ଭୁବନେଶ୍ୱର: ଛାତ ଉପରେ ହୋର୍ଡିଂ ଲଗାଇବାକୁ ବିଏମ୍ସି ବେଆଇନ ଘୋଷଣା କରିଛି। ଛାତ ଉପରେ ହୋର୍ଡିଂ ଲାଗୁଥିବାରୁ ଜୋର୍ରେ ପବନ ହେଲେ ଏହା ରାସ୍ତାରେ ପଡ଼ୁଛି। ଏପରିକି ଏହାଦ୍ୱାରା ଦୁର୍ଘଟଣା ଘଟୁଥିବାରୁ କିଛି ମାସ ତଳେ ବିଏମ୍ସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ଯେ, ରାଜଧାନୀର କୌଣସି ଛାତ ଉପରେ ହୋର୍ଡିଂ ଲାଗିବନି। କିନ୍ତୁ ଏବେ ରାଜସ୍ୱ ଚିନ୍ତା ଘାରିଛି। ଯେଉଁ ହୋର୍ଡିଂକୁ ବେଆଇନ କହୁଛନ୍ତି ସେହି ହୋର୍ଡିଂ ଲଗାଇବାକୁ ଅନୁମତି ନଦେଇକି ବି ହୋର୍ଡିଂ ଲାଗିଥିବା ଘରୁ ବାଣିଜ୍ୟିକ ମୂଲ୍ୟରେ ହୋଲ୍ଡିଂ ଟିକସ ଆଦାୟ କରିବାକୁ ଯୋଜନା ହୋଇଛି। ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯେଉଁଠି ଛାତ ଉପରେ ହୋର୍ଡିଂ ଲାଗିଛି ତାହାକୁ ହଟାଇବାକୁ ଜୋନାଲ ଡେପୁଟି କମିସନର୍ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ବିଏମ୍ସିର ଉତ୍ତର ଜୋନ୍ରେ ଜୋନାଲ ଡେପୁଟି କମିସନର ଆଜି ବିଭିନ୍ନ ସ୍ଥାନରେ ଛାତ ଉପରୁ ୧୩ଟି ହୋର୍ଡିଂ ଉଚ୍ଛେଦ କରିଛନ୍ତି। ସମସ୍ତ ବେଆଇନ ହୋର୍ଡିଂ ଉଚ୍ଛେଦ କରାଯିବ।
ବିଏମ୍ସିର ଡେପୁଟି କମିସନର୍ (ରାଜସ୍ୱ) ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି,୨୦୦୬ଅନୁଯାୟୀ, ବିଏମ୍ସି କମିସନର୍ ବିନା ନୋଟିସ୍ରେ ଯେକୌଣସି ବେଆଇନ ହୋର୍ଡିଂ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇପାରିବେ। ସେହିପରି ଏପ୍ରିଲ ୧, ୨୦୧୮ ପରଠାରୁ ଛାତ ଉପରେ ଲାଗିଥିବା ସମସ୍ତ ହୋର୍ଡିଂ ବେଆଇନ ବୋଲି ଘୋଷଣା ହୋଇଛି। ତେଣୁ ଏହାକୁ ଉଚ୍ଛେଦ କରାଯାଉଛି। କେତେକ କ୍ଷେତ୍ରରେ ଘରଗୁଡ଼ିକ ଆବାସିକ ହୋଲ୍ଡିଂ ଟିକସ ଦେଉଥିଲେ ହେଁ ବିଜ୍ଞାପନ ସଂସ୍ଥାଠାରୁ ଟଙ୍କା ନେଇ ଛାତ ଉପରେ ହୋର୍ଡିଂ ଲଗାଉଛନ୍ତି। ତେଣୁ ନିଷ୍ପତ୍ତି ହୋଇଛି ଯେ, ଯେଉଁଠି ଛାତ ଉପରେ ବେଆଇନ୍ ହୋର୍ଡିଂ ଲାଗିଥିବ ସେଠାରୁ ବାଣିଜ୍ୟିକ ମୂଲ୍ୟରେ ହୋଲ୍ଡିଂ ଟିକସ ଆଦାୟ ହେବ। ଏନେଇ ଘରଗୁଡ଼ିକୁ ଚିହ୍ନଟ କରିବାକୁ ଜୋନାଲ ଡେପୁଟି କମିସନର୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହକି ବିଶ୍ୱକପ୍ ପାଇଁ ରାଜଧାନୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେବାକୁ ଥିବାବେଳେ ଏଥିରେ ୧୬ଟି ଅଞ୍ଚଳରେ ପ୍ରାୟ ୪୦କିମି ରାସ୍ତାରେ ଛାତ ଉପରେ ଯେପରି କୌଣସି ହୋର୍ଡିଂ ନ ରହିବ ସେଥିପାଇଁ ଉଚ୍ଛେଦ କରିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/bmc-o.jpg)