ଟାର୍ଗେଟ୍ ଫେଲ୍‌ ଭୟ: ନୂଆ ନିୟମ ଲାଗୁ ହେବନି, ୨୦ରୁ ଅନ୍‌ଲାଇନ୍‌ରେ ହୋଲ୍‌ଡିଂ ଟିକସ

ଭୁବନେଶ୍ବର.ମି ୱେବସାଇଟରେ ସବୁ ସୂଚନା ମିଳିବ, ନୂଆ ନିୟମ ଏବେ ଲାଗୁ ହେବନି

ଭୁବନେଶ୍ବର : ଜାନୁଆରି ୨୦ରୁ ଭୁବନେଶ୍ବରେ ଥିବା ପ୍ରାୟ ୯୦ ହଜାର ହୋଲଡିଂ ଟିକସଧାରୀଙ୍କ ସମସ୍ତ ତଥ୍ୟ ଭୁବନେଶ୍ବର.ମି ୱେବସାଇଟ୍‌ରେ ଉପଲବ୍ଧ ହେବ। କାହା ଘରର କେତେ ଅଞ୍ଚଳ ପାଇଁ କେତେ ହୋଲଡିଂ ଟିକସ ଦେବାକୁ ପଡ଼ିବ ତାହା ଏହି ୱେବସାଇଟ୍‌ରୁ ଜଣାପଡ଼ିବ। ଘରମାଲିକମାନଙ୍କୁ ବିଏମ୍‌ସି ଅଫିସକୁ ଯିବାକୁ ପଡ଼ିବନି କି ଟ୍ୟାକ୍ସ କଲେକ୍ଟରଙ୍କୁ ଡାକି ଟିକସ ଦେବାକୁ ପଡ଼ିବନି। ଘରେ ବସି ଅନଲାଇନ୍‌ରେ ନିଜର ହୋଲଡିଂ ଟିକସ ଦେବେ। ଏଥିପାଇଁ ବିଏମ୍‌ସି ପକ୍ଷରୁ ଅନଲାଇନ୍‌ରେ ହୋଲଡିଂ ଟିକସ ସେବା ୨୦ତାରିଖରୁ ଆରମ୍ଭ ହେବାକୁ ଯାଉଛି।

ଦୀର୍ଘ ବର୍ଷ ହେଲା ଅନଲାଇନ୍‌ରେ ହୋଲଡିଂ ଟିକସ ଆଦାୟ କରିବା ନେଇ ବିଏମ୍‌ସି ଯୋଜନା କରୁଥିଲେ ହେଁ ଆଜି ପର୍ଯ୍ୟନ୍ତ ହୋଇପାରିନି। ଏପରିକି ଅନଲାଇନ୍‌ ଡାଟାବେସ୍ ପ୍ରସ୍ତୁତ କରିବାକୁ କର୍ମଚାରୀମାନେ ଅଧିକ ସମୟ ନେଉଥିବାରୁ ଏହା ଲାଗୁ କରାଯାଇପାରୁ ନ ଥିଲା। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ବିଏମ୍‌ସି ସହାୟତାରେ ଏହି ହୋଲଡିଂ ଟିକସ ଡାଟାବେସ୍ ପ୍ରସ୍ତୁତ ହେଉଛି।

ଅପରପକ୍ଷେ ଅକ୍ଟୋବର ମାସରେ ବିଏମ୍‌ସି ହୋଲଡିଂ ଟିକସ ଆଦାୟ ନିୟମରେ ସଂଶୋଧନ ଆଣିଥିଲେ ହେଁ ଅନଲାଇନ୍‌ରେ କିନ୍ତୁ ପୁରୁଣା ରେକର୍ଡ ଅପଲୋଡ୍‌ ହେବ। ଲୋକମାନେ ପୁରୁଣା ନିୟମ ଅନୁଯାୟୀ ଧାର୍ଯ୍ୟ ହେଉଥିବା ହୋଲଡିଂ ଟିକସ ଦେବେ। ସଂଶୋଧିତ ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ନୂଆ ହୋଲଡିଂ ଟିକସ ଧାର୍ଯ୍ୟ ହେଉଥିଲେ ହେଁ ଏହାର ତାଲିକା ପ୍ରସ୍ତୁତ ହୋଇନି। ତାଲିକା ପ୍ରସ୍ତୁତ ହେବା ପରେ ଏହାକୁ ବିଏମ୍‌ସି କମିସନର ଅନୁମୋଦନ କରିବେ। ଏହାପରେ ଏହାକୁ ଭୁବନେଶ୍ବର.ମି ୱେବସାଇଟ୍‌ରେ ଅପଲୋଡ୍‌ କରାଯିବ। ତେଣୁ ଏବେ ପୁରୁଣା ତଥ୍ୟ ଓ ନିୟମ ଅନୁଯାୟୀ ହୋଲଡିଂ ଟିକସ ଆଦାୟ ହେବ। ଅସଲରେ କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ହୋଲଡିଂ ଟିକସ ଆଦାୟ ଟାର୍ଗେଟ୍‌ ହାସଲ କରିବା ପାଇଁ ପୁରୁଣା ନିୟମରେ ଟିକସ ଆଦାୟ କରିବାକୁ ଯୋଜନା କରିଛନ୍ତି।

ବିଏମ୍‌ସି ନୂଆ ବ୍ୟବସ୍ଥା କରୁଥିଲେ ହେଁ ପୁରୁଣା ହୋଲଡିଂ ଟିକସ ଦରକୁ କାହିଁକି ୱେବସାଇଟ୍‌ରେ ଅପଲୋଡ୍‌ କରୁଛି ତାହା ଜଣାପଡ଼ୁନି। ଏପଟେ ବିଏମ୍‌ସି ଅକ୍ଟୋବର ମାସରେ ନୋଟିସ୍‌ ଜାରି କରିଥିଲା ଯେ, ଏପ୍ରିଲ, ୨୦୧୯ରୁ ପିଛିଲା ଭାବେ ନୂଆ ହୋଲଡିଂ ଟିକସ ଆଦାୟ ହେବ। କିନ୍ତୁ ଏବେ ଅନଲାଇନ୍‌ରେ ଲୋକଙ୍କ ସୁବିଧା ପାଇଁ ଯେଉଁ ତଥ୍ୟ ଅପଲୋଡ୍‌ କରୁଛି ‌େସଥିରେ ପୁରୁଣା ତଥ୍ୟ ଦେଉଛି।

ବିଏମ୍‌ସି ଏହି ପୁରୁଣା ତଥ୍ୟ ଭୁବନେଶ୍ବର.ମି ୱେବସାଇଟ୍‌ରେ ଦେବା ନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମର ଏବେ ପ୍ରାୟ ୯୦ହଜାର ହୋଲଡିଂ ଟିକସଦାତା ଥିବାବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କର ତଥ୍ୟ ୱେବସାଇଟ୍‌ରେ ଅପଲୋଡ୍‌ ହୋଇନି। ଶନିବାର ସୁଦ୍ଧା ପୁରୁଣା ହିସାବ ଅନୁଯାୟୀ ସମସ୍ତ ତଥ୍ୟ ଅନଲାଇନ୍‌ରେ ଅପଲୋଡ୍‌ ହୋଇଯିବ।

ଅକ୍ଟୋବର ମାସରେ ନୂଆ ନିୟମ ଅନୁଯାୟୀ ହୋଲଡିଂ ଟିକସ ଆଦାୟ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଟ୍ୟାକ୍ସ କଲେକ୍ଟରମାନେ ସେମାନଙ୍କ ଅଞ୍ଚଳରେ ଥିବା ଘରଗୁଡ଼ିକର ହୋଲଡିଂ ଟିକସ ପୁନଃମୂଲ୍ୟାୟନ ଶେଷ କରିନାହାନ୍ତି। ୱାର୍ଡ ଅଫିସରମାନେ ତଥ୍ୟ ଦେଇନପାରିବାରୁ ପୁରୁଣା ହିସାବ ଅନୁଯାୟୀ ହୋଲଡିଂ ଟିକସଧାରୀଙ୍କ ତଥ୍ୟ ଅପଲୋଡ୍‌ ହେଉଛି।

ଏପଟେ ବିଏମ୍‌ସିର ଜଣେ ଟ୍ୟାକ୍ସ କଲେକ୍ଟର କହିଛନ୍ତି ଯେ, ବିଏମ୍‌ସି ହଠାତ୍ ନୂଆ ନିୟମ ଅନୁଯାୟୀ ହୋଲଡିଂ ଟିକସ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ପିଛିଲା ଭାବେ ଏପ୍ରିଲ ମାସରୁ ଆଦାୟ କରିବାକୁ ବିଜ୍ଞପ୍ତି ଜାରି କରିଛି। ଏବେ ଯଦି ଆମେ ପୁନଃ ମୂଲ୍ୟାୟନ କରି ଠିକ୍ ତଥ୍ୟ ଅନଲାଇନ୍‌ରେ ଦେଇଦେବୁ ତେବେ ଲୋକଙ୍କୁ ୭ମାସର ପୁରୁଣା ଟିକସ ଏବଂ ବର୍ତ୍ତମାନର ଟିକସ ଦେବାକୁ ହେବ। ଅଧିକ ଟିକସ ଦେଖିଲେ ଆଉ କେହି ହୋଲଡିଂ ଟିକସ ଦେବେନି। ଏବେ ଯେତିକି ହୋଲଡିଂ ଟିକସ ଆଦାୟ କରିବାକୁ ଆମକୁ ଟାର୍ଗେଟ୍ ଦିଆଯାଇଛି ତାହା ବି ହୋଇପାରିବନି। ତେଣୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପୁରୁଣା ହିସାବ ଅନୁଯାୟୀ ହୋଲଡିଂ ଟିକସ ଆଦାୟ କରିବାକୁ ଆମେ ପ୍ରସ୍ତାବ ଦେଇଛୁ। ଏହାପରେ ଆସନ୍ତା ଆର୍ଥିକ ବର୍ଷରୁ ନୂଆ ହିସାବରେ ପିଛିଲା ଭାବେ ହୋଲଡିଂ ଟିକସ ଆଦାୟ କରିବାକୁ ଆମେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ କହିଛୁ।

ସମ୍ବନ୍ଧିତ ଖବର