ସରିଲା ଖରା ଛୁଟି: ମଙ୍ଗଳବାର ବାଜିବ ସ୍କୁଲ୍‌ ଘଣ୍ଟି

ଖରାରେ ସିଝିବେ ପିଲା, ଶିକ୍ଷକ, ସକାଳୁଆ ସ୍କୁଲ୍‌ କରିବାକୁ ବିଭିନ୍ନ ମହଲରୁ ଦାବି

ଭୁବନେଶ୍ବର: ଅସହ୍ୟ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ। ହେଲେ ଗ୍ରୀଷ୍ମ ଛୁଟି ସରିବା ପରେ ମଙ୍ଗଳବାର ଖୋଲିବ ସ୍କୁଲ୍‌। ବିଗତ ବର୍ଷ ତୁଳନାରେ ଓଡ଼ିଶାରେ ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳି ବୃଦ୍ଧି ପାଇଛି। ଜୁନ୍‌ ମାସ ଅଧା ବିତି ସାରିଥିଲେ ବି ଓଡ଼ିଶାକୁ ମୌସୁମୀ ସମ୍ପୂର୍ଣ୍ଣ ଆଗମନ ନେଇ ଏଯାଏଁ କିଛି ବି ସ୍ପଷ୍ଟ ସୂଚନା ନାହିଁ। ଆଉ ଏପଟେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଆହୁରି ୨ ଦିନ ଯାଏ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଓ ୩ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ସ୍ଥିତିରେ ବିଶେଷ ପରିବର୍ତ୍ତନର ଆଶା ନାହିଁ। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। ଏଭଳି ସମୟରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଜୁନ୍‌ ୧୮ ଅର୍ଥାତ୍‌ ମଙ୍ଗଳବାର ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଓଡ଼ିଶାର ଅଧିକାଂଶ ସ୍କୁଲ ଘର ଆଜବେଷ୍ଟସ୍ କିମ୍ବା ଏକ ମହଲା ଛାତ‌ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହରେ ଆବଶ୍ୟକ ତୁଳନାରେ ବିଦ୍ୟୁତ୍ ସଂଯୋଗ ସହ ପଙ୍ଖାର ସୁବିଧା ନାହିଁ। ଏଭଳି ସମୟରେ ବିଦ୍ୟାଳୟ ଖୋଲିଲେ ଛାତ୍ରଛାତ୍ରୀମାନେ ଗରମରେ ଅସୁସ୍ଥ ହେବା ସହ ଅଚେତ୍‌ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ପଙ୍ଖ‌ା ଚାଲିଲେ ମଧ୍ୟ ସେଥିରୁ ଝାଞ୍ଜି ପବନ ବାହ‌ାରି ପିଲା ଓ ଶିକ୍ଷକଙ୍କୁ ଆହୁରି କଷ୍ଟ ଦେ‌ବ। ସମସ୍ତ ସ୍କୁଲ୍‌ ଦିନ ୧୦ଟାରୁ ୪ଟା ହୋଇଥିବାରୁ ପିଲାମାନେ ଘରୁ ଚାଲିଚାଲି ଓ ସାଇକେଲ୍‌ରେ ଟାଣ ଖରାରେ ସ୍କୁଲ୍‌ ଯିବେ। କିନ୍ତୁ ଯେଉଁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍, ପୋଷ୍ଟ ଅଫିସ୍ ଆଦି ଦିନବେଳେ ଖୋଲୁଛି ସେଠାରେ କୁଲର,ଏସି, ଥଣ୍ଡା ପିଇବା ପାଣି ଆଦି ସୁବିଧା ଉପଲବ୍ଧ ଅଛି। ମାତ୍ର ବିଦ୍ୟାଳୟଗୁଡ଼ିକରେ ଏଭଳି ସୁବିଧା ନଥିବା ସତ୍ତ୍ୱେ ଶିକ୍ଷାଦାନ ହେବ। ତେଣୁ ପିଲାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।

ଏ ନେଇ ଭୁବନେଶ୍ବରର ରେଣୁଲତା ମହାରଣାଙ୍କ କହିବା କଥା, କାଳବୈଶାଖୀ ପ୍ରଭାବରେ କାଁ ଭାଁ ଯେଉଁ ବର୍ଷା ହେଉଛି, ତାହା ତାପମାତ୍ରାକୁ ହ୍ରାସ କରିପାରୁ ନାହିଁ ବରଂ ଆର୍ଦ୍ରତାକୁ ବଢ଼ାଉଛି। ଯାହାଫଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ସମୟରେ ସକାଳୁଆ ସ୍କୁଲ୍‌ କଲେ ପିଲା ପାଠପଢ଼ି ପାରିବା ସହିତ ଆପାତତ୍ତଃ କେବଳ ୧୦ଟା ବେଳ ‌ଖରାଟି କଷ୍ଟ‌ ଦେବ। ଏହି ଅସ୍ୱାଭାବିକ ପାଣିପାଗକୁ ଦୃଷ୍ଟିରେ ରଖି ୧୮ତାରିଖରୁ ବିଦ୍ୟାଳୟଗୁଡ଼ିକୁ ନଖୋଲି ତାପମାତ୍ରା ହ୍ରାସ ହେବା ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଗତକାଲି ସରକାରଙ୍କ ନିକଟରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର