦଣ୍ଡ ଅନୁଯାୟୀ ପାଣି ପ୍ରସ୍ତୁତ କରୁଛନ୍ତି କି ନାହିଁ, ଆସନ୍ତା ବିଶ୍ବକପ୍ ଶେଷ ହେବା ପର୍ଯ୍ୟନ୍ତ ପ୍ରତିମାସରେ ଏହାର ଯାଞ୍ଚ କରାଯିବ।

ସେହିପରି ଡିସେମ୍ବର ମାସରୁ ଦ୍ବିତୀୟ ପର୍ଯ୍ୟାୟ ଯାଞ୍ଚ ଆରମ୍ଭ ହେବ। ଏଥିରେ ଷ୍ଟ୍ରିଟ୍ ଫୁଡ୍ ବା ଠେଲା ଦୋକାନୀଙ୍କୁ ଅଧିକ ଗୁରୁତ୍ବ ଦିଆଯିବ। ଏଥିରେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟରେ କୃତ୍ରିମ ରଙ୍ଗର ଅହେତୁକ ବ୍ୟବହାର ହେଉଛି କି ନାହିଁ ଓ ବର୍ଜ୍ୟବସ୍ତୁର ପରିଚାଳନା କିଭଳି ହେଉଛି ତାହାର ଯାଞ୍ଚ ହେବ। ଯେଉଁ ଦୋକାନୀମାନେ ଧାର୍ଯ୍ୟ ମାନଦଣ୍ଡ ଅନୁସାରେ ନିଜ ଦୋକାନରେ ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହେବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ଏହାସହ ଏହି ୩ ସହରରେ ଥିବା ତାରକା ହୋଟେଲମାନଙ୍କରେ ଖାଦ୍ୟ ପ୍ରକ୍ରିୟାକରଣରେ ସାମିଲ ଥିବା କର୍ମଚାରୀମାନଙ୍କୁ ତାଲିମ ମଧ୍ୟ ଦିଆଯିବ। ତୃତୀୟ ପର୍ଯ୍ୟାୟ ଯାଞ୍ଚ ଜାନୁଆରିରେ ଆରମ୍ଭ ହେବ। ଏଥିରେ ପୂର୍ବରୁ ଯେଉଁ ତାରକା ହୋଟେଲମାନଙ୍କୁ ସଚେତନତା କରାଯାଇଥିଲା, ସେମାନଙ୍କୁ ପୁନର୍ବାର ଯାଞ୍ଚ କରାଯିବ। ଯଦି ଏହି ତାରକା ହୋଟେଲଗୁଡ଼ିକ ଧାର୍ଯ୍ୟ ମାନଦଣ୍ଡ ପାଳନ କରିବାରେ ବିଫଳ ହେଉଥିବା ନଜରକୁ ଆସିବ, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଷ୍ଟାଡିୟମ ଓ ହୋଟେଲମାନଙ୍କରେ ଖାଦ୍ୟ ନିରାପତ୍ତା ଟିମ୍‌ଙ୍କୁ ମଧ୍ୟ ମୁତୟନ କରାଯିବ ବୋଲି ସୂଚନା ମିଳିଛି।

ଖାଦ୍ୟ ନିରାପତ୍ତା କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବରର ଖାଦ୍ୟ ପାଇଁ ଗହଳି ହେଉଥିବା ୧୮ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ସେସବୁ ସ୍ଥାନରେ ପରିମଳ ବ୍ୟବସ୍ଥାର ଯାଞ୍ଚ ଆରମ୍ଭ ହୋଇଛି। ରାଉରକେଲାରେ ପ୍ରତିଦିନ ୩୦ଟି ଖାଦ୍ୟ ପ୍ରତିଷ୍ଠାନର ଯାଞ୍ଚ କରାଯାଉଛି। ‌ସେପ୍ଟେମ୍ବର-ଅକ୍ଟୋବର ମାସରେ ଏଥିପାଇଁ ୬୨ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ୬୦ଟି ହୋଟେଲ/ରେସ୍ତୋରାଁ ଓ ମିଠା ଷ୍ଟଲର ପରିମଳ ବ୍ୟବସ୍ଥାର ଅଡିଟ୍‌ ହୋଇଛି। ‌ସେହିପରି ଭୁବନେଶ୍ବର ଓ ପୁରୀ ସହରରେ ନେସ୍‌ଲେ କମ୍ପାନି ପକ୍ଷରୁ ୫ଶହ ଠେଲା ଦୋକାନୀଙ୍କୁ ତାଲିମ ପ୍ରଦାନ କରାଯାଇଛି। କେବଳ ଅକ୍ଟୋବର ମାସରେ ପୁରୀ ସହରରୁ ୨ଶହ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ବିଶ୍ବକପ୍ ଆରମ୍ଭ ହେବା ପୂର୍ବରୁ ପୁଣି ଥରେ ଏହି ୩ସହରରେ ଜୋରଦାର ଯାଞ୍ଚ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର