ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ: ୨ ମାସରେ ୧୫.୮୭ କୋଟି ଆଦାୟ

ଠକିଲେ କଡ଼ା କାର୍ଯ୍ୟାନୁଷ୍ଠାନ: କମିସନର, ଭିଡିଓରେ ସଚେତନତା

ଭୁବନେଶ୍ୱର: କେବଳ ଅନ୍‌ଲାଇନ୍‌ରେ ଆଦାୟ ହେଉଛି ହୋଲ୍ଡିଂ ଟ୍ୟାକ୍ସ। ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ଦାୟିତ୍ବରେ ଥିବା କର୍ମଚାରୀ ବ୍ୟାପକ ହେର୍‌ଫେର୍‌ କରିବାରୁ ଏପ୍ରିଲ୍‌ ମାସରୁ କେବଳ ଅନ୍‌ଲାଇନରେ ଏହି କର ଆଦାୟ ହେଉଛି। ୨ ମାସରେ ଏ ବାବଦରେ ବିଏମ୍‌ସି ରେକର୍ଡ ପରିମାଣର ରାଜସ୍ବ ଆଦାୟ କରିଛି। ଏପ୍ରିଲ୍‌ ଓ ମେ ମାସରେ ୧୫ କୋଟି ୮୭ ଲକ୍ଷ ଆଦାୟ ହୋଇଛି ଯାହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି।
ଗତବର୍ଷ(୨୦୨୧-୨୨) ୧ଶହ କୋଟି ୨୯ ଲକ୍ଷ ୧୧ ହଜାର ୬୧୮ ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ୬୨ କୋଟି ୮୨ ଲକ୍ଷ ୨୫ ହଜାର ୫୪ ଟଙ୍କା ଆଦାୟ ହୋଇଥିଲା।

ଏଥର (୨୦୨୨-୨୩ ଆର୍ଥିକ ବର୍ଷରେ)୧୨୦ କୋଟି ୪୯ ଲକ୍ଷ ୭୭ ହଜାର ୩୭୮ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଦୁଇ ମାସ ମଧ୍ୟରେ ୧୫ କୋଟି ୮୭ ଲକ୍ଷ ଆଦାୟ ହୋଇଛି। ଯଦିଓ ଦୁଇ ମାସରେ ରେକର୍ଡ ପରିମାଣର ରାଜସ୍ବ ଆଦାୟ ହୋଇଛି, ଏହି ହାରରେ ଆଦାୟ ହେଲେ ୧୨ ମାସରେ ସର୍ବାଧିକ ୯୦ କୋଟି ଆଦାୟ ହେବ। ଏଣୁ ଲକ୍ଷ୍ୟ ପୂରଣ କରିବାକୁ ହେଲେ ଶତ ପ୍ରତିଶତ ହୋଲ୍ଡିଂ ଆଦାୟ କରିବାକୁ ହେବ। ଏଥିପାଇଁ ନିୟମିତ ଏନ୍‌ଫୋର୍ସମେଣ୍ଟ କରିବାକୁ ନିଷ୍ପତ୍ତି ହୋଇଛି। ନିୟମିତ ସମୀକ୍ଷା ହେବା ସହ ଯେଉଁମାନେ ଜାଣି ଜାଣି ହୋଲ୍ଡିଂ ଟ୍ୟା‌କ୍ସ ଦେଉନାହାନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିସନର ସଞ୍ଜୟ କୁମାର ସିଂହ।

ତେବେ ଅନେକ ଲୋକ ଅଜ୍ଞ ଥିବାରୁ ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌) ଦୁଇଟି ସଚେତନତା ଭିଡିଓ ପ୍ରସ୍ତୁତ କରିଛି। ନୂଆ ହୋଲ୍ଡିଂ ନମ୍ବର ପାଇଁ କିଭଳି ଅନ୍‌ଲାଇନ୍‌ରେ ଆବେଦନ କରି‌ ହେବ ଓ ଦେୟ ଦାଖଲ କରିହେବ, ସେନେଇ ସଚେତନତା କରାଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏହି ଭିଡିଓ ଅପ୍‌ଲୋଡ୍‌ କରି ଅନ୍‌ଲାଇନ୍‌‌ରେ ଦାଖଲ କରିବାକୁ ପରାମର୍ଶ ଦେଇଛି। ତେବେ ଅନ୍‌ଲାଇନ୍‌ରେ କେବଳ ହୋଲ୍ଡିଂ ଟ୍ୟାକ୍ସ ଦାଖଲ ହେବ ନାହିଁ, ବରଂ ନୂଆ ଘର ପାଇଁ ହୋଲ୍ଡିଂ ନମ୍ବର ଆବେଦନ କରିବା ବାଧ୍ୟତାମୂଳକ କରାଯାଇଛି।

ଭୁବନେଶ୍ବର ଡଟ୍‌ ଏମ୍‌ଇ (bhubaneswar.me)ୱେବ୍‌ସାଇଟ୍‌ରେ ସିଟିଜେନ୍‌ ସର୍ଭିସକୁ ଯାଇ ଲୋକମାନେ ଆବେଦନ କରିବେ। ଜୁନ୍‌ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ୭୨୮ଟି ନୂଆ ହୋଲ୍ଡିଂ ନମ୍ବର ପାଇଁ ଆବେଦନ ଆସିଛି। ଉତ୍ତର ଜୋନ୍‌ରୁ ସର୍ବାଧିକ ୪୯୮ ଆବେଦନ ଆସିଥିବା ବେଳେ ଦକ୍ଷିଣପୂର୍ବ ଜୋନ୍‌ରୁ ୧୬୫ ଓ ଦକ୍ଷିଣ ପଶ୍ଚିମ ଜୋନ୍‌ରୁ ୮୮ଟି ଆସିଛି। ଏଥିରୁ ପ୍ରାୟ ୧୫୦ ଜଣଙ୍କୁ ନମ୍ବର ପ୍ରଦାନ କରାଯାଇଛି। ଆବେଦନ କରିବାର ୭ ଦିନ ମଧ୍ୟରେ ହୋଲ୍ଡିଂ ନମ୍ବର ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହୋଲ୍ଡିଂ ପାଇଁ ଆବେଦନ ଛଡ଼ା ଟ୍ରେଡ୍‌ ଲାଇସେନ୍ସ ଆଦାୟ ଓ ଆବେଦନ ମଧ୍ୟ ଅନ୍‌ଲାଇନ୍‌ରେ କରାଯାଉଛି। ଦୁଇ ମାସ ମଧ୍ୟରେ ଟ୍ରେଡ୍‌ ଲାଇସେନ୍ସ ବାବଦକୁ ଅନ୍‌ଲାଇନ୍‌ରେ ୧ କୋଟି ୪୧ ଲକ୍ଷ ଟଙ୍କା ଆଦାୟ ହୋଇଛି। ତା’ ସହିତ କଲ୍ୟାଣ ମଣ୍ଡପ, ମହାଯାତ୍ରା ଗାଡ଼ି, ପାଣି ଟାଙ୍କି ଓ ସେସ୍‌ପୁଲ୍‌ ଗାଡ଼ି ବୁକିଂ କେବଳ ଅନ୍‌ଲାଇନ୍‌ରେ କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର