ଭୁବନେଶ୍ୱର: ଆସିଛି ଖରାଦିନ। ବେଳକୁ ବେଳ ରୌଦ୍ରତାପ ବଢ଼ିବାରେ ଲାଗିଛି। ସ୍କୁଲ୍‌ଗୁଡ଼ିକ ଛୁଟି ବି ହୋଇଗଲାଣି। କିଭଳି ଗରମ ଓ ବିରକ୍ତିକର ଦିନଗୁଡ଼ିକ କଟିବ, ଏନେଇ ରାଜଧାନୀବାସୀଙ୍କ ଭିତରେ ଭାଳେଣି ପଡ଼ିଥିବା ବେଳେ ସ୍କୁଲ୍‌ ପିଲାମାନେ କିନ୍ତୁ ଉତ୍ସାହିତ ଜଣାପଡ଼ୁଛନ୍ତି। କାରଣ ରାଜଧାନୀର ବିଭିନ୍ନ ସ୍କୁଲ୍‌ରେ ଆରମ୍ଭ ହୋଇଗଲାଣି ‘ସମର୍‌ କ୍ୟାମ୍ପ୍‌’। ସାଙ୍ଗମାନଙ୍କ ସହ ନାଚ, ଗୀତ, ପର୍ଯ୍ୟଟନ ସ୍ଥାନ ଭ୍ରମଣଠାରୁ ଆରମ୍ଭ କରି ସୁଇମିଂର ମଜା ନେଇ ହେବ ଏହି କ୍ୟାମ୍ପରେ। ଏନେଇ ବିଭିନ୍ନ ସ୍କୁଲ୍‌ରେ ପ୍ରସ୍ତୁତି ସରିଥିବା ବେଳେ ଆଉ କିଛି ସ୍କୁଲ ଏନେଇ ଯୋଜନା ଆରମ୍ଭ କଲେଣି। ଅଭିଭାବକ ମହଲରେ ମଧ୍ୟ ଏନେଇ ଉତ୍ସାହ ଦେଖିବାକୁ ମିଳୁଛି। ପୂର୍ବରୁ ଅବସର ବିନୋଦନ ପାଇଁ ଛାତ୍ରଛାତ୍ରୀମାନେ ସମ୍ପର୍କୀୟଙ୍କ ଘରକୁ ବୁଲି ଯାଉଥିବା ବେଳେ ବର୍ତ୍ତମାନ କାର୍ଯ୍ୟବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଗତ କିଛି ବର୍ଷ ହେଲା ରାଜଧାନୀରେ ‘ସମର୍‌ କ୍ୟାମ୍ପ୍‌’ର ନିଶା ଲୋକଙ୍କୁ ଘାରିଛି।

Advertisment

ଅଧିକାଂଶ ସ୍କୁଲ୍‌ କର୍ତୃପକ୍ଷ ନିଜ ନିଜ ସ୍କୁଲ୍‌ରେ ‘ସମର କ୍ୟାମ୍ପ୍‌’ ଆୟୋଜନ କରୁଥିବା ଲକ୍ଷ୍ୟ କରାଯାଉଛି। ସ୍କୁଲ୍‌ରେ ସବୁଦିନେ ପାଠର ବୋଝ ଥିଲା। ମାତ୍ର ଏବେ କ୍ୟାମ୍ପ୍‌ ସମୟରେ ପାଠ କମ୍‌, ମସ୍ତି ଅଧିକ ହେଉଛି। ଫଳରେ ପିଲାମାନେ ନିଜ ସ୍କୁଲ୍‌ରେ ଏକ ଭିନ୍ନ ପରିବେଶରେ କ୍ୟାମ୍ପ୍‌କୁ ଉପଭୋଗ କରୁଛନ୍ତି। କ୍ୟାମ୍ପସ୍‌ ଭିତରେ ପିଲାମାନଙ୍କୁ ହସ୍ତକଳା, ଏରୋବିକ୍‌, ନାଚ, ଗୀତ ଶିଖାଯାଉଛି। ଅଧିକ ଜ୍ଞାନ ଆହରଣ କରିବା ପାଇଁ ପିଲାମାନଙ୍କୁ ସହରରେ ଥିବା ବିଭିନ୍ନ ସଂଗ୍ରହାଳୟ ବୁଲାଯାଉଛି। ଯଦିଓ ବିଭିନ୍ନ ବୟସର ପିଲାମାନଙ୍କ ପାଇଁ ‘ସମର୍‌ କ୍ୟାମ୍ପ୍‌’ ଆୟୋଜନ କରାଯାଉଛି, ତେବେ ଛୋଟ ପିଲାଙ୍କ ମଧ୍ୟରେ ଏହାର ଚାହିଦା ଅଧିକ ରହୁଛି। ୪ ବର୍ଷଠାରୁ ଆରମ୍ଭ କରି ୭/୮ ବର୍ଷ ପର୍ଯ୍ୟନ୍ତ ପିଲାମାନେ ଏପରି କ୍ୟାମ୍ପ୍‌ରେ ଅଧିକ ଯୋଗ ଦେଉଥିବା ଦେଖାଯାଉଛି। ଜଣେ ଅଭିଭାବକ ଅଶୋକ ନାଥ କୁହନ୍ତି, ଆମେ ଉଭୟ ପତି-ପତ୍ନୀ ଚାକିରି କରିଛୁ। ଗ୍ରୀଷ୍ମ ଛୁଟିରେ ଦୀର୍ଘ ଦିନ ପାଇଁ ପିଲାକୁ ବାହାରକୁ ବୁଲାଇ ନେବା ସମ୍ଭବ ହେଉନି। ତେଣୁ ସମର୍‌ କ୍ୟାମ୍ପ ନିହାତି ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ପିଲାମାନେ ନିଜ ସାଙ୍ଗସାଥୀଙ୍କ ସହ ହସ ଖୁସି ମଉଜମସ୍ତି କରିପାରୁଥିବା ବେଳେ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଭ୍ରମଣ ଆଦି ସେମାନଙ୍କୁ ନୂଆ ନୂଆ କଥା ଶିଖାଇବାରେ ସାହାଯ୍ୟ କରୁଛି।

ଡଲ୍‌ସ୍‌ ଏନ୍‌ ଡଲ୍‌ସ୍‌ ସ୍କୁଲ୍‌ର ସଂଯୋଜିକା ଅରୁଣିମା ତ୍ରିପାଠୀ କୁହନ୍ତି, ଖରା ଛୁଟିରେ ପିଲାମାନଙ୍କ ସମୟ ଅତିବାହିତ ପାଇଁ ଏବେ ସମର୍‌ କ୍ୟାମ୍ପ୍‌ ବେଶ୍‌ ଗୁରୁତ୍ୱ ବହନ କରୁଛି। ଏହା ଅବସର ବିନୋଦନ ସହ ପିଲାମାନଙ୍କ ମଧ୍ୟରେ ଦକ୍ଷତା ବିକାଶର ଉତ୍ତମ ମାଧ୍ୟମ। ସାଇ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍କୁଲ୍‌ରେ ମଧ୍ୟ ଆଜିଠାରୁ ୧୨ ଦିନ ପର୍ଯ୍ୟନ୍ତ ଏହି କ୍ୟାମ୍ପ୍‌ ଆରମ୍ଭ ହୋଇଯାଇଛି। ଏଥିରେ ସୁଇମିଂ, ଗୀତ ଗାଇବା, କଳା ଓ ହସ୍ତକଳା, ରୋଷେଇ ବିଦ୍ୟା, ଫଟୋଗ୍ରାଫି ଓ ନୃତ୍ୟ ଶିକ୍ଷା ଦିଆଯାଉଛି। ନୃତ୍ୟ ପାଇଁ ମୁମ୍ବାଇରୁ ଏକ ଟିମ୍‌ ଏସ୍‌ ଡି ଇନ୍‌ଷ୍ଟିଚ୍ୟୁଟ୍‌ ଆସି ପିଲାମାନଙ୍କୁ ସ୍ୱତନ୍ତ୍ର ତାଲିମ୍‌ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ସ୍କୁଲ୍‌ ଅଧ୍ୟକ୍ଷ ହରିଶ୍‌ ସାମ୍ବୁଜା କହିଛନ୍ତି। ପ୍ରାୟ ୨ଶହ ପିଲାଙ୍କୁ ୩ଟି ଗ୍ରୁପ୍‌ କରି ବିଭିନ୍ନ ତାଲିମ୍‌ ଦିଆଯାଉଥିବା ସେ କହିଛନ୍ତି। କିଛି ଶିକ୍ଷାନୁଷ୍ଠାନରେ ସମର କ୍ୟାମ୍ପ୍‌ ପାଇଁ ଅଭିଭାବକଙ୍କଠାରୁ ଅଧିକ ଫି ଆଦାୟ କରାଯାଉଥିବା ନେଇ ଅଭିଯୋଗ ହେଉଛି। ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ପିଲାମାନଙ୍କ ଦକ୍ଷତା ବିକାଶ ତଥା ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ଓ ମନୋରଞ୍ଜନ ପାଇଁ ସମର କ୍ୟାମ୍ପ୍‌ ଅତ୍ୟନ୍ତ ଉପଯୋଗୀ। ଏଣୁ ଏହି ବ୍ୟବସ୍ଥାରେ ବ୍ୟବସାୟିକ ମାନସିକତା ପ୍ରବେଶ ନ କରୁ ବୋଲି ମତପ୍ରକାଶ ପାଇଛି।