ଭୁବନେଶ୍ବର: ବିଏମ୍‌ସି ଚଳିତ ଆର୍ଥିକ ବର୍ଷ ପାଇଁ ୭୦୦କୋଟିର ବଜେଟ୍‌ କରଛି। ବିଭିନ୍ନ ରାଜସ୍ବ ବାବଦକୁ ପ୍ରାୟ ୧୫୦କୋଟି ଆୟ କରିବାକୁ ଟାର୍ଗେଟ୍ ରଖିଛି। ହେଲେ ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ୫୫ ଦିନ ଥିବାବେଳେ ବିଏମ୍‌ସି ଏପର୍ଯ୍ୟନ୍ତ ଏକ ପଞ୍ଚମାଂଶ ଆୟ କରିପାରିନି। ଜାନୁଆରି ଶେଷ ସୁଦ୍ଧା ୨୩କୋଟି ଆୟ କରିଥିବା ବିଏମ୍‌ସି ମାର୍ଚ୍ଚ ୩୧ ସୁଦ୍ଧା କିପରି ୧୫୦କୋଟି ଛୁଇଁବ ସେନେଇ ପ୍ରଶ୍ନ ଉଠିଲାଣି।

Advertisment

ରାଜସ୍ବ ଆଦାୟ କମୁଥିବାରୁ ଏବେ ହୋଲ୍‌ଡିଂ ଟିକସ ଉପରେ ବିଏମ୍‌ସିର ନଜର। ‌୨୫ହଜାରରୁ ଅଧିକ ଟଙ୍କା ବକେୟା ରଖିଥିବା ହୋଲ୍‌ଡିଂ ଟିକସ ଖିଲାପକାରୀଙ୍କ ଠାରୁ କିପରି ଅର୍ଥ ଆଦାୟ ହେବ ସେନେଇ ଭିନ୍ନ ପନ୍ଥା ଅାପଣାଯାଇଛି। ଟିଜି ସ୍ବୀକୃତିର କିନ୍ନରମାନଙ୍କୁ ଏହି ଖିଲାପକାରୀଙ୍କ ଘରକୁ ପଠାଇ ଟିକସ ଆଦାୟ କରିବାକୁ କୁହାଯାଇଛି। ଗତ ଆର୍ଥିକ ବର୍ଷରେ ବିଏମ୍‌ସି କିନ୍ନରମାନଙ୍କୁ ନିୟୋଜିତ କରି ବଡ଼ ଖିଲାପକାରୀଙ୍କ ଠାରୁ ରାଜସ୍ବ ଆଦାୟ କରିବା ପରେ ଏଥର ସେମାନଙ୍କୁ ନିୟୋଜିତ କରିଛି। କିନ୍ନରମାନଙ୍କୁ ୮୦୪ଜଣ ବଡ଼ ଖିଲାପକାରୀଙ୍କ ତାଲିକା ଧରାଇ ଦିଆଯାଇଛି। ଆଜିଠାରୁ କିନ୍ନରମାନେ ଉତ୍ତର ଜୋନ୍‌ର ୱାର୍ଡ-୩ରେ ଟିକସ ଆଦାୟ ଆରମ୍ଭ କରିଛନ୍ତି।
ବିଏମ୍‌ସି ଡେପୁଟି କମିସନର (ରାଜସ୍ବ) ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ଗତ ବର୍ଷ କିନ୍ନରମାନେ ଟାର୍ଗେଟ୍ ଠାରୁ ଅଧିକ ରାଜସ୍ବ ଆଦାୟ କରିଥିବାରୁ ଏଥର ସେମାନଙ୍କୁ ବକେୟା ଟଙ୍କା ଆଦାୟ ଦାୟିତ୍ବ ଦିଆଯାଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସେମାନେ ଟିକସ ଆଦାୟ କରିବେ। ପ୍ରଥମ ଦିନରେ ସେମାନେ ୱାର୍ଡ-୩ରେ ୪ଜଣଙ୍କୁ ଭେଟିଥିବାବେଳେ ଦୁଇ ଜଣ ଖିଲାପକାରୀ ୭ଲକ୍ଷ ଟଙ୍କା ଦେଇଛନ୍ତି। ତେଣୁ ଏଥର ଭଲ ରାଜସ୍ବ ଆଦାୟ ହେବ ବୋଲି ଆମେ ଆଶା ରଖିଛୁ।

