ରଙ୍ଗ ବଜାରରେ କରୋନା କର୍ଫ୍ୟୁ : ‌ଦୋକାନ ଖାଁ ଖାଁ, ୫୦ ହଜାର ଜାଗାରେ ୫ଶହ ଟଙ୍କାର ବିକ୍ରି

ଭୁବନେଶ୍ବର : ‌ହାତ ମିଳାଇବା ମନା। ଆଲିଙ୍ଗନ କରିବା ବି ମନା। ‘କରୋନା’ ପାଇଁ ଏଭଳି ସତର୍କତା ରଙ୍ଗ ବେପାରରେ ଯେମିତି ଗ୍ରହଣ ଲଗେଇ ଦେଇଛି। ପ୍ରଥମତଃ ହୋଲିରେ ରଙ୍ଗ ଦୋକାନ ପାଇଁ ରାସ୍ତାକଡ଼ରେ ଏଥର ଅନୁମତି ମିଳିନାହିଁ, ସେଥିରେ ପୁଣି ଏହି କରୋନା ଭୂତାଣୁର ସଂକ୍ରମଣ ରଙ୍ଗ ବେପାରକୁ ପାଣିଚିଆ କରିଦେଇଛି। କେବଳ ଦୋଳ ଉତ୍ସବ ପାଇଁ ଅବିର ବିକ୍ରି ହେଉଥିଲେ ହେଁ ଅନ୍ୟ ରଙ୍ଗର ବିକ୍ରିବଟା ବିଲକୁଲ ହେଉନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି। ଯେଉଁମାନେ ବି ରଙ୍ଗ କିଣୁଛନ୍ତି ସେମାନେ ବ୍ୟବସାୟୀଙ୍କୁ ବହୁ ପ୍ରଶ୍ନ ପଚାରୁଛନ୍ତି। ରାସାୟନିକ ରଙ୍ଗ କି ନୁହେଁ, ଚାଇନାରୁ କେଉଁ ରଙ୍ଗ ଆସିଛି କି ବୋଲି ପ୍ରଶ୍ନ ପଚାରୁଛନ୍ତି। ବ୍ୟବସାୟୀ ପ୍ରୟାସ ବରାଳ କହିଛନ୍ତି, ହୋଲି ବଜାରକୁ ଏଥର କରୋନା ଭୂତାଣୁ ଖାଇଯାଇଛି। କରୋନା ଭୂତାଣୁ ପାଇଁ ଜାରି ହୋଇଥିବା ସତର୍କତା ଯୋଗୁଁ ଆଜିର ଦିନରେ ୫୦ ହଜାର ବିକ୍ରି ହେବାର ଆଶା ରଖିଥିଲେ ହେଁ ବ୍ୟବସାୟ ହଜାରେ ଟଙ୍କା ଅତିକ୍ରମ କରିପାରିନାହିଁ। ସେ କହିଛନ୍ତି ଯେ ରାୟପୁର, ନୂଆଦିଲ୍ଲୀ ଓ କୋଲକାତାରୁ ରଙ୍ଗ ଆସିଛି। କକ୍‌ ଓ ଷ୍ଟାଣ୍ଡାର୍ଡ ବ୍ରାଣ୍ଡର ରଙ୍ଗ ଆସିଥିବାରୁ ଏହା ଏତେ ହାନୀକାରକ ନୁହେଁ, ମାତ୍ର ଲୋକେ ପୂର୍ବ ବର୍ଷ ଭଳି କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ସେ କହିଛନ୍ତି।

ଘ‌ରେ ବିତିବ…
ହୋଲି ମିଳନର ଏକ ପର୍ବ ହୋଇଥିଲେ ହେଁ ଏଥର ଏକାଠି ହୋଲି ପର୍ବ ପାଳନର ଏତେଟା ଅବକାଶ ଜୁଟିବ ନାହିଁ। ମୋଟାମୋଟି ଘରେ ହିଁ ଏଥର ରଙ୍ଗ ପର୍ବ ସୀମିତ ରହିଯିବ। ତେବେ କିଛି ବ୍ୟକ୍ତି ହର୍ବାଲ ରଙ୍ଗରେ ହୋଲି ଖେଳିବାକୁ ଯୋଜନା କରିଛନ୍ତି। ଅନେକ ଘରେ ଭୋଜି ଭାତ କରି ଟିଭି ଦେଖି ସମୟ ବିତାଇବେ। ‌ତେବେ ଛୁଟି ଥିବାରୁ ଅନେକ ସିନେମା ଦେଖିବାକୁ ଯିବାକୁ ଯୋଜନା କରିଛନ୍ତି। ବାଗି, ଭୂତ, କାମୟାବ, ଥାପ୍ପଡ଼, ମଲଙ୍ଗ, ଶୁଭ ମଙ୍ଗଲ ଜାଦା ସାବଧାନ ଭଳି ଫିଲ୍ମ ଦେଖିବା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଥିବା ବେଳେ କିଛି ବ୍ୟକ୍ତି ପାର୍କ ଓ ରାଜଧାନୀ ମଧ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବେ।

୫୦ କେ.ଜି ହଳଦୀରେ ଜମିବ ହୋଲି
ଏକାମ୍ର କ୍ଷେତ୍ରରେ ମହତାବ ରୋଡ୍‌ ନିକଟ ଡାକବଙ୍ଗଳା ଛକଠାରେ ଅଭିନବ ହୋଲି ଉତ୍ସବ ଦେଖିବାକୁ ମିଳିବ। ଚଳିତ ବର୍ଷ ୫୦ କେ.ଜି ହଳଦୀରେ ହୋଲି ଖେଳ ହେବ। ମା’ ଜାଗେଶ୍ବରୀ କ୍ଲବ ପକ୍ଷରୁ ଦହି ହାଣ୍ଡି ଭଙ୍ଗା ସହ ଯୁବକମାନଙ୍କ ଦ୍ବାରା ବାଡ଼ି ଖେଳ ପ୍ରଦର୍ଶନ ହେବ। ଶରୀରକୁ ସୁସ୍ଥ ଓ ଚର୍ମ ରୋଗରୁ ରକ୍ଷା ପାଇଁ ହଳଦୀ ଗୁଣ୍ଡରେ ହୋଲି ଖେଳିବାକୁ ନିଷ୍ପତ୍ତି ନେଇଛୁ ବୋଲି କ୍ଲବ୍‌ର ସମ୍ପାଦକ ଶିବ ପ୍ରସାଦ ବେହେରା ସୂଚନା ଦେଇଛନ୍ତି।

ହୋଲି ବେଳେ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶନାମା
ହୋଲି ଖେଳିବା ବେଳେ କିଛିଟା ସାବଧାନତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶନାମା ଜାରି କରିଛି। କରମର୍ଦନ ନକରିବା, ପରସ୍ପରକୁ ଆଲିଙ୍ଗନ ନକରିବା, ମୁହଁରେ ରଙ୍ଗ ବୋଳିବାରୁ ବାରଣ ରହିବା, ବାରମ୍ବାର ହାତକୁ ସାବୁନରେ ଧୋଇବା, ଦଳବଦ୍ଧ ହୋଇ ହୋଲି‌ ଖେଳିବା ଓ ସ୍ନାନ କରିବା ଆଦିରୁ ଦୂରେଇ ରହିବା, ଥଣ୍ଡା, କାଶ ଓ ଜ୍ବର ହେଉଥିଲେ ଆଦୌ ହୋଲି ନଖେଳିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଚେତନ କରାଯାଇଛି।

ସମ୍ବନ୍ଧିତ ଖବର