ବିଶ୍ୱ ହକି ଲିଗ୍‌ ଫାଇନାଲ ଆଉ ୩ ଦିନ : ସଜେଇ ହେଲାଣି କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର : ପାଖେଇ ଆସୁଛି ହକିର ଆଉ ଏକ ମହାପର୍ବ। ଆଉ ମାତ୍ର ୩ ଦିନ ପରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯିବ ଭାରତ ସମେତ ୮ ଦେଶର ହକି ଲଢ଼େଇ। ଏଥିପାଇଁ ଓଲଟଗଣତି ଆରମ୍ଭ ହୋଇ ଯାଇଥିବାବେଳେ ବିଶ୍ୱ ହକି ଲିଗ୍‌ ଫାଇନାଲ ଲାଗି କଳିଙ୍ଗ ଷ୍ଟାଡିୟମ ସହ ରାଜଧାନୀର ବିମାନବନ୍ଦର ରାସ୍ତା ସଜେଇ ହେଲାଣି। ଅଂଶଗ୍ରହଣ କରୁଥିବା ସମସ୍ତ ୮ ଦେଶର ଜାତୀୟ ପତାକା ସାଙ୍ଗକୁ ହକି ବିଶ୍ୱ ଲିଗ୍‌ର ହୋଡିିଂ ଲାଗି ଗଲାଣି। ଷ୍ଟାଡିୟମର ଭିତର ଏବଂ ବାହାରେ ହୋଡିଂ ଛାଇ ହୋଇଗଲାଣି। କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ମଧ୍ୟ ସମସ୍ତ ଦଳର ପତାକା ଉଡ଼ିଲାଣି। ଏଥି ସହ ଷ୍ଟାଡିୟମ ସାରା ସବୁଦଳର ପ୍ରମୁଖ ଖେଳାଳିଙ୍କ ଛବିର ହୋଡିଂ ମଧ୍ୟ ଲାଗିଛି। ଷ୍ଟାଡିୟମରେ ଥିବା ଗଛ ଏବଂ ରାସ୍ତା କଡ଼ ରଙ୍ଗବେରଙ୍ଗର ଲାଇଟ୍‌ ଏବଂ ଚାନ୍ଦୁଆରେ ଝଲସୁଛି। ଯାହା ଷ୍ଟାଡିୟମର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଛି। କିନ୍ତୁ ନୂତନ ଷ୍ଟାଣ୍ଡ୍‌ ପାଇଁ ନିର୍ମିତ ହେଉଥିବା ଅଧାଗଢ଼ା କଂକ୍ରିଟ୍‌ ପିଲର୍‌ କିଛି ମାତ୍ରାରେ ସୌନ୍ଦର୍ଯ୍ୟକୁ ଫିକା ପକେଇଛି। ହକି ବିଶ୍ୱ ଲିଗ୍‌ ପାଇଁ କମ୍ପ୍ଲେକ୍ସର ମୁଖ୍ୟ ଦ୍ୱାରରେ ଥିବା କିଛି ପିଲର୍‌ ଭାଙ୍ଗିବା ପାଇଁ ଯୋଜନା ହେବା ସହ ଏହା ମଧ୍ୟ ଚିହ୍ନଟ ହୋଇଥିଲା। ମ୍ୟାଚ୍‌ ଆଉ ୩ ଦିନ ଥିଲା ବେଳେ ଏହା ଭଙ୍ଗା ହୋଇନାହିଁ। ଫଳରେ ସମ୍ମୁଖ ରାସ୍ତା ସଂକୀର୍ଣ୍ଣ ହେବା ସହ ସୌନ୍ଦର୍ଯ୍ୟ ଉପରେ ଏହାର ପ୍ରଭାବ ପଡ଼ିଛି।

ଲି ସୁନ୍‌ ଆହତ

କଳିଙ୍ଗ ଷ୍ଟାଡିୟମର ହକି ଅଭ୍ୟାସ୍‌ ପଡ଼ିଆରେ ରବିବାର ଖେଳାଯାଇଥିବା କୋରିଆ ଏବଂ ପୂର୍ବତଟ ରେଳବାଇ ମ୍ୟାଚ୍‌ ୩-୩ ଗୋଲ୍‌ରେ ଅମୀମାଂସିତ ହୋଇଥିଲା। ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ର ଶେଷ କ୍ୱାର୍ଟର୍‌ ବେଳେ କୋରିଆ ପକ୍ଷରୁ ପ୍ରଥମ ଗୋଲ୍‌ ଦେଇଥିବା ଲି ସୁନ୍‌ ହୁ ଆହତ ହୋଇଥିଲେ। ପଡ଼ିଆ ମଧ୍ୟରେ ପ୍ରାଥମିକ ଚିିକିତ୍ସା ପରେ ତାଙ୍କୁ ବାହାରକୁ ଷ୍ଟ୍ରେଚରରେ ନିଆ ଯାଇଥିଲା। ଆଘାତ ଅଧିକ ଗମ୍ଭୀର ଥିବାରୁ ଅମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ସମ୍ବନ୍ଧିତ ଖବର