ବଡ଼ ଖିଲାପକାରୀଙ୍କୁ ହେବ ରେଡ୍‌ ନୋଟିସ୍‌, ସାର୍ଟିଫିକେଟ୍ କେସ୍‌
ବିଏମ୍‌ସି ପକ୍ଷରୁ ପ୍ରାୟ ୧୬୦୦ଜଣ ବଡ଼ ଖିଲାପକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ୮୦୪ଜଣଙ୍କର ୨୫ହଜାରରୁ ଅଧିକ ଟିକସ ବାକି ଥିବାବେଳେ ଆଉ ୮୦୦ଜଣଙ୍କର ୧୦ହଜାରରୁ ୨୫ହଜାର ଟଙ୍କା ମଧ୍ୟରେ ଟିକସ ବାକି ଅଛି। ଏମାନଙ୍କ ଠାରୁ ଫେବ୍ରୁଆରି ୨୮ତାରିଖ ମଧ୍ୟରେ ଟିକସ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଏହା ଭିତରେ ଯେଉଁମାନେ ଟିକସ ନଦେବେ ସେମାନଙ୍କୁ ରେଡ୍‌ ନୋଟିସ୍‌ ହେବ। ଏହାସହିତ ସେମାନଙ୍କର ନାମ ଓ ଠିକଣା ସମ୍ବଳିତ ହୋର୍ଡିଂ ରାଜଧାନୀର ବିଭିନ୍ନ ସ୍ଥାନରେ ଲଗାଯିବ। ଯେଉଁମାନେ ଏହି ଉପାୟରେ ବି ସପ୍ତାହକ ମଧ୍ୟରେ ଟିକସ ନଦେବେ ସେମାନଙ୍କ ବିରୋଧରେ ସାର୍ଟିଫିକେଟ୍ କେସ୍‌ ହେବ। ଏହାକୁ ଜୋନାଲ୍‌ ଡେପୁଟି କମିସନରମାନେ କରିବେ। ଏହି କେସ୍‌ ବଳରେ ଆମେ ବିଦ୍ୟୁତ ସଂଯୋଗ, ପାଣି ସଂ‌େଯାଗ କାଟିବୁ। ଏହାପରେ ସମ୍ପତ୍ତି ଜବତ କରିବୁ ବୋଲି ବିଏମ୍‌ସିର ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି।

ଦକ୍ଷିଣ-ପୂର୍ବ ଜୋନ୍‌ରେ ଅଧିକ ଖିଲାପକାରୀ, ଉତ୍ତର ଜୋନ୍‌ରେ ଅଧିକ ବାକି
୮୦୪ ଜଣ ବଡ଼ ଖିଲାପକାରୀ (୨୫୦୦୦ ଟଙ୍କାରୁ ଅଧିକ ବାକି) ତିନିଟି ଜୋନ୍‌ରେ ଅଛନ୍ତି। ଏଥିରୁ ଦକ୍ଷିଣ-ପୂର୍ବ ଜୋନ୍‌ରେ ସର୍ବାଧିକ ୩୪୧ଜଣ ଥିବାବେଳେ, ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୨୨୧ଜଣ, ଉତ୍ତର ଜୋନ୍‌ରେ ୨୪୨ ଜଣ ଖିଲାପକାରୀ ଅଛନ୍ତି। କିନ୍ତୁ ଉତ୍ତର ଜୋନ୍‌ରେ ସବୁଠୁ ଅଧିକ ଟଙ୍କା ବାକି ଅଛି। ଏହି ଜୋନ୍‌ରେ ୨୪୨ଜଣଙ୍କ ଉପରେ ୨୨କୋଟି ୯୪ଲକ୍ଷ ୪୭ହଜାର ୨୧ଟଙ୍କା ବାକି ଥିବାବେଳେ ଦକ୍ଷିଣ-ପୂର୍ବ ଜୋନ୍‌ରେ ୩୪୧ଜଣଙ୍କ ଉପରେ ୯କୋଟି ୬୪ଲକ୍ଷ ୬ହଜାର ୩୯ଟଙ୍କା, ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୨୨୧ଜଣଙ୍କ ଉପରେ ୧୦କୋଟି ୯୨ଲକ୍ଷ ୬ହଜାର ୧୯୦ଟଙ୍କା ବାକି ଅଛି।