ହୋଲି ଅଘଟଣ : ଦୁର୍ଘଟଣାରେ ଜଣେ ମୃତ, ୩ ଆହତ

ଚନ୍ଦ୍ରଶେଖରପୁର : ହୋଲିକୁ ନେଇ ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସ ଚାଲିଥିବା ବେଳେ ଅନେକ ସ୍ଥାନରେ ଅଘଟଣ ଘଟିଛି। ହୋଲି ଦିନ ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ରୂପାଲି ଛକରେ ଗୋଟିଏ ଧଳା ରଙ୍ଗର ବାଇକ୍‌ରେ ତିନି ଜଣ ଯୁବକ ଦ୍ରୁତ ଗତିରେ ଗାଡ଼ି ଚଳାଇ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ପଡ଼ି ଯାଇଥିଲେ। ମଝିରେ ବସିଥିବା ଯୁବକ ଜଣକ ନିଶାଗ୍ରସ୍ତ ଥିବାରୁ ଘଟଣାସ୍ଥଳରେ ଅଚେତ ‌‌ହୋଇ ଯାଇଥିଲେ। ଲୋକଙ୍କ ସହାୟତାରେ ଟ୍ରାଫିକ ପୁଲିସ୍ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲକୁ ଚିକିତ୍ସାପାଇଁ ପଠାଇଥିଲେ। ଗୁରୁତର ଯୁବକ ଜଣକୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରିଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମଳିଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ସେହିଭଳି ହୋଲି ଦିନ ଶୈଳଶ୍ରୀ ବିହାର ଛକରେ ନିଶାସକ୍ତ ଅବସ୍ଥାରେ ବାଇକ୍ ଚଳାଇ ଦୁଇ ଜଣ ଯୁବକ ଡିଭାଇଡରରେ ପିଟି ହୋଇ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସାନ୍ତନୁ କୁମାର ବାଗ ନାମକ ଯୁବକ ଗୁରୁତର ହୋଇ ପଟିଆ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି ହୋଇଛନ୍ତି। ପଟିଆ ରେଳ ଫାଟକ ବନ୍ଦଥିବା ବେଳେ ଜଣେ ଯୁବକ ‌ଫାଟକରେ ପିଟି ହୋଇ ଗୁରୁତର ହୋଇଛନ୍ତି। ତାଙ୍କ ନାମ ଅଶୋକ କୁମାର ପାଲ୍ ବୋଲି ଜଣାପଡ଼ିଛି। ସେ ନିକଟସ୍ଥ ଏକ ଘରୋଇ କଲେଜ୍‌ରେ ପଢ଼ନ୍ତି ବୋଲି ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।

ରଙ୍ଗ ଲଗାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ
ଜଣେ ସମ୍ପର୍କୀୟ ଭାଉଜକୁ ଜବରଦସ୍ତି ରଙ୍ଗ ଲଗାଇବାକୁ ନେଇ ଦୁଇ ଯୁବଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏପରି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଅଞ୍ଚଳରେ ଥିବା ଏକ ବସ୍ତିରେ। ଗୋଟିଏ କ୍ଲବ୍‌ର କିଛି ଯୁବକ ଜଣେ ମହିଳାଙ୍କୁ ରଙ୍ଗ ଲଗାଇବା ପରେ ସେହି ବସ୍ତିର ଅନ୍ୟ କିଛି ଯୁବକ ମହିଳା ଜଣଙ୍କୁ ରଙ୍ଗ ଲଗାଇ ଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ କହିବାରୁ କଥା କଟାକଟି ହୋଇଥିଲା। ଶେଷରେ ଦୁଇ ଯୁବ ଗୋଷ୍ଠୀ ବାଡ଼ିଧରି ପିଟାପିଟି ହୋଇଥିଲେ। ସୂଚନାପାଇ ଚନ୍ଦ୍ରଶେଖରପୁର ଥାନା ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରିଥିଲା। ସେହିଭଳି ଦୋଳ ଅପେରା ଦେଖିବା ପାଇଁ ଯାଇ ମଞ୍ଚେଶ୍ବରସ୍ଥିତ ଯାତ୍ରା ପେଣ୍ଡାଲ ନିକଟରେ ଦୁଇ ଯୁବଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ଦୁଇ ଜଣ ଯୁବକଙ୍କ ମୁଣ୍ଡ ଫାଟିଛି। ସେମାନେ ହେଲେ ତଳପାଟଣା ସାହିର ଅମ୍ବୁଜ ଭୋଇ ଓ ଶବର ସାହିର ଯୋଗୀ ଭୋଇ।

କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଭିଡ଼
ଭୁବନେଶ୍ବର : ହୋଲି ଦିନ ଘଟିଥିବା‌ ବିଭିନ୍ନ ଅଘଟଣ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ଲାଗିଥିଲା। ହସ୍‌ପିଟାଲରେ ଦିନ ଦ୍ବିପ୍ରହରରୁ ଅପରାହ୍‌ଣ ପର୍ଯ୍ୟନ୍ତ ‌ରୋଗୀମାନଙ୍କର ଭିଡ଼ ଲାଗି ରହିଥିଲା। ଅନ୍ୟ ଦିନ ତୁଳନାରେ ହୋଲି ଦିନ ଦୁଇ ଗୁଣ ଅଧିକ ରୋଗୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ସୂଚନା ମିଳିଛି। ବିଶେଷକରି ବିଭିନ୍ନ ଗଣ୍ଡଗୋଳ ଘଟଣାରେ ଆହତ ହୋଇ ଅଧିକ ମାତ୍ରାରେ ରୋଗୀ ହସ୍ପିଟାଲକୁ ଆସିଥିଲେ।

ଶାଳୀକୁ ରଙ୍ଗ ଲଗାଇ ଭିଣୋଇ ଗିରଫ
ଭୁବନେଶ୍ବର : ହୋଲିରେ ଶାଳୀକୁ ରଙ୍ଗ ଲଗେଇବାକୁ ଯାଇ ଫସିଛନ୍ତି ଭିଣୋଇ। ରଙ୍ଗ ଲଗାଇବା ଆଳରେ ଶାଳୀଙ୍କୁ ଅସଦାଚରଣ କରିବା ଅଭିଯୋଗ ହୋଇଛି। ଶାଳୀଙ୍କ ଅଭିଯୋଗକୁ ଆଧାର କରି ଖାରବେଳ ନଗର ଥାନା ପୁଲିସ ଭିଣୋଇକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ଭାଗବତ ବସ୍ତିରେ ରହୁଥିବା ନୟାଗଡ଼ ଶରଣକୂଳର ଟୁକୁନା ନାୟକ। ପାଖରେ ଥିବା ଆଉ ଏକ ବସ୍ତିରେ ତାର ଶାଳୀ ରହୁଥିଲା। ଗତକାଲି ହୋଲି ଖେଳିବା ପାଇଁ ସେ ଶାଳୀଘରକୁ ଯାଇଥିଲା। ରଙ୍ଗ ବି ଲଗାଇ ଥିଲା। ରଂଗ ଲଗାଇବା ବ‌େଳେ ସେ ଅସଦାଚରଣ କରିଥିବା ଅଭ‌ିଯୋଗ ହୋଇଛି। ଶାଳୀ ପାଟି କରିବାରୁ ସ୍ଥାନୀୟ ଲୋକ ଅଭିଯୁକ୍ତ ଭିଣୋଇକୁ ଧରିଥିଲେ।

ସମ୍ବନ୍ଧିତ ଖବର