କରୋନା ପାଇଁ କଟକଣା କଡ଼ାକଡ଼ି : ଘରେ, ବସ୍ତିରେ ଜମିଲା ରଙ୍ଗ ଖେଳ

ଗଳି କନ୍ଦି, ନଦୀଘାଟରେ ପୁଲିସ୍‌ର ପଇଁତରା, ଅମାନିଆ ଦୋକାନୀଙ୍କ ରଙ୍ଗ ନଷ୍ଟ କଲା ପୁଲିସ

ଭୁବନେଶ୍ୱର : ରାଜଧାନୀରେ ସୋମବାର ଦିନ କଟକଣା ମଧ୍ୟରେ ହୋଲି ପାଳିତ ହୋଇଯାଇଛି। କରୋନା ପାଇଁ କଟକଣା ଜାରି ହୋଇଥିବାରୁ ରାଜଧାନୀବାସୀ ଘରୁ ବାହାରି ନଥିଲେ। ତେବେ ଘରେ କିନ୍ତୁ ରଙ୍ଗଖେଳ ଜମିଥିଲା। ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଘରେ ରଙ୍ଗ ଖେଳି ହୋଲି ପାଳିଥିଲେ। ସ୍ଥାନୀୟ କଂଗ୍ରେସ ଭବନ‌ରେ ବରିଷ୍ଠ କଂଗ୍ରେସ ନେତା, କର୍ମୀମାନେ ପରସ୍ପରକୁ ରଙ୍ଗ ବୋଳି ହୋଲିର ଅଭିନନ୍ଦନ ଜଣାଇଥିଲେ। ସେହିପରି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ଭୁବନେଶ୍ୱର ସାଂସଦ ଅପରା‌ଜିତା ଷଡ଼ଙ୍ଗୀ ମଧ୍ୟ ନିଜ ବାସଭବନରେ ପରିବାର ଓ ପ୍ରିୟଜନଙ୍କ ସହ ହୋଲି ଖେଳିଥିବା ଦେଖାଯାଇଥିଲା। ଏହାବ୍ୟତୀତ ସହରର କିଛି ଛୋଟ ବଡ଼ ବସ୍ତିରେ ପୁଲିସ୍‌ର ଦୃଷ୍ଟି ଆଢ଼ୁଆଳରେ ହୋଲି ଖେଳ ଜମିଥିଲା। ବିଶେଷକରି ଛୋଟ ପିଲାମାନେ ବସ୍ତି ଭିତରେ ପରସ୍ପରକୁ ରଙ୍ଗ ବୋଳିବା ସହ ନାଚ, ଗୀତରେ ମସଗୁଲ୍‌ ହୋଇଥିଲେ। ଅପରପକ୍ଷେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟ୍ବିଟ୍‌ କରି ଓଡ଼ିଶାବାସୀଙ୍କୁ ହୋଲିର ଅଭିନନ୍ଦନ ଜଣାଇଥିଲେ।

‌‌ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସାଧାରଣରେ ରଙ୍ଗ ଖେଳ ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଏହାକୁ କଡ଼ାକଡ଼ି କରାଯାଇଥିଲା। ରାଜଧାନୀର ପ୍ରମୁଖ ଛକଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ପୁଲିସ ଛାଉଣୀ ହୋଇ ରହିଥିଲା। ପିସିଆର୍‌ ଭ୍ୟାନ୍‌ ମଧ୍ୟ ପଇଁତରା ମାରୁଥିଲା। ପିସିଆର୍‌ ଭ୍ୟାନ୍‌ର ପବ୍ଲିକ ଆଡ୍ରେସ ସିଷ୍ଟମ ଗର୍ଜନ କରୁଥିଲା, ‘କେହି ରଙ୍ଗ କିଣନି, କେହି ରଙ୍ଗ ବିକ୍ରି କରନି।’ ପୁଲିସ୍‌ କଥା ନମାନି ଯେଉଁମାନେ ରାସ୍ତା ଉପରେ ରଙ୍ଗ ବିକ୍ରି କରୁଥିଲେ, ପୁଲିସ୍‌ ସେମାନଙ୍କ ରଙ୍ଗ ରାସ୍ତାକଡ଼ରେ ଢାଳି ନଷ୍ଟ କରିଥିଲା। ପ୍ରାୟ ୧୮ଟି ପିସିଆର୍‌ ଭ୍ୟାନ୍‌ ସହ ୧୫ପ୍ଲାଟୁନ୍‌ ଫୋର୍ସ ଏହି କାମରେ ନିୟୋଜିତ ହୋଇଥିଲେ। ସେହିପରି ସମୂହ ସ୍ନାନ ଉପରେ ବି କଟକଣା ଥିବାରୁ ପୁଲିସ୍‌ କଡ଼ା ନଜର ରଖିଥିଲା। ପ୍ରମୁଖ ନଦୀ ଓ ପୋଖରୀ ଘାଟକୁ ମଧ୍ୟ ପୁଲିସ୍‌ ଜଗି ରହିଥିଲା। ଏହି ଅବସରରେ ଡିସିପି ଉମାଶାଙ୍କର ଦାଶ କହିଛନ୍ତି ଯେ ହୋଲି କଟକଣା କଡ଼ାକଡ଼ି କରିବାରେ ରାଜଧାନୀବାସୀ ସହଯୋଗ କରିଛନ୍ତି। କେଉଁଠି କିଛି ଅଘଟଣ କିମ୍ବା ହିଂସାକାଣ୍ଡ ଘଟିନାହିଁ। କେତେକ ଜାଗାରେ କେତେକ ବ୍ୟବସାୟୀ ନମାନି ରଙ୍ଗ ବିକ୍ରି କରୁଥିଲେ। ସେମାନଙ୍କ ଉପରେ ଚଢ଼ଉ କରାଯାଇ ଦୋକାନ ବନ୍ଦ କରାଯିବା ସହ ରଙ୍ଗ ନଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର