କେବଳ ଅନ୍ଲାଇନ୍ରେ ଆଦାୟ ହେବ ହୋଲ୍ଡିଂ ଟ୍ୟାକ୍ସ, ୨ ବର୍ଷ ହେଲା ଜାଣି ଜାଣି ବ୍ୟବହାର କରୁନଥିଲେ
କ୍ଷତି ସହୁଥିଲା ବିଏମ୍ସି, ପ୍ରଶିକ୍ଷଣ ନେଲେ ୱାର୍ଡ ଅଫିସର
ଭୁବନେଶ୍ବର : ଏଥର କେବଳ ଅନ୍ଲାଇନ୍ରେ ହିଁ ଆଦାୟ ହେବ ହୋଲ୍ଡିଂ ଟ୍ୟାକ୍ସ। ଦୁଇ ବର୍ଷ ହେବ ଅନ୍ଲାଇନ୍ରେ ଆଦାୟ ପାଇଁ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଜାଣି ଜାଣି କେତେକ ୱାର୍ଡ ଅଫିସର ବ୍ୟବହାର କରୁନଥିଲେ। ଫଳରେ ବିଏମ୍ସି କୋଟି କୋଟି ଟଙ୍କାର କ୍ଷତି ସହୁଥିଲା। ବହୁ ଅର୍ଥ ବାଟମାରଣା ହେଉଥିଲା। ଯଦିଓ କେତେକ ୱାର୍ଡ ଅଫିସରଙ୍କ ଉପରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ହୋଇଛି ଓ କେତେକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ତଥାପି ବିଏମ୍ସିର କିଛି ଲାଭ ହୋଇନାହିଁ। ତେଣୁ ବିଏମ୍ସି କମିସନର ସଞ୍ଜୟ ସିଂହ କେବଳ ଅନ୍ଲାଇନ୍ରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଏନେଇ ୱାର୍ଡ ଅଫିସରଙ୍କୁ ଦକ୍ଷ କରିବା ପାଇଁ ଆଜି ଉତ୍ତର ଜୋନ୍ର ୨୦ ୱାର୍ଡ ଅଫିସରଙ୍କୁ ବିଏସ୍ସିଏଲ୍(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍) ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି। ସ୍ମାର୍ଟ ସିଟି କନ୍ଫରେନ୍ସ ହଲ୍ରେ ସ୍ମାର୍ଟ ସିଟି ମହାପ୍ରବନ୍ଧକ କମଲ୍ଜିତ୍ ଦାସ ଓ ବିଏମ୍ସି ଅତିରିକ୍ତ କମିସନର ବିନୟ କୁମାର ଦାସ ପ୍ରଶିକ୍ଷଣ ଦେଇଛନ୍ତି। ପର୍ଯ୍ୟାୟକ୍ରମେ ତିନି ଜୋନ୍ର ୱାର୍ଡ ଅଫିସରଙ୍କୁ ଅନ୍ଲାଇନ୍ରେ ଆଦାୟ କରିବା ପାଇଁ ତାଲିମ୍ ପ୍ରଦାନ କରାଯିବାକୁ ଯୋଜନା ହୋଇଛି। ତାଲିମ୍ ପରେ ସେମାନେ ଲୋକମାନଙ୍କୁ ସଚେତନ କରାଇବେ। ୨୦୨୦ ମସିହାରୁ ହୋଲ୍ଡିଂ ଟ୍ୟାକ୍ସ ଅନ୍ଲାଇନ୍ରେ ଦେବାକୁ ବିଏମ୍ସି ପକ୍ଷରୁ ବ୍ୟବସ୍ଥା ହୋଇଛି। ବିଏସ୍ସିଏଲ୍ ଏଥିପାଇଁ ‘ଭୁବନେଶ୍ବର ଡଟ୍ ମି’ ୱେବ୍ସାଇଟ୍ରେ ବ୍ୟବସ୍ଥା କରିଛି। ଲୋକମାନେ ଏହି ୱେବ୍ସାଇଟ୍କୁ ଯାଇ ‘ସିଟିଜେନ୍ ସର୍ଭିସ୍’କୁ କ୍ଲିକ୍ କରିବେ। ସେଠାରେ ଘରର କେତେ ହୋଲ୍ଡିଂ ହେବ ସେଥିପାଇଁ ଆବେଦନ କରିପାରିବେ। ଯେଉଁମାନଙ୍କର ଏହି ଆକଳନ ସରିଯାଇଛି ସେମାନେ ଟ୍ୟାକ୍ସ ଜମା କରିପାରିବେ। ଯେଉଁମାନେ ଆକଳନ ପାଇଁ ଆବେଦନ କରିଛନ୍ତି ସେମାନେ ଏହି ଆବେଦନର ସ୍ଥିତାବସ୍ଥା ଜାଣି ପାରିବେ। ଏଥିପାଇଁ ବିଏମ୍ସି ଅଫିସକୁ ଆସିବା ଦରକାର ନାହିଁ। ଲୋକ ଆବେଦନ କରିବା ପରେ ଏହାକୁ ୱାର୍ଡ ଅଫିସର ଆପ୍ରୁଭ୍ କରିବେ। ଏହା ପରେ ଆବେଦନ ଜେଡ୍ଡିସି(ଜୋନାଲ୍ ଡେପୁଟି କମିସନର) ଯାଞ୍ଚ କରିବେ। ଠିକ୍ ଥିଲେ ଆପ୍ରୁଭ୍ କରିବେ। ଏହା ପରେ ଅନ୍ଲାଇନ୍ରେ ଅର୍ଥ ଜମା ହେବ। ଉଚିତ୍ ମୂଲ୍ୟରୁ କମ୍ ଆକଳନ ହୋଇଥିଲେ ଅନ୍ଲାଇନ୍ରେ ଜଣାପଡ଼ିଯିବ। ବେଆଇନ କାମ ୱାର୍ଡ ଅଫିସର କିମ୍ବା ଜେଡ୍ଡିସି କରିଛନ୍ତି ତାହା ମଧ୍ୟ ଜଣାପଡ଼ିବ। ଫଳରେ ନିର୍ଦ୍ଦିଷ୍ଟ ଅଫିସର ଉପରେ କାର୍ଯ୍ୟାନୁଷ୍ଠାନ ହେବ।