୪ଦିନ ତଳେ ‘ହାତ’ ଧରିଥିଲେ, ଛାଡ଼ିଦେଲେ

ଭୁବନେଶ୍ବର: ପୌର ନିର୍ବାଚନ ମତଦାନ ତାରିଖ ଯେତିକି ପାଖେଇ ଆସୁଛି ରାଜଧାନୀ ରାଜନୀତି ସେତିକି ରୋଚକ ମୋଡ଼ ନେଉଛି। ଘଡ଼ିକେ ଘୋଡ଼ା ଛୁଟିବା ଭଳି ପ୍ରତିଦିନ ପ୍ରାର୍ଥୀଙ୍କ ଆଭିମୁଖ୍ୟ ବଦଳୁଛି। କେତେବେଳେ କାହା ସହ ରହିବେ ଓ କାହାକୁ ଛାଡ଼ିବେ ସେ ନେଇ ନିଜେ ଦ୍ବନ୍ଦ୍ବରେ ରହୁଛନ୍ତି। ସକାଳେ ଗୋଟିଏ ଦଳରେ ଥିବା ବେଳେ ସନ୍ଧ୍ୟାରେ ଅନ୍ୟ ଦଳରେ। ଆଜି ୱାର୍ଡ ନମ୍ବର ୧୯ର କଂଗ୍ରେସ ପ୍ରାର୍ଥୀ ଜ୍ୟୋତ୍ସ୍ନାରାଣୀ ରାଉତରାୟ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଏଭଳି ସ୍ଥିତି ଦେଖାଦେଇଛି।

ଏହି ୱାର୍ଡରୁ ବିଜେଡି ଟିକେଟ୍‌ ପାଇଁ ଆଶାୟୀ ଥିବା ପୂର୍ବତନ କର୍ପୋରେଟର୍‌ ଜ୍ୟୋତ୍ସ୍ନାରାଣୀ ରାଉତରାୟ ଟିକେଟ୍‌ ନ ପାଇବାରୁ ଗତ ୭ ତାରିଖରେ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ଉଭୟ ଜ୍ୟୋତ୍ସ୍ନାରାଣୀ ଓ ତାଙ୍କ ସ୍ବାମୀ ପୂର୍ବତନ କର୍ପୋରେଟର ପ୍ରତାପ ରାଉତରାୟ କଂଗ୍ରେସରେ ଯୋଗଦେବା ନେଇ ବିଧିବଦ୍ଧଭାବେ ଘୋଷଣା କରାଯାଇଥିଲା। ସେହିଦିନ ତାଙ୍କୁ କଂଗ୍ରେସର ଦଳୀୟ ଟିକେଟ୍‌ ମିଳିଥିଲା ଓ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଜ୍ୟୋତ୍ସ୍ନାରାଣୀ କଂଗ୍ରେସ ପ୍ରାର୍ଥୀ ହେବା ପରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଡ଼ୁଆ ସୃଷ୍ଟିହୋଇଥିଲା। କାରଣ ୨୦୦୮ରେ ପ୍ରତାପ ଓ ୨୦୦୧୪ରେ ଜ୍ୟୋତ୍ସ୍ନାରାଣୀ କଂଗ୍ରେସ ପ୍ରାର୍ଥୀ ଭାବେ ଏହି ୱାର୍ଡରୁ ବିଜୟୀ ହୋଇଥିଲେ। ଏହି ୱାର୍ଡକୁ ନିଜର ଗଡ଼ ପରି ରଖିଥିଲେ। ପରବର୍ତ୍ତୀ ସମୟରେ ସେମାନେ ବିଜେଡିରେ ଯୋଗ ଦେଇଥିଲେ। ଏଥର ଜ୍ୟୋତ୍ସ୍ନାରାଣୀ କଂଗ୍ରେସ ପ୍ରାର୍ଥୀ ହେବା ପରେ ବିଜେଡି ସହ କଡ଼ା ମୁକାବିଲା କରିବାର ସମ୍ଭାବନା ଦେଖାଦେଇଥିଲା।

ଜ୍ୟୋତ୍ସ୍ନାରାଣୀଙ୍କୁ ବୁଝାଇବା ପାଇଁ ବିଜେଡି ନେତୃବୃନ୍ଦ ସବୁପ୍ରକାର ଉଦ୍ୟମ ଜାରି ରଖିଥିଲେ। ଶେଷରେ ଏହି ଉଦ୍ୟମ ସଫଳ ହେଲା। ଏହି ଘଟଣାରେ ଏବେ ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏମିତି କେଉଁ ଚାପ ସୃଷ୍ଟି ହେଲା ଯେ ଲଢ଼ିବା ପୂର୍ବରୁ ପ୍ରତାପ ଓ ଜ୍ୟୋତ୍ସ୍ନାରାଣୀ ମଇଦାନ ଛାଡ଼ିଦେଲେ? ଦୁଇ ଦୁଇ ଥର ନିଜ ଦମ୍‌ରେ ଜିତିଥିବା ଏହି ଦମ୍ପତିଙ୍କ ଏପରି ଛତ୍ରଭଙ୍ଗକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏବେ ସେମାନେ କଂଗ୍ରେସରେ ରହିବେ ନା ପୁଣି ବିଜେଡିରୁ ଫେରିଯିବେ, ତାହା ସ୍ପଷ୍ଟ ହୋଇ ନାହିଁ।

ଏ ନେଇ ଜ୍ୟୋତ୍ସ୍ନାରାଣୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ଥିଲା। ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶଙ୍କୁ ଯୋଗାଯୋଗ କରାଯିବାରୁ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସମ୍ପର୍କରେ ଜାଣି ନ ଥିବା କହିଥିଲେ।

ପୂର୍ବରୁ କଂଗ୍ରେସ ୧୯ଟି ୱାର୍ଡରେ ପ୍ରାର୍ଥୀ ଦେଇପାରି ନ ଥିଲା। ଏବେ ଜ୍ୟୋତ୍ସ୍ନାରାଣୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ କଂଗ୍ରେସ ପ୍ରାର୍ଥୀ ନ ଥିବା ୱାର୍ଡ ସଂଖ୍ୟା ୨୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର