ବଢ଼ିବ ହୋଲ୍‌ଡିଂ ଟିକସ : ପିଛିଲା ଭାବେ ଏପ୍ରିଲରୁ ଲାଗୁ ହେବ, ମହଙ୍ଗା ହୋଇଯିବ ଭୁବନେଶ୍ୱର

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଖୁବ୍ ଶୀଘ୍ର ହୋଲଡିଂ ଟିକସ ବଢ଼ାଇବାକୁ ଯୋଜନା କରିଛି। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ନଭେମ୍ବର ମାସରୁ ଏହା ଆଦାୟ ହେବ। ପିଛିଲା ଭାବେ ଏପ୍ରିଲ, ୨୦୧୯ରୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ପ୍ରଶାସନ ବିଭାଗ ଜମିର ବେଞ୍ଚ ମାର୍କ ମୂଲ୍ୟ ବଢ଼ାଇଥିବାରୁ ସେହି ଅନୁଯାୟୀ ହୋଲଡିଂ ଟିକସ ବଢ଼ୁଛି। ବିଏମ୍‌ସି ଏବେ ବି ୧୯୯୮ ମସିହାରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ପାଇଁ ଧାର୍ଯ୍ୟ ହୋଇଥିବା ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ହୋଲଡିଂ ଟିକସ ଆଦାୟ କରୁଛି। ୨୧ ବର୍ଷ ହେଲା ହୋଲଡିଂ ଟିକସ ବଢ଼ିନଥିଲା। ତେଣୁ ଏବେ ରାଜସ୍ବ ବୃଦ୍ଧି ପାଇଁ ନୂଆ ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ହୋଲଡିଂ ଟିକସ ଆଦାୟ କରିବାକୁ ନିଷ୍ପତ୍ତିି ହୋଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାର ପ୍ରତି ଦୁଇ ବର୍ଷରେ ଥରେ ବିଭିନ୍ନ ଅଞ୍ଚଳର ଜମିର ବେଞ୍ଚମାର୍କ ମୂଲ୍ୟ ବଢ଼ାଉଥିବା ବେଳେ ପୌର ସଂସ୍ଥା ପ୍ରତି ୫ ବର୍ଷରେ ଥରେ ହୋଲଡିଂ ଟିକସ ବଢ଼ାଇବାର ନିୟମ ଅଛି। ହେଲେ ବିଏମ୍‌ସି ୨୧ବର୍ଷ ହେଲା ହୋଲଡିଂ ଟିକସ ବଢ଼ାଇନି। ଯେତେବେଳେ କି ଜମିର ବେଞ୍ଚ ମାର୍କ ମୂଲ୍ୟ ୧୦ଥରରୁ ଅଧିକ ବଢ଼ି ସାରିଲାଣି। ଆମେ ହୋଲଡିଂ ଟିକସ ବଢ଼ାଇ ନଥିଲୁ। ସାଧାରଣ ପ୍ରଶାସନ ବିଭାଗ ୧୮.୦୨.୨୦୧୯ରେ ଧାର୍ଯ୍ୟ କରିଥିବା ଜମିର ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ଆମେ ହୋଲଡିଂ ଟିକସ ଆଦାୟ କରିବାକୁ ନିଷ୍ପତ୍ତି ନେଇଛୁ।

ନୂଆ ନିୟମରେ ଆବାସିକ ଘର ପିଛା ହୋଲଡିଂ ଟିକସ ପ୍ରାୟ ୩ରୁ ୪ଗୁଣା ବଢ଼ିଥିବା ବେଳେ ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ଭଡ଼ା ଲଗାଉଥିବା ଘର ପାଇଁ ଏହା ବହୁଗୁଣା‌ ବଢ଼ି ଯାଇଛି। ବିଏମ୍‌ସିର ଏହି ଟିକସ ଆଦାୟକୁ ବିରୋଧ କରିବା ପାଇଁ ବିଭିନ୍ନ ସଂଗଠନ ପ୍ରସ୍ତୁତି ଆରମ୍ଭ କରିଦେଲେଣି।

ବିଏମ୍‌ସିରେ ଏହି ନିଷ୍ପତ୍ତି ପରେ ରାଜଧାନୀରେ ରହିବା ଏବଂ ବ୍ୟବସାୟ କରିବା ମହଙ୍ଗା ହୋଇଯିବ। ପୂର୍ବରୁ ୨୦୧୦ରେ ହୋଲଡିଂ ଟିକସ ବୃଦ୍ଧି କରାଯାଇଥିବା ବେଳେ ଏହାକୁ ନେଇ ହାଇକୋର୍ଟରେ ମାମଲା ହୋଇଥିଲା। ସେହିପରି ୟୁଜର୍ସ ଫି’ ୨୦୧୫ରେ ବଢ଼ିଥିବା ବେଳେ ଏହାକୁ ନେଇ ବି ହାଇକୋର୍ଟରେ ମାମଲା ଗଡ଼ୁଛି। ତେଣୁ ଏବେ ବଢ଼ିବାକୁ ଥିବା ହୋଲଡିଂ ଟିକସ ନେଇ ମାମଲା କୋର୍ଟ‌ରେ ପହଞ୍ଚୁଛି କି ନାହିଁ, ତାହା ଦେଖିବା ବାକି ରହିଲା।

ହୋଲଡିଂ ଟିକସ ହିସାବ ନିୟମ
ଆବାସିକ ‌େହାଲଡିଂ ଟିକସ ଆଦାୟ ପାଇଁ ଏବେ ଜମି ଓ ଘରର ମୂଲ୍ୟକୁ ହିସାବକୁ ନେଇ ୧୭.୫% ଟିକସ ଆଦାୟ ହେଉଛି। ଏଥିରେ ହୋଲଡିଂ ଟିକସ ବାବଦକୁ ୧୦%, ଲାର୍ଟିନ୍ ଟ୍ୟାକ୍ସ ବାବଦକୁ ୨.୫% ଏବଂ ଷ୍ଟ୍ରିଟଲାଇଟ୍‌ ବାବଦକୁ ୫% ହିସାବରେ ଆଦାୟ ହେଉଛି। ବିଏମ୍‌ସି ୨୫% ହୋଲଡିଂ ଟିକସ ଆଦାୟ କରିପାରିବାର ନିୟମ ଥିଲେ ହେଁ ସେହି ୧୭.୫% ଟିକସ ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ଜମିର ନୂଆ ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ଟିକସ ଆଦାୟ ହେବ।

ବିଏମ୍‌ସିର ହୋଲଡିଂ ଟିକସ ନିୟମ ଅନୁଯାୟୀ, ଘର ଯେତିକି ଅଞ୍ଚଳ (ବର୍ଗମିଟର)ରେ ନିର୍ମାଣ ହୋଇଥିବ ସେଥିରେ ୧୩.୬୫ଟଙ୍କା ଗୁଣି ହିସାବ ହେବ। ଏଥିରୁ ୧୫% ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ କଟିବ। ପୁଣି ଏଥିରେ ହୋଲଡିଂ ଟିକସ ଆଦାୟ ହେଉଥିବା ଜମିର ବେଞ୍ଚ ମାର୍କ ମୂଲ୍ୟର ୦.୫% ମିଶାଯିବ। ଯେତିକି ‌ଟଙ୍କା ହେବ, ତାହା ହେଉଛି ଜମି ଓ ଘରର ବାର୍ଷିକ ମୂଲ୍ୟ। ଏହି ମୂଲ୍ୟର ୧୭.୫% ଜଣେ ବର୍ଷକୁ ହୋଲଡିଂ ଟିକସ ବାବଦକୁ ଦେବ।

ଏବେ କେତେ ଦେଉଛନ୍ତି
୧୯୯୮ ମସିହାରେ ଥିବା ଜମିର ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ, ଜଣଙ୍କର ଯଦିି ସହିଦନଗରରେ ୨ଡେସିମିଲ ଜମି ଅଛି ଏବଂ ସେ ପୂରା ଜମି ଉପରେ ଅର୍ଥାତ୍ ୮୧ ବର୍ଗମିଟର ବା ୮୭୧.୨ ବର୍ଗଫୁଟରେ ଘର ନିର୍ମାଣ କରିଛନ୍ତି ତେବେ ତାଙ୍କୁ ଏକ ଏକରକୁ ୩୦ଲକ୍ଷ ଟଙ୍କା ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ୧୭୨ଟଙ୍କା ବର୍ଷକୁ ଦେବାକୁ ପଡ଼ୁଛି।
ହିସାବ ଅନୁଯାୟୀ, ୧ ଡେସିମିଲକୁ ୧୫ଟଙ୍କା ହିସାବରେ ୨ ଡେସିମିଲକୁ ୩୦ଟଙ୍କା। ବର୍ଗମିଟର ପିଛା ୧୩.୬୫ ଟଙ୍କା ହିସାବରେ ୮୧ ବର୍ଗମିଟରକୁ ୧୧୦୫.୬୫ଟଙ୍କା, ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ ୧୫% କଟିଲେ ୧୬୫.୮୪ ପଇସା କଟିବ। (୩୦ଟଙ୍କା+୧୧୦୫.୬୫ଟଙ୍କା-୧୬୫.୮୪ଟଙ୍କା) = ୯୬୯.୮୧ ଟଙ୍କା। ଏହା ହେଉଛି ଜମି ଓ ଘରର ବାର୍ଷିକ ମୂଲ୍ୟ। ଏହାର ୧୭.୫% ହୋଲଡିଂ ଟିକସ ହେଲେ ହିସାବ ଅନୁଯାୟୀ ୧୬୯.୭୧ଟଙ୍କା ହେଉଛି। କିନ୍ତୁ ଦେଉଛନ୍ତି ୧୭୨ଟଙ୍କା।

କେତେ ଦେବେ
ନୂଆ ହିସାବ ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କୁ ସେହି ସମାନ ଜମି ଓ ଘର ପାଇଁ ଦେବାକୁ ପଡ଼ିବ ୪୪୪.୪୬ ଟଙ୍କା। କାରଣ ଏବେ ସହିଦନଗରରେ ଆବାସିକ ଜମିର ବେଞ୍ଚ ମାର୍କ ମୂଲ୍ୟ ହୋଇଛି ୧୬‌‌କୋଟି। ହିସାବ ଅନୁଯାୟୀ, ୧ଡେସିମିଲକୁ ୮୦୦ଟଙ୍କା ହିସାବରେ ଦୁଇ ଡେସିମିଲକୁ ୧୬୦୦ଟଙ୍କା। ବର୍ଗମିଟର ପିଛା ୧୩.୬୫ଟଙ୍କା ହିସାବରେ ୮୧ବର୍ଗମିଟରକୁ ୧୧୦୫.୬୫ଟଙ୍କା, ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ ୧୫% କଟିଲେ ୧୬୫.୮୪ ପଇସା କଟିବ। ତେଣୁ (୧୬୦୦ଟଙ୍କା+୧୧୦୫.୬୫ଟଙ୍କା-୧୬୫.୮୪ଟଙ୍କା) = ୨୫୩୯.୮୧ ଟଙ୍କା। ଏହା ହେଉଛି ଜମି ଓ ଘରର ବାର୍ଷିକ ମୂଲ୍ୟ। ଏହାର ୧୭.୫% ହୋଲଡିଂ ଟିକସ ହେଲେ ହିସାବ ଅନୁଯାୟୀ ୪୪୪.୪୬ଟଙ୍କା ହେବ। ହେଲେ ଦେବେ ୪୪୮ଟଙ୍କା।

କିନ୍ତୁ ଅଧିକାଂଶ ଲୋକଙ୍କର ଯେତିକି ଜମି ଅଛି ସେଥିରୁ ଅଧିକାଂଶ ଖାଲି ପଡ଼ିଥିବା ବେଳେ ବାକି କିଛି ସ୍ଥାନରେ ଘର ତିଆରି ହୋଇଛି। ତେଣୁ ଜମିର ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ଖାଲି ପଡ଼ିଥିବା ଜମି ବାବଦକୁ ବି ଅଧିକ ଟଙ୍କା ଗଣିବାକୁ ହେବ।

‌‌‌ତେବେ ସହିଦନଗର ଭଳି ରାଜଧାନୀର ଅନ୍ୟ ଅଞ୍ଚଳରେ ଯେଉଁ ଅନୁସାରେ ବେଞ୍ଚମାର୍କ ମୂଲ୍ୟ ଅଛି, ସେହି ଅନୁଯାୟୀ ଲୋକେ ହୋଲଡିଂ ଟିକସ ଦେବେ।

ଦ୍ବନ୍ଦ୍ବ ଉପୁଜାଉଛି ନୂଆ ନିର୍ଦ୍ଦେଶନାମା, ୧୦୦ ବର୍ଗଫୁଟକୁ ୨୦,୧୩୨ଟଙ୍କା

ହୋଲଡିଂ ଟିକସ ଆଦାୟ କରିବା ନେଇ ଟ୍ୟାକ୍ସ କଲେକ୍ଟରମାନଙ୍କୁ ନୂଆ ନିର୍ଦ୍ଦେଶନାମା ଦିଆଯାଇଛି। ଏଥିରେ ଉପରେ ଦିଆଯାଇଥିବା ହିସାବ ଅନୁଯାୟୀ, ପୁରୁଣା ଘରୁ ଟିକସ ଆଦାୟ ହେବ। କିନ୍ତୁ ଏବେ ଯେଉଁମାନେ ନୂଆ କରି ହୋଲଡିଂ ଟିକସ ଦେବେ, ସେମାନେ ନୟାନ୍ତ ହେବେ। ୨୦୧୯-୨୦ ମସିହା ପାଇଁ ଯେଉଁମାନେ ହୋଲଡିଂ ଟିକସ ନୂଆ କରି ଦେଉଛନ୍ତି ବା ଦେବେ, ସେମାନଙ୍କ ପାଇଁ ନୂଆ ନିୟମ ଲାଗିବ। ଏଥିରେ ପୂର୍ତ୍ତ ବିଭାଗ ପକ୍ଷରୁ ଘରର ବର୍ଗଫୁଟ ପିଛା ଯେଉଁ ମୂଲ୍ୟ ଧାର୍ଯ୍ୟ ହୋଇଛି, ସେହି ଅନୁଯାୟୀ ଟିକସ ଆଦାୟ ହେବ। ଅର୍ଥାତ୍‌ ଆଉ ବର୍ଗମିଟର ପିଛା ଟିକସ ଆଦାୟ ନକରି ବର୍ଗଫୁଟ ପିଛା ଆଦାୟ ହେବ। ଏଥିରେ ବର୍ଗଫୁଟ ପିଛା ୧୧୨୦ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଜଣେ ୧୦୦ବର୍ଗଫୁଟର ଘର କରିଥିଲେ ତାଙ୍କଠାରୁ ୧,୧୨,୦୦୦ଟଙ୍କା ସମେତ ବିଦ୍ୟୁତ ଓ ପାଣି ସଂଯୋଗ ବାବଦ ଖର୍ଚ୍ଚ ପାଇଁ ଏହି ମୂଲ୍ୟର ୨୦% ଅର୍ଥାତ୍ ୨୨,୪୦୦ଟଙ୍କା ହିସାବକୁ ନିଆଯିବ। ଏହିପରି ମୋଟ ୧,୩୪,୪୦୦ଟଙ୍କା ଘରର ମୂଲ୍ୟ ହେବ। ଏହାର ବାର୍ଷିକ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୧୫% କଟିବ, ଅର୍ଥାତ ୨୦,୧୬୦ ଟଙ୍କା କଟିବ। ଏଥିରେ ୧ଡେସିମିଲ ଜମିର ମୂଲ୍ୟ ୮୦୦ଟଙ୍କା ମିଶିଲେ ଘର ଓ ଜମିର ବାର୍ଷିକ ମୂଲ୍ୟ ହେବ ୧,୧୫,୦୪୦ଟଙ୍କା। ଏହାର ୧୭.୫% ହୋଲଡିଂ ଟିକସ ବାବଦକୁ ଦେଲେ ଜଣେ ବର୍ଷକୁ ୨୦,୧୩୨ଟଙ୍କା ଦେବ। ଯଦି ୧୦୦ ବର୍ଗଫୁଟରେ ‌ଘର କରିଥିବା ଲୋକ ୨୦ହଜାର ଟଙ୍କା ହୋଲଡିଂ ଟିକସ ଗଣିବ, ତେବେ ରାଜଧାନୀରେ ନୂଆ ଘର କଲେ ଲୋକ କେତେ ଟଙ୍କା ଦେବେ ତା’ର ହିସାବ କଲା ବେଳକୁ ଲୋକଙ୍କ ରକ୍ତଚାପ ବଢ଼ିଗଲାଣି। ଏ ନେଇ ବିଏମ୍‌ସିର ଅତିରିକ୍ତ କମିସନର୍‌ ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି ଯେ ଆମେ କେବଳ ନୂଆ ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ହୋଲ୍ଡିଂ ଟିକସ ଆଦାୟ କରିବୁ। ପୂର୍ବରୁ ଯେମିତି ବର୍ଗମିଟର ପିଛା ଆଦାୟ ହେଉଥିଲା, ସେହିପରି ଆଦାୟ ହେବ।

