ଭୁବନେଶ୍ବର : ମାର୍ଚ୍ଚ ମାସ ଅଧାରୁ କରୋନା କବଳରେ ରାଜଧାନୀ ଥିଲେ ହେଁ ଏହାର ବିଶେଷ ପ୍ରଭାବ ବିଏମ୍ସିର ରାଜସ୍ବ ଆଦାୟ ଉପରେ ପଡ଼ିନି। ୨୦୧୮-୧୯ରେ ୧୦୧କୋଟି ରାଜସ୍ବ ଆଦାୟ ହୋଇଥିବା ବେଳେ ୨୦୧୯-୨୦ରେ ପ୍ରାୟ ୯୫କୋଟି ରାଜସ୍ବ ଆଦାୟ ହୋଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ଗତବର୍ଷଠାରୁ ଏଥର ୪ କୋଟି ଅଧିକ ହୋଲଡିଂ ଟିକସ ଆଦାୟ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ମାର୍ଚ୍ଚ ୩୧ରେ ବିଏମ୍ସି ୧୪କୋଟି ଟଙ୍କା ହୋଲଡିଂ ଟିକସ ବାବଦକୁ ପାଇଛି।
ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏଥର ପ୍ରାୟ ୯୫ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି। ହେଲେ କେତେ ଟଙ୍କା ଆଦାୟ ହୋଇଛି, ତାହା ସ୍ପଷ୍ଟ ହୋଇନି। ଜୋନାଲ ଡେପୁଟି କମିସନରମାନେ ଏବେ କରୋନା ମୁକାବିଲା ପାଇଁ ବ୍ୟସ୍ତ ଥିବାରୁ ସେମାନଙ୍କ ଜୋନରେ କେଉଁ କ୍ଷେତ୍ରରେ କେତେ ଟଙ୍କା ଆଦାୟ ହୋଇଛି ତା’ର ସବିଶେଷ ତଥ୍ୟ ଦେଇନାହାନ୍ତି। ଏହି ତଥ୍ୟ ମିଳିବା ପରେ ଠିକ୍ ହିସାବ ମିଳିବ। କିନ୍ତୁ ଆମ ଆକଳନ ଅନୁଯାୟୀ, ଏଥର ପ୍ରାୟ ୯୫କୋଟି ରାଜସ୍ବ ଆଦାୟ ହୋଇଛି। ଚଳିତବର୍ଷ ୪୩ କୋଟି ୮୦ଲକ୍ଷ ଟଙ୍କା ହୋଲଡିଂ ଟିକସ ବାବଦକୁ ଆଦାୟ ହୋଇଛି। ଯେତେବେଳେକି ଗତ ବର୍ଷ ୩୯.୬୨ କୋଟି ଆଦାୟ ହୋଇଥିଲା। କେବଳ ଏତିକି ନୁହେଁ ଏଥର ମାର୍ଚ୍ଚ ୩୧ରେ ଗୋଟିଏ ଦିନରେ ପ୍ରାୟ ୧୪କୋଟି ହୋଲଡିଂ ଟିକସ ଆଦାୟ ହୋଇଛି। ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ହୋଲଡିଂ ଟିକସ ଆୟ ୨୯ କୋଟି ଥିବା ବେଳେ ୩୧ତାରିଖରେ ହିଁ ବିଭିନ୍ନ ସରକାରୀ ସଂସ୍ଥା ହୋଲଡିଂ ଟିକସ ଦେଇଦେବାରୁ ରାଜସ୍ବ ଆଦାୟ ବଢ଼ି ଯାଇଥିଲା। ୩୧ତାରିଖରେ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ୨.୯୪କୋଟି, ଇଡକୋ ୨କୋଟି ଓ ଅନ୍ୟ ବିଭାଗ ପ୍ରାୟ ୯କୋଟି ଦେଇଥିଲେ। ଅପରପକ୍ଷେ ମାର୍ଚ୍ଚ ୧୫ରୁ ବେସରକାରୀ ହୋଲଡିଂ ଟିକସ ଆଦାୟ ଏକରକମ ବନ୍ଦ ହୋଇଯାଇଥିଲା। ଏପରିକି ୱାର୍ଡ ଅଫିସର, କିନ୍ନର ଓ ସ୍ବୟଂ ସହାୟିକା ଗୋଷ୍ଠୀ ଲୋକଙ୍କ ଘରକୁ ଯିବାକୁ ମନା କରିଦେବାରୁ ଆଦାୟ ବାଧାପ୍ରାପ୍ତ ହୋଇଥିଲା। ଯେଉଁମାନେ ଯାଇଥିଲେ, ସେମାନଙ୍କୁ ଲୋକ ଦେଖା ଦେଇନଥିଲେ। କେବଳ ଏତିକି ନୁହେଁ, ଯେଉଁମାନେ ବଡ଼ ଖିଲାପକାରୀ ଥିଲେ ଆମେ ସେମାନଙ୍କର ପାଣି ସଂଯୋଗ କାଟିଥିଲେ ହେଁ କରୋନା ବଢ଼ିବାରୁ ପୁଣି ପାଣି ସଂଯୋଗ ଦେଇଥିଲୁ। ଆମେ ବଡ଼ ଖିଲାପକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଥିଲେ ହେଁ କରୋନା ଯୋଗୁ ହାତବାନ୍ଧି ବସିଲୁ। ସେହିପରି ଏଥର ବିଜ୍ଞାପନ ବାବଦକୁ ୯କୋଟି ରାଜସ୍ବ ଆଦାୟ ହୋଇଥିବାବେଳେ ବିଭିନ୍ନ ଜମା ବାବଦକୁ ସୁଧ ଓ ଅନ୍ୟାନ୍ୟ ଆୟ ମିଶି ପ୍ରାୟ ୫୨କୋଟି ଆଦାୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/bmc.jpeg)