ଓଲିଉଡ୍‌ ଏବେ ଦକ୍ଷ ନିର୍ମାତା ଓ ସୃଜନଶୀଳ କାହାଣୀକାର ଚାହେ: ଦୀପନ୍ବିତ

ଭୁବନେଶ୍ବର: ‘ଦମନ’ ଚଳଚ୍ଚିତ୍ରରେ କମ୍ପାଉଣ୍ଡର ଚରିତ୍ରରେ ଦୀପନ୍ବିତ ଦାଶମହାପାତ୍ରଙ୍କ ଅଭିନୟ ବେଶ୍‌ ପ୍ରଶଂସନୀୟ। ପରେ ‘ପ୍ରତୀକ୍ଷା’ରେ ସେ ମୁଖ୍ୟ ନାୟକ ଭୂମିକାରେ ନଜର ଆସିଲେ। ଏଥିରେ ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଆଉ ଏକ ନୂଆ ତାରକା ଭେଟିଦେଲା। ସେ ୨୦୧୪ ମସିହାରେ ନାଟକ ଜରିଆରେ ମଞ୍ଚ ଦୁନିଆରେ ପ୍ରବେଶ କରିଥିଲେ। ୨୦୧୭ରେ ଓଡ଼ିଆ ଫିଚର ଫିଲ୍ମ ‘କ୍ଷଣିକା’ରୁ ଚଳଚ୍ଚିତ୍ର ଜଗତରେ ପ୍ରବେଶ। ଏହାପରେ ‘କୋ‌କଲି’, ‘ଚରିତ୍ର’ ଓ ‘ଏଡିୟୁ ଗୋଦାର’ ଭଳି ୩ଟି ଫିଚର ଫିଲ୍ମ ପରେ ସେ ‘ଦମନ’ରେ ନଜର ଆସିଲେ। ଓଲିଉଡ୍‌ର ଏହି ତାରକାଙ୍କ ସହ ଚଳିତ ଥରର ସାକ୍ଷାତକାର।

ବର୍ତ୍ତମାନ ସମୟରେ ନାୟକଙ୍କଠାରୁ ଦର୍ଶକଙ୍କର କ’ଣ ଆଶା ରହିଛି?
ଚଳଚ୍ଚିତ୍ର ନିର୍ମାଣ ସମୟ‌ରେ ନିର୍ମାତାମାନେ ସତର୍କ ହେବା ଜରୁରୀ ଯେ ଚଳଚ୍ଚିତ୍ରରେ ଅଭିନୟ ପ୍ରଦର୍ଶନର କେତେ ଗୁରୁତ୍ବ ରହିଛି। ଅଭିନେତାର ଗୁରୁତ୍ବ କେତେ। ‘ଦମନ’ ଓ ‘ପ୍ରତୀକ୍ଷା’ ଭଳି ଚଳଚ୍ଚିତ୍ରରେ ଆକ୍ସନ କିମ୍ବା ଅନ୍ୟ କଥା ଅପେକ୍ଷା ଅଭିନୟର ଆବଶ୍ୟକତା ରହିଥିଲା। ସେହିଭଳି କାହାଣୀକୁ ତର୍ଜମା କରି ଚାହିଦା ଅନୁସାରେ ଅଭିନେତା ବାଛିଲେ ତାହା ଦର୍ଶକୀୟ ଆଦୃତି ଲାଭ କରିବ। ଦର୍ଶକ ଆମର ଦେବତା ହୋଇଥିବା ବେଳେ ସେମାନଙ୍କ ପାଇଁ ମୁଁ ସବୁ ନୂଆ ପରୀକ୍ଷଣ କରିବାକୁ ଚାହେଁ। ସେମାନଙ୍କ ସନ୍ତୁଷ୍ଟି ହିଁ ମୋର ପ୍ରଥମ ଲକ୍ଷ୍ୟ ରହିବ।

‘ଦମନ’ ଓ ‘ପ୍ରତୀକ୍ଷା’ ଭଳି ଓଡ଼ିଆ ଚଳଚ୍ଚିତ୍ରର ସ୍ଥିତି ବଜାୟ ରଖିବା ପାଇଁ କ’ଣ କରିବାକୁ ହେବ?
ପ୍ରଥମେ ଭଲ କାହାଣୀକାର ଓ ଉଚ୍ଚମାନର ଚଳଚ୍ଚିତ୍ର ନିର୍ମ‌ାତା ନିହାତି ଆବଶ୍ୟକ। ଓଡ଼ିଆ ଇଣ୍ଡଷ୍ଟ୍ରିର ଉତ୍‌ଥାନ ପାଇଁ ଏଠି ଅଧିକରୁ ଅଧିକ ଦକ୍ଷ ଓ ତାଲିମପ୍ରାପ୍ତ ଲୋକଙ୍କ ଦରକାର ରହିଛି। ଦର୍ଶକଙ୍କ ପାଖରେ ଏବେ ବିକଳ୍ପ ଅନେକ ରହିଥିବା ବେଳେ ଆମେ ବି କାହାଣୀ, କାହାଣୀ ଉପସ୍ଥାପନା କରିବାର ଭଙ୍ଗୀ, ସୃଜନଶୀଳତା ଓ ବିଭିନ୍ନ ଆଧୁନିକ ଟେକ୍‌ନୋଲୋଜି ଆଦି ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ଏଥିସହ ଜାତୀୟସ୍ତରକୁ ଖାପଖୁଆଇବା ଭଳି ଚଳଚ୍ଚିତ୍ର ନିର୍ମାଣ ହେବା ଜରୁରୀ। ତେବେ ଯାଇ ଓଡ଼ିଆ ସିନେମା ଏହାର ପୂର୍ବ ଗରିମା ‌ଫେରିପାଇବ।

ଓଲିଉଡ୍‌ ଏବେ କ’ଣ ସବୁ ଆହ୍ବ‌ାନର ସମ୍ମୁଖୀନ ହେଉଛି?
ସବୁଠୁ ବଡ଼ ଆହ୍ବାନ ହେଉଛି ସୃଜନଶୀଳ କାହାଣୀକାରଙ୍କ ଅଭାବ। ବାକି ସବୁ ସିନେମା ଇଣ୍ଡଷ୍ଟ୍ରି ଭଳି ଓଡ଼ିଆ ଇଣ୍ଡଷ୍ଟ୍ରିରେ କାହାଣୀକାରମାନଙ୍କୁ ସେହିଭଳି ଗୁରୁତ୍ବ ବା ସମ୍ମାନ ମିଳେନି। କାହାଣୀକାର ହେଉଛନ୍ତି ଏକ ଚଳଚ୍ଚିତ୍ରର ମେରୁଦଣ୍ଡ। ଅନ୍ୟପଟେ ଓଡ଼ିଶାରେ ସିନେମା ହଲ୍‌ର ଅଭାବ ଓଡ଼ିଆ ଚଳଚ୍ଚିତ୍ର ପାଇଁ କାଳ ହୋଇଛି। ଏଥିସହ ଚଳଚ୍ଚିତ୍ର ଉପରେ ଜ୍ଞାନ ଥିବା, ସମକାଳୀନ ସିନେମା ଉପରେ ଧାରଣା ଥିବା ଦକ୍ଷ ନିର୍ମାତାଙ୍କ ଅଭାବ ଓଲିଉଡ୍‌କୁ ବହୁ ପଛକୁ ଟାଣିନେଇଛି।

ଚଳଚ୍ଚିତ୍ର ସଫଳ ହେବାକୁ ବଜେଟ୍‌ ଓ ଟେକ୍‌ନିକ୍‌ର କେତେ ଆବଶ୍ୟକତା ରହିଛି?
ପ୍ରତିଟି ଚଳଚ୍ଚିତ୍ରର ପ୍ରବୃତ୍ତି ଭିନ୍ନ ଭିନ୍ନ। ‘ଦମନ’ ଓ ‘ପ୍ରତୀକ୍ଷା’ ଭଳି ଚଳଚ୍ଚିତ୍ର ପାଇଁ ବଡ଼ ବଜେଟ୍‌ କିମ୍ବା ସିନେମାଟୋଗ୍ରାଫିର ଆବଶ୍ୟକତା ନଥିଲା। କିନ୍ତୁ କିଛି କିଛି କାହାଣୀ ଅଧିକ ବଜେଟ୍‌ ମାଗେ। ପୁଣି ଗ୍ରାଫିକ୍ସ ବି ଦରକାର ପଡ଼େ। ତେବେ ଚଳଚ୍ଚିତ୍ରରେ ଗ୍ରାଫିକ୍ସକୁ ଅତି ଶସ୍ତା ନ କରି ଉନ୍ନତମାନର କରିବା ଆବଶ୍ୟକ। କେବଳ ଯେ ବଡ଼ ବଜେଟ୍‌ ଚଳଚ୍ଚିତ୍ର ସଫଳ ହୁଏ, ସେମିତି କିଛି ମାନେ ନାହିଁ। ବଡ଼ ବଜେଟ୍‌ ଚଳଚ୍ଚିତ୍ର ‌କେବେ‌କେବେ ଫ୍ଲପ୍‌ ହୋଇଯାଏ ଓ କମ୍‌ ବଜେଟ୍‌ ଚଳଚ୍ଚିତ୍ର ଅନେକ ସମୟରେ ହିଟ୍ ହୋଇଯାଏ। ଏଣୁ କାହାଣୀକୁ ଦେଖି ବଜେଟ୍ ଓ ଗ୍ରାଫିକ୍ସ ବ୍ୟବହାର ହୁଏ।

ଚଳଚ୍ଚିତ୍ର ସଫଳ ପଛରେ ନାୟକର ଭୂମିକା କେତେ?
ପୂରା ଟିମ୍‌ର ପରିଶ୍ରମରେ ହିଁ ଚଳଚ୍ଚିତ୍ର ସଫଳ ହୁଏ। ‌ବେଳେବେଳେ ଚଳଚ୍ଚିତ୍ର ନାୟକ ଚେହେରାକୁ ନେଇ କିଛି ଦିନ ପ୍ରଚାର ପ୍ରସାର ହୋଇଯାଏ। କିନ୍ତୁ ଚଳଚ୍ଚିତ୍ର ସହ ଜଡ଼ିତ ସମସ୍ତଙ୍କ ଉଦ୍ୟମରୁ ସଫଳତା ମିଳେ।

ସମ୍ବନ୍ଧିତ ଖବର