ଜୋରଦାର ବିରୋଧ ହେବ
ବିଏମ୍‌ସିର ପ୍ରସ୍ତାବିତ ହୋଲଡିଂ ଟିକସକୁ ସମାଜବାଦୀ ପାର୍ଟି ଜୋରଦାର ବିରୋଧ କରିବ ବୋଲି ଏହାର ରାଜ୍ୟ ସଭାପତି ରବି ବେହେରା କହିଛନ୍ତି। ହୋଲଡିଂ ଟିକସ ବଢ଼ିଲେ ରାଜଧାନୀରେ ଘର ଭଡ଼ା, ଦୋକାନ ଭଡ଼ା ବଢ଼ିଯିବ। ତେଣୁ ଲୋକଙ୍କ ଉପରେ ବୋଝ ଲଦି ହୋଇଯିବ। ଏହାଦ୍ବାରା ଛୋଟ ଦୋକାନୀ, ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକମାନେ ଅଧିକ ପ୍ରଭାବିତ ହେବେ। ବିଏମ୍‌ସି ଗୁଣାତ୍ମକ ସେବା ଯୋଗାଇବା ବଦଳରେ ଟିକସ ନାଁରେ ଲୋକଙ୍କୁ ‌େଶ‌ାଷଣ କରିବାକୁ ଯୋଜନା କରୁଛି ବୋଲି ଶ୍ରୀ ବେହେରା କହିଛନ୍ତି। ବିଏମ୍‌ସିର ନୂଆ ଟିକସକୁ ବିରୋଧ କରିବାକୁ ଘର ମାଲିକ, ଭଡ଼ାଟିଆ, ଛୋଟ ଦୋକାନୀମାନେ ଏକାଠି ହେବାକୁ ଶ୍ରୀ ବେହେରା ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର