ଭୁବନେଶ୍ୱର: ମଶାଣିରେ ରୋଷେଇ କରି ଖାଉଛନ୍ତି। ସେଇଠି ଲାଗିଥିବା ଟ୍ୟାପ୍ରୁ ପାଣି ପିଉଛନ୍ତି। ପିଲାମାନେ ମଶାଣିରେ ଖେଳୁଛନ୍ତି। ପୁଣି ରାତି ହେଲେ ସେଇଠି ଶୋଉଛନ୍ତି। ଭୁବନେଶ୍ୱରର କେନ୍ଦ୍ର ସ୍ଥଳରେ ଥିବା ସତ୍ୟନଗର ମଶାଣିରେ ଦୁଇ ଦିନ ହେଲା ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି। ମଶାଣିରେ ଏମିତି ଦିନରାତି କାଟୁଥିବା ସତ୍ୟକାଳୀ ବସ୍ତିର ଲୋକଙ୍କ ଦୁଃଖକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି। ମଶାଣି ବି ଘର ପାଲଟିପାରେ, ଏହା କଳ୍ପନା ବାହାରେ। ଶୁକ୍ରବାର ରାତିରୁ ଲଗାଣ ବର୍ଷା ଫଳରେ ସତ୍ୟନଗରରେ ଥିବା ସତ୍ୟକାଳୀ ବସ୍ତିର ଅବସ୍ଥା ସଙ୍ଗିନ୍ ହୋଇପଡ଼ିଛି। ଜରିପାଲ ପକାଇ ରହୁଥିବା ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ପ୍ରାୟ ୩୦ ପରିବାର ମଶାଣିରେ ଆସି ଆଶ୍ରୟ ନେଇଛନ୍ତି। ମଶାଣିରେ ଥିବା ଗୋଟିଏ ଘର ହିଁ ୫୦ରୁ ଅଧିକ ଲୋକଙ୍କ ସାହା ଭରସା ପାଲଟିଛି। ମଶାଣିରେ ପଡ଼ିଥିବା ଦରପୋଡ଼ା କାଠରେ ସେମାନେ ରୋଷେଇ କରୁଛନ୍ତି। ଯେଉଁଠି ରୋଷେଇ ହେଉଛି, ସେଇଠି ପିଲାମାନେ ଖେଳୁଛନ୍ତିି। ବସ୍ତିବାସିନ୍ଦା ରୋଜି ନାୟକ କହନ୍ତି, ଆଜ୍ଞା, ମଶାଣିରେ ରହିବାକୁ କାହାକୁ ଭଲ ଲାଗେ ? ରାତିରେ ଏମିତି ବର୍ଷା ହେଲା ଯେ ବାଟ ନ ପାଇ ମଶାଣିକୁ ମୁଣ୍ଡ ଗୁଞ୍ଜିବାକୁ ଚାଲି ଆସିଲୁ। ଘର ତ ନାହିଁ, ଯିବୁ କୁଆଡ଼େ ? ପୁଣି ସବୁ ଆସବାବପତ୍ର ବର୍ଷାରେ ନଷ୍ଟ ହୋଇଯାଇଛି। ଆଉ ଜଣେ ବସ୍ତିବାସିନ୍ଦା ରଞ୍ଜନ ପ୍ରଧାନ କୁହନ୍ତି, ଆମେ ବଡ଼ବଡ଼ ଲୋକମାନେ ମନକୁ ବୁଝାଇ ରହିଯାଉଛୁ। କିନ୍ତୁ ପିଲାମାନେ ମଶାଣିରେ ଖେଳୁଛନ୍ତି, ତାହା ଦେଖିଲେ ଦୁଃଖ ଲାଗୁଛି। ପୁଣି ବର୍ଷା ଛାଡ଼ୁ ନ ଥିବାରୁ କାମ ବି ବନ୍ଦ ହୋଇଯାଇଛି। ଯଦି ସରକାର ପାଲ ଖଣ୍ଡେ ଖଣ୍ଡେ ଦିଅନ୍ତେ, ତେବେ ବର୍ଷା ଛାଡ଼ିଲା ମାତ୍ରେ ବସ୍ତିକୁ ଚାଲିଯିବୁ ବୋଲି ବସ୍ତିବାସିନ୍ଦା କହିଛନ୍ତି।
ସତ୍ୟନଗର ମଶାଣିରେ ବିତୁଛି ଦିନରାତି
/sambad/media/post_attachments/wp-content/uploads/2018/07/m16-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)