ବିଏମ୍ସିର ହୋଲ୍ଡିଂ ଟ୍ୟାକ୍ସରୁ ରାଜସ୍ବ: ଟାର୍ଗେଟ୍ରୁ ପଛରେ, ତଥାପି ରେକର୍ଡ
୨୯ କୋଟି ଆଦାୟ କରି ଉତ୍ତର ଜୋନ୍ ଶୀର୍ଷରେ
ଭୁବନେଶ୍ବର: ଶେଷ ହୋଇଛି ଆର୍ଥିକ ବର୍ଷ। ରାଜସ୍ବ ଟାର୍ଗେଟ୍ ପୂରଣ କରିବାକୁ ବର୍ଷ ସାରା ବିଏମ୍ସିର ଅଧିକାରୀମାନେ ଉଦ୍ୟମ କରିଥିଲେ ମଧ୍ୟ ଆଜି ଶେଷ ଦିନରେ ବେଶ୍ କସରତ କରିଛନ୍ତି। ଅଧିକରୁ ଅଧିକ ରାଜସ୍ବ କିଭଳି ଆସିପାରିବ ସେ ନେଇ ଆଜି ରାତି ୧୦ଟା ପର୍ଯ୍ୟନ୍ତ ଅଧିକାରୀଙ୍କ ସହ କର୍ମଚାରୀମାନେ ଲାଗିପଡ଼ିଥିବା ଦେଖାଯାଇଛି। ତିନିଟି ଜୋନ୍ ଅଫିସ୍ରେ ଏଥିପାଇଁ ଭିଡ଼ ଜମିଛି। ଶେଷରେ ମୁଖ୍ୟାଳୟକୁ ଆସିଥିବା ହିସାବ ମୁତାବକ ହୋଲ୍ଡିଂ ଟ୍ୟାକ୍ସ ବାବଦକୁ ପୂର୍ବବର୍ଷ ୫୪ କୋଟି ରାଜସ୍ବ ଆଦାୟ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ବିଏମ୍ସି ୭୨ କୋଟି ୮୯ ଲକ୍ଷ ୭୨ ହଜାର ୨୯୬ ଟଙ୍କା ଆଦାୟ କରିଛି। ଚଳିତ ଆର୍ଥିକ ବର୍ଷ ପାଇଁ ବିଏମ୍ସି ୮୦ କୋଟି ୧୫ ଲକ୍ଷ ୬୪ ହଜାର ୨୧୮ ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ବାବଦକୁ ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଥିଲା। ଯଦିଓ ଲକ୍ଷ୍ୟ ପୂରଣ ହୋଇ ନାହିଁ ତଥାପି ଏଥର ବିଏମ୍ସି ରାଜସ୍ବ ସଂଗ୍ରହରେ ରେକର୍ଡ କରିଛି। ଉତ୍ତର ଜୋନ୍ କାର୍ଯ୍ୟାଳୟ ୨୯ କୋଟି ୨୫ ଲକ୍ଷ ୫୨ ହଜାର ୩୪୮ ଟଙ୍କା ଆଦାୟ କରି ଉତ୍ତର ଜୋନ୍ ଅଫିସ୍ ଶୀର୍ଷରେ ରହିଥିବା ବେଳେ ଦକ୍ଷିଣ ପଶ୍ଚିମ ଜୋନ୍ ୨୩ କୋଟି ୬୭ ଲକ୍ଷ ୧୫ ହଜାର ୯୬ ଟଙ୍କା ଆଦାୟ କରି ଦ୍ବିତୀୟ ଓ ୧୯ କୋଟି ୯୭ ଲକ୍ଷ ୪ ହଜାର ୮୫୧ ଟଙ୍କା ଆଦାୟ କରି ଦକ୍ଷିଣପୂର୍ବ ଜୋନ୍ ତାଲିକାର ଶେଷରେ ରହିଛି।
ଉତ୍ତର ଜୋନ୍ ଅଧିକ ଆଦାୟ କରିବା ପଛରେ ଘୋଟାଲା ରହିଥିବା ଅଭିଯୋଗ ହୋଇଛି। ହୋଲ୍ଡିଂ ଟ୍ୟାକ୍ସ ଅଗ୍ରୀମ ଦେଲେ ୫ ପ୍ରତିଶତ ରହାତି ରହିଛି। ପୂର୍ବରୁ ଏହି ରିହାତି ୧୦ ପ୍ରତିଶତ ରହିଥିବା ବେଳେ ଏହାକୁ ଏବେ ୫ ପ୍ରତିଶତକୁ ଖସାଇ ଦିଆଯାଇଛି। ତଥାପି ଅନେକ ସଚେତନ ନାଗରିକ ଏହି ରିହାତି ପାଇବା ପାଇଁ ହୋଲ୍ଡିଂ ଟ୍ୟାକ୍ସ ଅଗ୍ରୀମ ଦାଖଲ କରୁଛନ୍ତି। ଏହି ଅଗ୍ରୀମ ରାଜସ୍ବକୁ ହିସାବ କରି ଉତ୍ତର ଜୋନ୍ ଅଫିସ୍ ୧ ନମ୍ବର ହୋଇଥିବା ଚର୍ଚ୍ଚା ହେଉଛି। ସେହିଭଳି ବିଏମ୍ସି ହୋଲ୍ଡିଂ ଟ୍ୟାକ୍ସ ବଢ଼ାଇ ଦେବା ପରେ ବଢ଼ା ଦରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଥିଲା। କିନ୍ତୁ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଏହା ଉପରେ ପ୍ରଥମେ ସ୍ଥଗିତାଦେଶ ଓ ପରେ ଏହି ବଢ଼ା ଦର ବାତିଲ ହୋଇଥିଲା। କିନ୍ତୁ ବିଏମ୍ସି କୋଟି କୋଟି ଟଙ୍କା ଆଦାୟ କରି ସାରିଥିଲା। ଯାହା ଏବେ ବିଏମ୍ସି ଉପରେ ଅଗ୍ରୀମ ରହିଛି। ଏହି ଅଗ୍ରୀମ ଅର୍ଥ ମଧ୍ୟ ଉତ୍ତର ଜୋନ୍ରେ ସର୍ବାଧିକ ରହିଛି। ଏଣୁ ତାଲିକାର ଶୀର୍ଷରେ ରହିବା ପଛରେ ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି।
ହୋଲ୍ଡିଂ ଟ୍ୟାକ୍ସ ସଂଶୋଧନ(ବୃଦ୍ଧି) କରିବା ପରେ ବିଏମ୍ସି ୧୨୦ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କିନ୍ତୁ ହାଇକୋର୍ଟ ଏହି ସଂଶୋଧନକୁ ବାତିଲ କରିବା ପରେ ବିଏମ୍ସିର ଧାର୍ଯ୍ୟ ଲକ୍ଷ୍ୟ ୮୦ କୋଟି ୧୫ ଲକ୍ଷ ୬୪ ହଜାର ୨୧୮ ଟଙ୍କାକୁ ଖସି ଆସିଥିଲା। ୨୦୨୨ ଡିସେମ୍ବର ସୁଦ୍ଧା ୨୯ କୋଟି ୭୯ ଲକ୍ଷ ୩୪ ହଜାର ୩୮୭ ଟଙ୍କା ଆଦାୟ ହୋଇଥିଲା। ଡିସେମ୍ବର ମାସରେ ମାତ୍ର ୧ କୋଟି ଆଦାୟ ହୋଇଥିଲା। ଯାହାକୁ ନେଇ ଚିନ୍ତା ବଢ଼ିଥିଲା। ଛୁଟି ଦିନରେ ବି କ୍ୟାମ୍ପ କୋର୍ଟ କରି ବିଏମ୍ସି ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିଥିଲା। ଏହା ପରେ ମଧ୍ୟ ଟାର୍ଗେଟ୍ ଠାରୁ ବହୁ ଦୂରରେ ରହିଥିଲା। ଏଣୁ ୱାର୍ଡ ଅଫିସର ଘର ଘର ବୁଲି ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିଥିଲେ। ମାର୍ଚ୍ଚ ଶେଷ ସୁଦ୍ଧା ଅର୍ଥାତ୍ ୩ ମାସରେ ୪୦ କୋଟି ଆଦାୟ ହୋଇଥିଲା। ଏହା ବାଦ୍ ଅନ୍ୟାନ୍ୟ ରାଜସ୍ବ ରହିଛି। ଏଥିରେ ମାର୍କେଟ୍, ବିଜ୍ଞାପନ ଫଳକ, ଟ୍ରେଡ୍ ଲାଇସେନ୍ସ ଫି, ପାର୍କିଂ, ପ୍ରଶାସନିକ ଦେୟରୁ ରାଜସ୍ବ ଆଦାୟ ହୋଇଥିଲେ ମଧ୍ୟ ଆଜି ଶେଷ ଦିନରେ ଆଦାୟ ହୋଇ ପାରି ନାହିଁ। ଆସନ୍ତାକାଲି ଏ ସବୁକୁ ହିସାବ ହେଲେ ରାଜସ୍ବ ବଢ଼ିବ ବୋଲି ଡେପୁଟି କମିସନର ସପନ କୁମାର ନନ୍ଦ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଟ୍ରେଡ୍ ଲଳାଇସେନ୍ସ ଓ ବିଜ୍ଞାପନରୁ ଏଥର ଶତପ୍ରତିଶତ ରାଜସ୍ବ ଆଦାୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।